ଗୁଜରାଟ: କେମିକାଲ କମ୍ପାନୀରେ ବିସ୍ଫୋରଣ, ୪ ମୃତ, ୭ ଆହତ

ଅହମ୍ମଦାବାଦ: ଗୁଜୁରାଟର ଭଦୋଦରାସ୍ଥିତ ଏକ କମ୍ପାନୀରେ ବଏଲର ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୭ ଜଣ ଆହତ ହୋଇଛନ୍ତି । ଭଡସର ବ୍ରିଜ ନିକଟରେ ଅବସ୍ଥିତ ଏକ କେମିକାଲ କମ୍ପାନୀର ବଏଲର ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖ ଘରର କାଚ ଭାଙ୍ଗି ଯାଇଥିଲା |

ବଏଲର ଅତ୍ୟଧିକ ଗରମ ହୋଇଯିବା ଏବଂ କମ୍ପାନୀର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ଘଟଣା ଘଟିଥିବା ମନେ କରାଯାଉଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ ଚାଲିଛି। ବଏଲର ବିସ୍ଫୋରଣ ପରେ କମ୍ପାନୀରେ ଆତଙ୍କ ଖେଳିଯାଇଥିଲା। କମ୍ପାନୀର ଅନେକ ଲୋକ ଏଥିରେ ପୋଡ଼ି ଯାଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ଅନେକ କର୍ମଚାରୀ ଏଥିରେ ଗୁରୁତର ଆହତ ହୋଇଥିଲେ |

ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଏବଂ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ନିଆଁରେ ଜଳିଯାଇଥିବା ସମସ୍ତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ ଏହି ବିସ୍ଫୋରଣରେ ଛୋଟ ପିଲାମାନେ ମଧ୍ୟ ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି ।

Comments are closed.