କ୍ରିକେଟର ସବୁ ଫର୍ମାଟରୁ ହରଭଜନ ସିଂଙ୍କ ଅବସର

ନୂଆଦିଲ୍ଲୀ: ଭେଟେରାନ ଅଫ୍ ସ୍ପିନର ହରଭଜନ ସିଂ ଶୁକ୍ରବାର କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଟ୍ୱିଟର ମାଧ୍ୟମରେ ହରଭଜନ ସିଂ ଅବସର ଘୋଷଣା କରିଛନ୍ତି। ଏହା ସହିତ ତାଙ୍କର ୨୩ ବର୍ଷର କ୍ୟାରିଅର୍ ଶେଷ ହୋଇଛି |

ପରବର୍ତ୍ତୀ ଆଇପିଏଲ୍ ସିଜନ୍ ପାଇଁ ହରଭଜନ ସିଂ କୋଚ୍ କିମ୍ବା ପରାମର୍ଶଦାତା ଭାବେ କୌଣସି ଦଳରେ ଯୋଗ ଦେଇପାରନ୍ତି | ୟୁଏଇ ବିପକ୍ଷରେ ୨୦୧୬ ଏସିଆ କପ୍ ଟି-୨୦ରେ ହରଭଜନ ସିଂ ଭାରତ ପାଇଁ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ | ଗତ ଆଇପିଏଲ୍ ସିଜନରେ ହରଭଜନ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ |

ଅଫ୍ ସ୍ପିନର ହରଭଜନ ସିଂ ଗତ ଆଇପିଏଲରେ ମାତ୍ର ୩ଟି ମ୍ୟାଚ୍ ଖେଳିଥିଲେ , କିନ୍ତୁ ଗୋଟିଏ ବି ଓ୍ବିକେଟ୍ ପାଇନଥିଲେ। ଖବର ଅନୁଯାୟୀ, ହରଭଜନ ସିଂ ଯେକୌଣସି ଆଇପିଏଲ୍ ଦଳ ସହିତ କୋଚ୍ କିମ୍ବା ମେଣ୍ଟର ଭୂମିକା ଗ୍ରହଣ କରିପାରନ୍ତି। ଏହାଛଡ଼ା ସେ ଆଇପିଏଲର ମେଗା ନିଲାମରେ ସମ୍ପୃକ୍ତ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସମ୍ଭାବନା ରହିଛି | ହରଭଜନ ପୂର୍ବରୁ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ।

ଟର୍ବନେଟର ଭାବରେ ଜଣାଶୁଣା ହରଭଜନ ସିଂ ଭାରତର ଅନ୍ୟତମ ମହାନ ବୋଲର୍ | ହରଭଜନ ତାଙ୍କ ବୋଲିଂ ଦ୍ବାରା ଟିମ୍ ଇଣ୍ଡିଆକୁ ଅନେକ ମ୍ୟାଚ୍ ଜିତାଇଛନ୍ତି | ୨୦୦୧ରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଐତିହାସିକ ଟେଷ୍ଟ ମ୍ୟାଚରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ହ୍ୟାଟ୍ରିକ୍ ନେଇଥିଲେ। ସେହି ସମୟରେ ହରଭଜନଙ୍କୁ ମାତ୍ର ୨୧ ବର୍ଷ ବୟସ ହୋଇଥିଲା। ଏବଂ ସେହି ମ୍ୟାଚ୍ ପରେ ହରଭଜନ ସିଂ ଟିମ୍ ଇଣ୍ଡିଆର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିଲେ |

ଲେଗ୍ ସ୍ପିନର ଅନିଲ କୁମ୍ବଲେଙ୍କ ସହିତ ତାଙ୍କର ଯୋଡି ଟିମ୍ ଇଣ୍ଡିଆକୁ ଅନେକ ସ୍ମରଣୀୟ ବିଜୟ ଦେଇଛି | ୨୦୦୦ ରୁ ୨୦୧୦ ପର୍ଯ୍ୟନ୍ତ ହରଭଜନ ସିଂ ଏବଂ ଅନିଲ କୁମ୍ବଲେଙ୍କ ଯୋଡି ଭାରତୀୟ ସ୍ପିନ୍‌ ବୋଲିଂର ଦାୟିତ୍ବ ସମ୍ଭାଳିଥିଲେ ।

ହରଭଜନ ସିଂଙ୍କ ଆନ୍ତର୍ଜାତୀୟ କ୍ୟାରିୟର:

ମୋଟ ଟେଷ୍ଟ: ୧୦୩, ୱିକେଟ୍: ୪୧୭
ମୋଟ ଦିନିକିଆ: ୨୩୬, ୱିକେଟ୍: ୨୬୯
ମୋଟ ଟି-୨୦: ୨୮, ୱିକେଟ୍: ୨୫

Comments are closed.