ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଦଣ୍ଡନାଚ : ଶିବଶକ୍ତି ଆରାଧନାର ଅପୂର୍ବ ସମନ୍ୱୟ

ସୁଶାନ୍ତ କୁମାର ମହାରଣା 

ଓଡ଼ିଶାରେ ବିଭିନ୍ନ ଲୋକନାଟକ ମଧ୍ୟରୁ ଦଣ୍ଡନାଚ ଅନ୍ୟତମ । ଦଣ୍ଡନାଚ ଓଡ଼ିଶାର ଗଂଜାମ ଜିଲ୍ଲାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଦଣ୍ଡନାଚ ଧର୍ମୀୟ ଭାବନା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ଜିଲ୍ଲାର ବହୁ ବରିଷ୍ଠ ବ୍ୟକ୍ତିଙ୍କ କହିବା ଅନୁଯାୟୀ ଦଣ୍ଡନାଚ ସର୍ବ ପ୍ରଥମେ କୁଲାଗଡ଼ଠାରୁ ଉତ୍ପତ୍ତି ହେଇଥିଲ। କୁଲାଗଡ଼ରୁ ଆରମ୍ଭ ହୋଇଥିବା ଦଣ୍ଡନାଚ ପରବର୍ତ୍ତୀ ସମୟରେ ଗଞ୍ଜାମର ଅନ୍ୟାନ୍ୟ ଅଞ୍ଚଳ ବିଶେଷ କରି ଶକ୍ତିପୀଠକୁ ପ୍ରସାରିତ ହୋଇଥିବା ଜଣାଯାଏ ।

ଆମେ ଛୋଟବେଳୁ ଦେଖିଆସୁଛୁ ଖରାଦିନ ଆରମ୍ଭରେ ହେଉଥିବା ଦଣ୍ଡନାଚ ସମଗ୍ର ଜିଲ୍ଲାରେ ସୃଷ୍ଟି କରେ ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶ । ଦଣ୍ଡନାଚରେ ଉଭୟ ଭଗବାନ ଶିବ ଓ ମା କାଳୀଙ୍କୁ ଉପାସନା କରାଯାଏ। ଏହା ଚୈତ୍ରମାସ ପୂର୍ଣ୍ଣିମା ପରଠାରୁ ୨୧, ୧୮ ବା ୧୩ ଦିନ ଧରି ହୋଇଥାଏ । ଦଣ୍ଡନାଚ ଶେଷଦିନକୁ ମେରୁ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି କୁହାଯାଏ । ରୋଗ ବଇରାଗ ନିବାରଣ, ପାରିବାରିକ କଷ୍ଟ ଦୂରୀକରଣ, କୃଷିର ଉନ୍ନତି ଓ ମନସ୍କାମନା ପୂରଣ ପାଇଁ ଶରୀରକୁ କଷ୍ଟ ଦେଇ ମା’ ଦଣ୍ଡକାଳୀ ଓ ରୁଦ୍ର ମହାଦେବଙ୍କୁ ଆରାଧନା କରି ରହିଥାନ୍ତି ମାନସିକଧାରୀ ଭକ୍ତଗଣ । ପାରମ୍ପରିକ ବିଧି ଅନୁସାରେ ୨୧ ଦିନ ଯାଏଁ ଆମିଷ, ମଦ୍ୟ, ନାରୀସଂସର୍ଗ ପରିହାରର ସଂକଳ୍ପ କରି ୧୩ ଜଣ ଦଣ୍ଡୁଆ ବା ଭୋକ୍ତା ଗେରୁଆ ବସ୍ତ୍ର ପିନ୍ଧି ମନ୍ଦିର ପୀଠରେ ଯାତ୍ରା ଆରମ୍ଭ ଦିନର ମଧ୍ୟରାତ୍ରରେ ଏକାଠି ହୁଅନ୍ତି। କାମନା ଘଟ ସ୍ଥ।ପିତ ହୁଏ ଓ ତା ପରେ ଦୁଇଟି ବେତକୁ ଶିବ ଓ ଗୌରୀଙ୍କ ପ୍ରତୀକରୂପେ ସ୍ଥାପନ କରାଯାଏ । ଦଳର ମୁଖ୍ୟ ପାଟ ଦଣ୍ଡୁଆ ଓ ଅନ୍ୟ ଦଣ୍ଡୁଆମାନେ ଉପବୀତ ଧାରଣ ପୂର୍ବକ ବାଉଁଶକାଠକୁ ଘର୍ଷଣ କରି ଶିବାଗ୍ନି ବାହାର କରନ୍ତି ଓ ଏଥିରେ ନଡାରେ ତିଆରି ଚମ୍ପାବରକୁ ପ୍ରଜ୍ଜ୍ୱଳିତ କରାଯାଏ ଯାହା କି ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଜଳୁଥାଏ । ମା କାଳୀଙ୍କ ଚିତ୍ରପଟ, ମହାଦେବଙ୍କ ପ୍ରତୀକ ନାଗ ମୂର୍ତ୍ତି, ମୟୁରପୁଚ୍ଛ, ପତାକା ଆଦି ପୂଜାପରେ ଦଣ୍ଡନାଚ ଆରମ୍ଭ ହୁଏ। ଢୋଲ, ମହୁରୀ, ସାହାନାଇ, ଘଣ୍ଟ, ଶଙ୍ଖ,କାହାଳୀ, ଗିନି, ଘୁଙ୍ଗୁର, ଦାସକାଠିଆ, ରାମତାଳି, ଘୁଡୁକୀ, ଖଞ୍ଜଣୀ ପ୍ରଭୃତି ପାରମ୍ପରିକ ବାଦ୍ୟର ତାଳେ ତାଳେ ଦଣ୍ଡନାଚ ପ୍ରଥମେ କାମନା ମନ୍ଦିର ପରିସରରେ ଆରମ୍ଭ ହୋଇ ପରେ ମାନସିକଧାରୀ ଭକ୍ତମାନଙ୍କ ଘର ସମ୍ମୁଖରେ ଅନୁଷ୍ଠିତ ହୋଇଥାଏ। ଧୂଳିଦଣ୍ଡ, ପାଣିଦଣ୍ଡ ଏବଂ ଅଗ୍ନିଦଣ୍ଡ-ଏହି ତିନି କ୍ରମରେ ଦଣ୍ଡନାଟ ପ୍ରଦର୍ଶିତ ହୁଏ।

