ଜି-୨୩ ନେତାଙ୍କୁ ସୋନିଆଙ୍କ ସନ୍ଦେଶ – ମୁଁ ହିଁ କଂଗ୍ରେସର ସ୍ଥାୟୀ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର ଅସନ୍ତୁଷ୍ଟ ଜି-୨୩ ନେତାମାନଙ୍କୁ ଏକ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ସୋନିଆ କହିଛନ୍ତି ଯେ, ସେ ହିଁ ଦଳର ସ୍ଥାୟୀ ଅଧ୍ୟକ୍ଷ। ତେଣୁ ନେତାଙ୍କୁ ଗଣମାଧ୍ୟମ ଜରିଆରେ ମୋ’ ସହ କଥାବାର୍ତ୍ତା କରିବା ଆବଶ୍ୟକତା ନାହିଁ। ଉଲ୍ଲେଖଯୋଗ୍ୟ ଯେ ଜି-୨୩ ହେଉଛି ୨୩ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ଗୋଷ୍ଠୀ ଯେଉଁମାନେ ଗତ ବର୍ଷ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି କଂଗ୍ରେସର ନେତୃତ୍ବ ପରିବର୍ତ୍ତନ ଏବଂ ପୂର୍ଣ୍ଣକାଳୀନ ତଥା ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ କରିବାକୁ ଦାବି କରିଥିଲେ।

କଂଗ୍ରେସର ଜି-୨୩ ମଧ୍ୟରେ ଆନନ୍ଦ ଶର୍ମା, କପିଲ ସିବଲ ଏବଂ ଗୁଲାମ ନବୀ ଆଜାଦଙ୍କ ଭଳି ବରିଷ୍ଠ ନେତା ଅଛନ୍ତି। ନିକଟରେ ଏହି ଜି-୨୩ ନେତାମାନେ ପଞ୍ଜାବ ବିବାଦ ନେଇ ଦଳୀୟ ହାଇ କମାଣ୍ଡକୁ ଟାର୍ଗେଟ କରିଥିଲେ ।

ଅନ୍ୟପକ୍ଷରେ କଂଗ୍ରେସର ନୂଆ ଅଧ୍ୟକ୍ଷ ନିର୍ବାଚନ ଆସନ୍ତା ବର୍ଷ ସେପ୍ଟେମ୍ବରରେ ହେବ ବୋଲି କୁହାଯାଇଛି ।

ଲୋକଙ୍କ ଆସ୍ଥା ଓ ଭୋଟ୍ ଫେରିପାଇବା ପାଇଁ କାର୍ଯ୍ୟକାରିଣୀ ବୈଠକରେ ସୋନିଆ ଦଳୀୟ ନେତାଙ୍କୁ ଆହ୍ବାନ କରିଛନ୍ତି । ସେ କହିଛନ୍ତି ଯେ ସମଗ୍ର ସଂଗଠନ ଚାହୁଁଛି କଂଗ୍ରେସ ପୁଣିଥରେ ଛିଡ଼ା ହେଉ, କିନ୍ତୁ ଏଥିପାଇଁ ଏକତା ଏବଂ ଦଳର ସ୍ୱାର୍ଥକୁ ଉର୍ଦ୍ଧ୍ବରେ ରଖିବା ଆବଶ୍ୟକ। ଏହାଠୁ ଅଧିକ ଆବଶ୍ୟକତା ହେଉଛି ଆତ୍ମ ନିୟନ୍ତ୍ରଣ ଏବଂ ଅନୁଶାସନ |

Comments are closed.