ଚିଫ୍ସ ଅଫ୍ ଷ୍ଟାଫ୍ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ଜେନେରାଲ ଏମ୍ଏମ୍ ନରାବଣେ

ନୂଆଦିଲ୍ଲୀ: ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାବଣେ ଚିଫ୍ସ ଅଫ୍ ଷ୍ଟାଫ୍ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେନାବାହିନୀର ତିନି ବିଭାଗର ମୁଖ୍ୟମାନଙ୍କ ମଧ୍ୟରେ ଯିଏ ବରିଷ୍ଠ ତାଙ୍କୁ ଏହି ଦାୟିତ୍ୱ ଦିଆଯାଏ | ଏହାପୂର୍ବରୁ ଏହି ଦାୟିତ୍ବ ଦିବଂଗତ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସହ ଥିଲା । ତେବେ ଡିସେମ୍ବର ୮ରେ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ରାୱତଙ୍କ ମୃତ୍ୟୁ ପରେ ଜେନେରାଲ ନରାବଣେ ତିନି ସେନା ମୁଖିଆଙ୍କ ମଧ୍ୟରେ ସିନିୟର ଭାବେ ଏହି ଦାୟିତ୍ବ ପାଇଛନ୍ତି।ସେନାର ଅନ୍ୟ ଦୁଇଟି ଅଙ୍ଗର ପ୍ରମୁଖ ତଥା ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀ ଏବଂ ନୌସେନା ମୁଖ୍ୟ ଆର. ହରି କୁମାର ବୟସରେ ଅପେକ୍ଷାକୃତ ଜୁନିଅର । ତେଣୁ ଉଭୟ ଏହି ପଦବୀରେ ରହିପାରିବେ ନାହିଁ।

ଡିସେମ୍ବର ୨୦୧୯ରେ ଯେତେବେଳେ ସିଡିଏସ୍ ପଦବୀ ପାଇଁ ସରକାର ପ୍ରଥମେ ଜେନେରାଲ୍ ରାୱତଙ୍କ ନାମ ଘୋଷଣା କଲେ, ସେତେବେଳେ ସିଡିଏସ୍ ସହ
ଚିଫ୍ସ ଅଫ୍ ଷ୍ଟାଫ୍ କମିଟିର ଅଧ୍ୟକ୍ଷ ପଦ ମଧ୍ୟ ଜେନେରାଲ୍ ବିପିନ ରାୱତଙ୍କ ନିକଟକୁ ଯାଇଥିଲା। ତେବେ ଏହାପୂର୍ବରୁ ସେନାର ତିନୋଟି ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ତିନି ସେନାରେ ମୁଖ୍ୟଙ୍କ କମିଟିର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ। ସେହି ସମୟରେ ତିନିଜଣ ମୁଖିଆଙ୍କ ମଧ୍ୟରେ ସିନିୟର ଏହି ପଦବୀରେ ରହିଆସୁଥିଲେ। ବର୍ତ୍ତମାନ ସିଡିଏସ୍ ପଦବୀ ଖାଲି ଥିବାରୁ ପୁରୁଣା ପରମ୍ପରା ପୁନଃ ସ୍ଥାପିତ ହୋଇଛି, ଯାହାଫଳରେ ସେନା ମଧ୍ୟରେ ପାରସ୍ପରିକ ସମନ୍ୱୟ ରକ୍ଷା କରିବାରେ କୌଣସି ଅସୁବିଧା ହେବ ନାହିଁ।

ସରକାର ଖୁବ୍ ଶୀଘ୍ର ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ନିଯୁକ୍ତ କରିବାର ପ୍ରକ୍ରିୟା ଆରମ୍ଭ କରିବେ ଏବଂ ଏହି ଶୀର୍ଷ ପଦବୀ ପାଇଁ ସେନା ମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରାବଣେ ସର୍ବାଗ୍ରେ ରହିଛନ୍ତି |

Comments are closed.