ଦିନ ଦିପହରରେ ଧୂଳିଦଣ୍ଡ ପରିବେଷଣରେ ଜଣେ କୃଷକ ପରିବାରର ନିଛକ କାହାଣୀକୁ ହସମଜାରେ ପ୍ରଚଣ୍ଡ ଖରାତାତିରେ ପ୍ରଦର୍ଶନ କରାଯାଏ । ଧୂଳି ଦଣ୍ଡ ପରେ ଆରମ୍ଭ ହୁଏ ପୋଖରୀ କିମ୍ବା ନଦୀରେ ପାଣି ଦଣ୍ଡ । ଛଅ ଆଙ୍ଗୁଳି ଲମ୍ବର ଆମ୍ବ ଡାଳରେ ଦାନ୍ତ ଘସି ସ୍ନାନ କରିବ। ପରେ ତେରଥର ବୁଡ଼ି ତେର ଆଞ୍ଜୁଳ। ପାଣି ଆଣି ଦଣ୍ଡୁଆମାନେ ଶିବଲିଙ୍ଗ ସ୍ଥାପନା କରନ୍ତି। ତା ପରେ ବିଭିନ୍ନ ଉପଚାରରେ ପୂଜାର୍ଚ୍ଚନା ହୁଏ । ପଣା ଏବଂ ଲିଆଖଇର ପ୍ରସାଦ ପାଇ ଦଣ୍ଡୁଆମାନେ କିଛି ସମୟ ବିଶ୍ରାମ ନିଅନ୍ତି।
ସନ୍ଧ୍ୟାରେ ଆଳତୀ ହୁଏ। ସନ୍ଧ୍ୟା ଆଳତୀରେ ଯୋଗଦେଇ ଲୋକେ ନିଜର ଅପରାଧ କ୍ଷମା ପାଇଁ ପ୍ରାର୍ଥନା କରିଥାନ୍ତି। ଦଣ୍ଡୁଆଙ୍କ ଦେହରେ ମା କାଳୀ ବିରାଜନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି। ଅରୁଆ ଚାଉଳ, ମୁଗ ଡାଲି ଓ ପରିବାକୁ ମିଶାଇ ଅକଟା, ଅଫୁଟା ହବିଷାନ୍ନ ପ୍ରସ୍ତୁତ କରାଯାଏ ଯାହା କାଳୀଙ୍କ ପାଖରେ ଭୋଗ ଲଗଯାଏ। ପରେ ମଧ୍ୟରାତ୍ରରେ ଦଣ୍ଡୁଆମାନେ ମା ଙ୍କ ପ୍ରିୟ ଢୋଲ, ଗିନି ଓ ଘଣ୍ଟର ତାଳେତାଳେ ଭୋଜନ କରନ୍ତି । ରାତ୍ରି ଭୋଜନପରେ ଦଣ୍ଡୁଆମାନେ ମାନସିକଧାରୀଙ୍କ ଘର ସମ୍ମୁଖରେ ଢୋଲ, ଗିନି ଓ ଘଣ୍ଟର ନାଦରେ ମା କାଳିଙ୍କ ପରଭା ଧରି ପାଟ ଭୋକ୍ତା ଅଗ୍ନିଦଣ୍ଡରେ ମାଙ୍କୁ ପ୍ରସନ୍ନ କରି ମାନସିକଧାରିଙ୍କ ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରନ୍ତି ।

