ନୀତି ଆୟୋଗ ରିପୋର୍ଟ: ସର୍ବାଧିକ ଦାରିଦ୍ର୍ୟ ହାର ଥିବା ପାଞ୍ଚ ରାଜ୍ୟ ମଧ୍ୟରେ ଚାରି ବିଜେପି ଶାସିତ ରାଜ୍ୟ

ନୂଆଦିଲ୍ଲୀ: ନୀତି ଆୟୋଗ ଦେଶର ପ୍ରଥମ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (ଏମପିଆଇ) ରିପୋର୍ଟ ପ୍ରକାଶ କରିଛି । ଆୟୋଗ ଦ୍ଵାରା ପ୍ରକାଶିତ ରିପୋର୍ଟରେ ସର୍ବାଧିକ ଦାରିଦ୍ର୍ୟ ହାର ଥିବା ଶୀର୍ଷ ପାଞ୍ଚଟି ରାଜ୍ୟ ମଧ୍ୟରୁ ଚାରିଟି ବିଜେପି ଶାସିତ ରାଜ୍ୟ ରହିଛନ୍ତି । ଗରିବଙ୍କ ଜନସଂଖ୍ୟା ଦୃଷ୍ଟିରୁ ବିହାର ସର୍ବାଗ୍ରେ ରହିଛି ।

ନୀତି ଆୟୋଗ ଦ୍ଵାରା ପ୍ରକାଶିତ ସୂଚକାଙ୍କ ଅନୁଯାୟୀ, ବିହାରର ଜନସଂଖ୍ୟାର ୫୧.୯୧ ପ୍ରତିଶତ ହେଉଛନ୍ତି ଦରିଦ୍ର ଶ୍ରେଣୀର ଲୋକ। ନୀତୀଶ କୁମାରଙ୍କ ନେତୃତ୍ୱରେ ବିଜେପି ଏବଂ ଜେଡିୟୁର ଦେଢ଼ ଦଶନ୍ଧି ପୁରୁଣା ମେଣ୍ଟ ସରକାର ଥିବାବେଳେ ଡିସେମ୍ବର ୨୦୧୯ ଯାଏଁ ବିଜେପି ଦ୍ବାରା ଶାସିତ ଝାଡ଼ଖଣ୍ଡରେ ମଧ୍ୟ ଦାରିଦ୍ର୍ୟ ହାର ଅଧିକ ରହିଛି । ଏହି ରାଜ୍ୟରେ ଜନସଂଖ୍ୟାର ୪୨.୧୬ ପ୍ରତିଶତ ହେଉଛନ୍ତି ଗରିବ। ଦେଶର ବୃହତ୍ତମ ରାଜ୍ୟ ଉତ୍ତର ପ୍ରଦେଶରେ ୩୭.୭୯ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଜୀବନ ବିତାଉଥିବା ନୀତି ଆୟୋଗ ରିପୋର୍ଟରେ କୁହାଯାଇଛି ।

୨୦୧୧ ଜନଗଣନା ଅନୁଯାୟୀ, ଉତ୍ତର ପ୍ରଦେଶର ଜନସଂଖ୍ୟା ୧୯.୯୮ କୋଟି | ଏହାର ୩୭.୭୯ ପ୍ରତିଶତ ଜନସଂଖ୍ୟା ଅର୍ଥାତ୍ ୭.୫୫ କୋଟି ଜନସଂଖ୍ୟା ହେଉଛନ୍ତି ଗରିବ | ୨୦୧୧ ଜନଗଣନା ଅନୁଯାୟୀ ବିହାରର ଜନସଂଖ୍ୟା ହେଉଛି ୧୦.୪ କୋଟି | ଏହାର ଜନସଂଖ୍ୟାର ପ୍ରାୟ ୫୨ ପ୍ରତିଶତ ଅର୍ଥାତ୍ ୫.୪ କୋଟି ଜନସଂଖ୍ୟା ଦାରିଦ୍ର୍ୟରେ ଜୀବନ ବିତାଉଛନ୍ତି।

ନୀତି ଆୟୋଗ ସୂଚକାଙ୍କରେ ମଧ୍ୟପ୍ରଦେଶ (୩୬.୬୫ ପ୍ରତିଶତ) ଚତୁର୍ଥ ସ୍ଥାନରେ ଥିବାବେଳେ ମେଘାଳୟ (୩୨.୬୭ ପ୍ରତିଶତ) ପଞ୍ଚମ ସ୍ଥାନରେ ରହିଛି। ୨୦୦୩ ରୁ ମଧ୍ୟପ୍ରଦେଶରେ ମଧ୍ୟ ବିଜେପି ସରକାର ଅଛି (ଡିସେମ୍ବର ୨୦୧୮ ରୁ ମାର୍ଚ୍ଚ ୨୦୨୦ ବ୍ୟତୀତ) ଏବଂ ଶିବରାଜ ସିଂ ଚୌହାନ ୨୦୦୫ ମସିହାରୁ ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି। ତଥାପି ଏହି ରାଜ୍ୟରେ ଦାରିଦ୍ର୍ୟ ହାର ଅଧିକ ରହିଛି । ଅନ୍ୟପକ୍ଷରେ ମେଘାଳୟରେ ବିଜେପିର ଏକ ମେଣ୍ଟ ସରକାର ଅଛି।

ସିପିଏମ୍ ଶାସିତ କେରଳରେ ସବୁଠାରୁ କମ୍ ଦାରିଦ୍ର୍ୟ ହାର ରେକର୍ଡ କରାଯାଇଛି । ନୀତି ଆୟୋଗ ରିପୋର୍ଟ ଅନୁଯାୟୀ ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ ଦାରିଦ୍ର୍ୟ ହାର ୦.୭୧ ପ୍ରତିଶତ ରହିଛି । ବିଜେପି ଶାସିତ ଗୋଆ ମଧ୍ୟ ଦାରିଦ୍ର୍ୟ ହାର କମ୍ (୩.୭୬ ପ୍ରତିଶତ) ରହିଥିବା ବେଳେ ସିକ୍କିମରେ ଏହା ୩.୮୨ ପ୍ରତିଶତ, ତାମିଲନାଡୁରେ ୪.୮୯ ପ୍ରତିଶତ ଏବଂ ପଞ୍ଜାବରେ ୫.୫୯ ପ୍ରତିଶତ ରହିଛି। ଏହି ରାଜ୍ୟଗୁଡିକ ସର୍ବନିମ୍ନ ଦାରିଦ୍ର୍ୟ ହାର ଥିବା ରାଜ୍ୟ ହୋଇଥିବାରୁ ନୀତି ଆୟୋଗ ରିପୋର୍ଟରେ ଶେଷରେ ଅଛନ୍ତି |

Comments are closed.