ତିତିଲି ବାତ୍ୟାରେ ଅନାଥ ହୋଇଥିବା ପିଲାଙ୍କୁ ଭେଟିଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି- ୨୦୧୮ର ତିତିଲି ବାତ୍ୟାରେ ବାପା ମାଆ ହରାଇ ଅନାଥ ହୋଇଥିବା ୫ ଜଣ ପିଲାଙ୍କୁ ଭେଟି ପ୍ରାୟ ଏକ ଘଂଟାକାଳ ବିତାଇଥିଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଅନାଥ ହୋଇଥିବା ପିଲାଙ୍କୁ ରାଜ୍ୟ ସରକାର ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବେ ବୋଲି ତିତିଲି ବାତ୍ୟା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ତା ପରେ ଗଜପତି ଜିଲ୍ଲା ପ୍ରଶାସନ ସେହି ପିଲାମାନଙ୍କୁ ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ କରାଇଥିଲେ । ସମିତିର ନିର୍ଦ୍ଦେଶ ପରେ ୬ ଜଣ ଗୋଷାଣି ପଂଚାୟତ ସମିତି ଅନ୍ତର୍ଗତ ଏସ.ଉରୁଡା ଗ୍ରାମର ବିବେକାନନ୍ଦ ଆବାସିକ ବିଦ୍ୟାଳୟ ( ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନ )ରେ ରହିଆସୁଥିବା ବେଳେ ଜଣେ ଝିଅ ପାରଳାଖେମୁଣ୍ଡିର ନବଜୀବନ ବ୍ଲାଇଣ୍ଡ୍ ଆଣ୍ଡ୍ ରିଲିଫ ସେଂଟରରେ ରହିଆସୁଛନ୍ତି ।

ଗଜପତି ଜିଲ୍ଲାପାଳ ପିଲାଙ୍କୁ ଭେଟି ମିଠା ବାଂଟିବା ସହ ସେମାନଙ୍କ ସହ ମିଶି ମିଠା ଖାଇଥିଲେ । ପରେ ସେମାନଙ୍କ ସହ କ୍ରିକେଟ ଓ ବ୍ୟାଡମିଂଟନ ଖେଳିଥିଲେ ।

ପ୍ରତି ପିଲାଙ୍କ ଭଲମନ୍ଦ ବୁଝିବା ସହ ପାଠପଢା ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବାକୁ ସେ ପରାମର୍ଶ ଦେଇଥିଲେ । ତିତିଲି ବାତ୍ୟାରେ ଅନାଥା ହୋଇଯାଇଥିବା ସୀମାଚଂଳ ଶବର ଓଡିଶା ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଦେଇ ସିଟ୍ ପାଇଥିବା ଶୁଣି ଖୁସି ପ୍ରକାଶ କରିଥିଲେ ଜିଲ୍ଲାପାଳ । ପିଲାମାନଙ୍କ ପାଇଁ ବିଭିନ୍ନ ଖେଳ ସାମଗ୍ରୀ , ସୋଲାର ଲାଇଟ୍ ଯୋଗାଣ କରିବା ସହ ଆବଶ୍ୟକ ଥିବା ପାଚେରୀ ତିଆରି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲାପାଳ ।

Comments are closed.