ଦଣ୍ଡୁଆଙ୍କ ପରି ମାନସିକଧାରୀ ପରିବାରର ସଦସ୍ୟମାନେ ମଧ୍ୟ ନିଷ୍ଠାର ସହ ଉପବାସ ରହି ଏହି ବ୍ରତକୁ ପାଳନ କରିଥାନ୍ତି । ଆହୁରି ମଧ୍ୟ ଦେଖିବାକୁ ମିଳୁଛି ଯେ ଘରଠାରୁ ଦୁରରେ ଥିବା ଅନ୍ୟ ସଦସ୍ୟ କିମ୍ବା ବନ୍ଧୁବାନ୍ଧବମାନେ ଏଥିରେ ସାମିଲ ହେବାକୁ ବାହାର ରାଜ୍ୟରୁ ଆସିଥାନ୍ତି ।

ବହୁବର୍ଷ ପୂର୍ବରୁ ରାତ୍ରି ସମୟରେ ମନୋରଂଜନ ପାଇଁ ବିଭିନ୍ନ ପୈାରାଣିକ ନାଟକ ପରିବେଷଣ କରାଯାଉଥିଲା । ତାହା ମଧ୍ୟରେ ରାମାୟଣର ବିଭିନ୍ନ ବିଷୟବସ୍ତୁ ଉପରେ ନାଟକ ଦେଖିବାକୁ ଲୋକଙ୍କ ଭିଡ ଜମୁଥିଲା । ସେଥରେ ହନୁମାନ ଭୁମିକାରେ ଅଭିନୟ କରୁଥବା କଳାକାରଙ୍କ ଚିତ୍ତାକର୍ଷକ ଅଭିନୟ ସମସ୍ତଙ୍କୁ ରୋମାଂଚିତ କରୁଥିଲା । ବହୁ ଯାଗାରେ ଦେଖିବାକୁ ମିଳୁଥିଲା ପଞ୍ଚୁଦଣ୍ଡ ଯାତ୍ରା ।

କିନ୍ତୁ ଗତ କିଛି ବର୍ଷ ହେବ ରାତିରେ ସାମାଜିକ ନାଟକ ବା ଅପେରା ପରିବେଷିତ ହେଉଛି । ବହୁ ବାଧାବିଘ୍ନ ସତ୍ତ୍ଵେ ଲୋକଙ୍କୁ ବାନ୍ଧି ରଖିବାକୁ ଚେଷ୍ଠା କରୁଥିବା ସାମାଜିକ ନାଟକ ଗତ ବର୍ଷ ଠାରୁ ମହାମାରୀ କରୋନାର ଭୟରେ ବନ୍ଦ ରହିଛି । ଗତବର୍ଷ କରୋନା କାଳରେ ପ୍ରଶାସନର ବାରଣ ପରେ ସବୁ ଯାନିଯାତ୍ରା ସହ ଦଣ୍ଡନାଚ ମଧ୍ୟ ବନ୍ଦ ରହିଥିଲା । କିନ୍ତୁ ଚଳିତ ବର୍ଷ ପରମ୍ପରାକୁ ବଜାୟ ରଖବାକୁ ବହୁ କଟକଣା ଭିତରେ ଚାଲିଛି ମାଆଙ୍କ ଦଣ୍ଡନାଚ ।

Comments are closed.