ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ ବାୟୁସେନା ଯବାନ ଗିରଫ, ଆଇଏସ୍ଆଇ ହନିଟ୍ରାପରେ ଫସି ସମ୍ବେଦନଶୀଳ ତଥ୍ୟ ଯୋଗାଉଥିଲେ

ନୂଆଦିଲ୍ଲୀ: ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ବାୟୁସେନାର ଜଣେ ଯବାନଙ୍କୁ ଗିରଫ କରିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ନାମ ଦେବେନ୍ଦ୍ର ଶର୍ମା । ଦେବେନ୍ଦ୍ର ଶର୍ମାଙ୍କୁ ହନିଟ୍ରାପରେ ଫସାଇ ବାୟୁସେନା ସହ ଜଡିତ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଯବାନ ଜଣଙ୍କୁ ରାଡାର୍ ନିୟୋଜିତ ହୋଇଥିବା ସ୍ଥାନ ଏବଂ ବାୟୁସେନାର ବରିଷ୍ଠ ଅଧିକାରୀମାନଙ୍କ ନାମ ଓ ଠିକଣା ମଗାଯାଇଥିଲା ।

ଗୁଇନ୍ଦା ସଂସ୍ଥାର ସୂଚନା ଆଧାରରେ ମେ ୬ରେ ପୋଲିସ ଅଭିଯୁକ୍ତ ଦେବେନ୍ଦ୍ର ଶର୍ମାଙ୍କୁ ଧୌଲାକୂଆଁରୁ ଗିରଫ କରିଥିଲା। ଦେବେନ୍ଦ୍ର ଶର୍ମା ମୂଳତଃ କାନପୁରର ବାସିନ୍ଦା। ଅତୀତରେ ସେ ଫେସବୁକରେ ଏକ ମହିଳା ପ୍ରୋଫାଇଲ୍ ସହିତ ବନ୍ଧୁତା କରିଥିଲେ, ଯାହା ପରେ ଉଭୟଙ୍କ ମଧ୍ୟରେ ମୋବାଇଲ୍ ନମ୍ବର ଦିଆନିଆ ହୋଇଥିଲା | ଉକ୍ତ ମହିଳା ଜଣକ ମୋବାଇଲରେ ଅଭିଯୁକ୍ତ ଦେବେନ୍ଦ୍ର ଶର୍ମାଙ୍କ ସହ କଥା ହେଉଥିଲେ। ଯେଉଁ ନମ୍ବରରେ ମହିଳା ଜଣକ ଦେବେନ୍ଦ୍ରଙ୍କ ସହ କଥା ହେଉଥିଲେ ତାହା ଭାରତୀୟ ମୋବାଇଲ କମ୍ପାନୀର ଥିଲା ।

ଯବାନଙ୍କୁ ଗିରଫ କରିବା ପରେ ପୋଲିସ ସେହି ଫେସବୁକ ପ୍ରୋଫାଇଲ କାହାର ଥିଲା ସେନେଇ ଯାଞ୍ଚ୍ କରୁଛି | ଏହି କାର୍ଯ୍ୟରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଜଡିତ ଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପୋଲିସ କିଛି ସନ୍ଦେହଜନକ କାରବାର ହୋଇଥିବା ଜାଣିବାକୁ ପାଇଛି ।

Comments are closed.