ଗଙ୍ଗାସାଗର ମେଳାରେ କରୋନା, ଚାରି ସାଧୁ ପଜିଟିଭ୍

କୋଲକାତା: କରୋନାର ତୃତୀୟ ଲହର ମଧ୍ୟରେ ଆଜିଠୁ ଆରମ୍ଭ ହେଉଥିବା ପଶ୍ଚିମବଙ୍ଗର ଗଙ୍ଗାସାଗର ମେଳା ଏବଂ ଉତ୍ତର ପ୍ରଦେଶ ପ୍ରୟାଗରାଜରେ ମାଘମେଳା ଚିନ୍ତା ବଢ଼ାଇଛି । ଗଙ୍ଗା ସାଗର ମେଳାରେ ଚାରିଜଣ ସାଧୁ କରୋନା ସଂକ୍ରମିତ ହୋଇଛନ୍ତି। ଗତକାଲି ହାଇକୋର୍ଟ ସର୍ତ୍ତ ସହିତ ଗଙ୍ଗାସାଗର ମେଳା ପାଇଁ ଅନୁମତି ଦେଇଥିଲେ।

ପଶ୍ଚିମବଙ୍ଗର ଗଙ୍ଗାସାଗର ମେଳାରେ ଗତ ସନ୍ଧ୍ୟା ପର୍ଯ୍ୟନ୍ତ ନିଆଯାଇଥିବା କରୋନାର ୧୧୨ଟି ନମୁନା ମଧ୍ୟରୁ ୪ ସାଧୁଙ୍କୁ ରିପୋର୍ଟ ପଜିଟିଭ ଆସିଛି । ଗଙ୍ଗାସାଗର ମେଳାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ଥିବା ବେଳେ ଏହା କରୋନାର ସୁପର‌ସ୍ପ୍ରେଡର ସାଜିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଗଙ୍ଗାସାଗର ମେଳା ଉପରେ ରୋକ୍ ଲଗାଇବାକୁ କଲିକତା ହାଇକୋର୍ଟରେ ଏକ ପିଟିସନ ଦାୟର ହୋଇଥିଲା । କିନ୍ତୁ ଏହାପୂର୍ବରୁ ମମତା ସରକାର ଏକ ସତ୍ୟପାଠ ଜରିଆରେ କୋଭିଡ୍ ଗାଇଡଲାଇନ୍ ପାଳନ ପୂର୍ବକ ଗଙ୍ଗାସାଗର ମେଳା ଆୟୋଜନ କରାଯିବ ବୋଲି କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପରୀକ୍ଷା ଠାରୁ ଆରମ୍ଭ କରି ଟିକାକରଣ ପର୍ଯ୍ୟନ୍ତ ମେଳାରେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପଶ୍ଚିମବଙ୍ଗ ସରକାରଙ୍କ ପ୍ରତିଶ୍ରୁତି ପରେ ହାଇକୋର୍ଟ ଏହି ମେଳାକୁ ସର୍ତମୂଳକ ଅନୁମତି ଦେଇଥିଲେ |

Comments are closed.