ବାଲୁଗାଁ ବେଲପଡା ଛକ ନିକଟରେ ବସକୁ ପଛଆଡୁ ଧକ୍କା ଦେଲା ଟ୍ରକ୍‌, ୩ ମୃତ,୯ ଆହତ

ବାଲୁଗାଁ- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ବେଲପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବେଲପଡା ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ବସ୍‌କୁ ଗୋଟିଏ ଟ୍ରକ ପଛରୁ ଧକକା ଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛି । ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନିଆଯାଇଛି । ମୃତାହତମାନେ ଗଞ୍ଜାମ ଜିଲ୍ଲା ଗୋପାଳପୁରର ବୋଲି ଜଣାପଡିଛି । ଦୁର୍ଘଟଣାଗ୍ରସ୍ତ ବସଟିରେ ଡ୍ରାଇଭରକୁ ମିଶାଇ ମୋଟ ୧୯ ଜଣ ଯାତ୍ରୀ ଥିଲେ । ଘଟଗାଁ ତାରିଣୀ ଦର୍ଶନ କରି ଫେରୁଥିବା ବେଳେ ଭୋର୍ ୩ଟା ବେଳେ ବସଟି ବେଲପଡା ନିକଟରେ ଅଟକିଥିଲା । କିଛି ଯାତ୍ରୀ ଓହ୍ଲାଇ ପରିସ୍ରା କରିବାକୁ ଯାଇଥିଲେ । ଏତିକି ବେଳେ ପଛରୁ ଆସୁଥିବା ଏକ ଟ୍ରକ୍ ବସ୍‌କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ବାଲୁଗାଁ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି ।

Comments are closed.