ରେଲୱେ ଟ୍ରାକ୍‌ରୁ ମିଳିଲା ନାବାଳିକା ଦୁଷ୍ମର୍ମ ଓ ହତ୍ୟା ଅଭିଯୁକ୍ତର ମୃତଦେହ, ଏନକାଉଣ୍ଟର କରିବାକୁ ଧମକ ଦେଇଥିଲେ ତେଲେଙ୍ଗାନା ମନ୍ତ୍ରୀ

ହାଇଦ୍ରାବାଦ: ଏକ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯୁବକର ମୃତଦେହ ଏକ ରେଳୱେ ଟ୍ରାକରୁ ମିଳିଛି । ଉକ୍ତ ଜଘନ୍ୟ ଘଟଣା ପରଠୁ ଅଭିଯୁକ୍ତ ଫେରାର ଥିଲା । ତେଲେଙ୍ଗାନା ପୋଲିସ୍ ତା’ ସମ୍ପର୍କରେ ସୂଚନା ଦେବା ପାଇଁ ୧୦ ଲକ୍ଷ ପୁରସ୍କାର ଘୋଷଣା କରିଥିଲେ । ତେବେ ଆଜି ସକାଳେ ଅଭିଯୁକ୍ତର ମୃତଦେହ ରେଳୱେ ଟ୍ରାକରୁ ମିଳିବା ଘଟଣାକୁ ନୂଆ ମୋଡ଼ ଦେଇଛି । ଦୁଇ ଦିନ ତଳେ ତେଲେଙ୍ଗାନାର ଜଣେ ମନ୍ତ୍ରୀ ଅଭିଯୁକ୍ତକୁ ଏନକାଉଣ୍ଟର କରାଯିବ ବୋଲି କହିଥିଲେ । ଅଭିଯୁକ୍ତ ଆତ୍ମହତ୍ୟା କରିଛି ନା ଏହା ଏକ ଦୁର୍ଘଟଣା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ୍ କହିଛି ଯେ, ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲା ।
ତେଲେଙ୍ଗାନା ପୋଲିସ୍ ମହାନିର୍ଦ୍ଦେଶକ ଅଭିଯୁକ୍ତର ମୃତଦେହ ରେଳୱେ ଟ୍ରାକ୍‌ରୁ ମିଳିଥିବା ସ୍ପଷ୍ଟ କରିଛନ୍ତି । ମଙ୍ଗଳବାର ତେଲେଙ୍ଗାନା ମନ୍ତ୍ରୀ ମାଲ୍ଲା ରେଡ୍ଡୀ କହିଥିଲେ ଯେ, ଅଭିଯୁକ୍ତକୁ ଧରି ଏନକାଉଣ୍ଟ କରାଯିବ । ପୋଲିସ୍ ୩୦ ବର୍ଷୀୟ ଅଭିଯୁକ୍ତ ପାଲ୍ଲାକୋଣ୍ଡା ରାଜୁକୁ ଧରିବା ପାଇଁ ତାର ଫଟୋ ଜାରି କରିଥିଲା । ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେବା ପାଇଁ ୧୦ ଲକ୍ଷ ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା ।

ହାଇଦ୍ରାବାଦର ସାବାସବାଦ ଅଞ୍ଚଳର ସିଙ୍ଗାରେନି କଲୋନିରେ ଗତ ରବିବାର ଏକ ୬ ବର୍ଷ ଝିଅର ମୃତଦେହ ତାର ପଡ଼ୋଶୀ ରାଜୁର ଘରୁ ମିଳିଥିଲା । ଝିଅର ମୃତଦେହକୁ ବେଡ୍ ସିଟ୍‌ରେ ଘୋଡ଼ାଇ ରଖାଯାଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟରେ ଝିଅଟିକୁ ଦୁଷ୍କର୍ମ କରାଯାଇଥିବା ଓ ତଣ୍ଟି ଚିପି ହତ୍ୟା କରାଯାଇଥିବା କୁହାଯାଇଥିଲା । ଏହି ଘଟଣାକୁ ନେଇ ସମଗ୍ର ହାଇଦ୍ରାବାଦରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଥିଲା ।

Comments are closed.