ଆଜିଠାରୁ ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍

ସାଉଥମ୍ପଟନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଗୁରୁବାର ଠାରୁ ଏଠାରେ ଆରମ୍ଭ ହେଉଛି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପକୁ ଆଉ ମାତ୍ର ଦୁଇ ମାସ ରହିଥିବା ବେଳେ ଭାରତ ପରୀକ୍ଷା ନିରୀକ୍ଷା ବନ୍ଦ କରି ଏହି ମେଗା ଇଭେଣ୍ଟ ପାଇଁ ନିଜର ଶ୍ରେଷ୍ଠ ଟିମ୍ ଚୂଡ଼ାନ୍ତ କରିବା ଲକ୍ଷ୍ୟରେ ରହିଛି । ଇଂଲଣ୍ଡ ବିପକ୍ଷ ଏହି ସିରିଜରୁ ଏହି କାର୍ଯ୍ୟ ଆରମ୍ଭ ହେବ ।

କୋଭିଡ୍ ଆକ୍ରାନ୍ତ ହେବା ଯୋଗୁଁ ପଞ୍ଚମ ଟେଷ୍ଟରୁ ବଞ୍ଚିତ ହେବା ପରେ ଅଧିନାୟକ ରୋହିତ ଶର୍ମା ପ୍ରଥମ ଟି୨୦ ପାଇଁ ଭାରତୀୟ ଦଳ ସହ ସାଉଥମ୍ପଟନ୍ ଯାତ୍ରା କରିଛନ୍ତି । ସେ ଏହି ମ୍ୟାଚରେ ଖେଳିବେ ବୋଲି ଆଶା କରାଯାଉଛି । ପଞ୍ଚମ ଟେଷ୍ଟରେ ଖେଳିଥିବା ବିରାଟ କୋହଲି, ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଡେଜା, ଶ୍ରେୟସ ଆୟର ଓ ରିଷଭ ପନ୍ତ ଦ୍ୱିତୀୟ ଟି୨୦ରୁ ଉପଲବ୍ଧ ହେବେ । ଏହି ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତି ଋତୁରାଜ ଓ ସଞ୍ଜୁ ସାମସନଙ୍କ ଭଳି ରିଜର୍ଭ ଖେଳାଳିଙ୍କ ପାଇଁ ବିଶ୍ୱକପ ସମ୍ଭାବ୍ୟ ଦଳରେ ସ୍ଥାନ ପାଇବା ଲାଗି ଦାବି ଉପସ୍ଥାପନ କରିବାକୁ ସୁଯୋଗ ହେବ । ଆଘାତ ସମସ୍ୟା ଯୋଗୁଁ ଋତୁରାଜ ଆୟର୍ଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜରେ ଇଶାନ କିଶାନଙ୍କ ସହ ଇନିଂସ୍ ଓପନ କରିବା ସୁଯୋଗରୁ ବଞ୍ଚିତ ହୋଇଥିଲେ । ତାଙ୍କୁ ଏଯାବତ ମିଳିଥିବା ସୁଯୋଗର ସେ ଫାଇଦା ଉଠାଇ ପାରିନାହାଁନ୍ତି । ରୋହିତ ଫେରିଲେ ଋତୁରାଜଙ୍କୁ ପୁଣି ବେଞ୍ଚରେ ବସିବାକୁ ପଡ଼ିବ । ତେଣୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ରେ ସେ ବଡ଼ ସ୍କୋର କରିବା ଲକ୍ଷ୍ୟରେ ରହିବେ ।

ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱକପ୍ ପୂର୍ବରୁ ଭାରତ ପ୍ରାୟ ୧୫ଟି ଟି-୨୦ ମ୍ୟାଚ୍ ଖେଳିବ । ଇଂଲଣ୍ଡ ବିପକ୍ଷ ତିନୋଟି ମ୍ୟାଚ୍ ସହ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପାଞ୍ଚଟି ଟି୨୦ (ଜୁଲାଇ ୨୯-ଅଗଷ୍ଟ ୭), ଏସିଆ କପରେ ୫ଟି (ଅଗଷ୍ଟ-ସେପ୍ଟେମ୍ବର) ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଟି୨୦ (ସେପ୍ଟେମ୍ବର) ଖେଳିବା କାର୍ଯ୍ୟକ୍ରମ ରହିଛି ।

ଇଂଲଣ୍ଡ ସିରିଜରୁ ବିଶ୍ୱକପ୍ ପାଇଁ ଶ୍ରେଷ୍ଠ ଏକାଦଶ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହେବ । ଅନ୍ୟପକ୍ଷେରେ ଇୟନ ମୋର୍ଗାନଙ୍କ ଅବସର ପରେ ଏହି ସିରିଜରୁ ଇଂଲଣ୍ଡର ସୀମିତ ଓଭର ଦଳ ନୂଆ ଆରମ୍ଭ ହେବ । ମୋର୍ଗାନଙ୍କ ସ୍ଥାନରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ଜୋସ ବଟଲର ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଭାରତ ପାଇଁ ଆଶ୍ୱସ୍ତିକର ବିଷୟ ହେଉଛି ଏହି ତିନି ମ୍ୟାଚ୍ ଟି୨୦ ସିରିଜରୁ ପଞ୍ଚମ ଟେଷ୍ଟର ହିରୋ ଜନି ବେୟାରଷ୍ଟୋଙ୍କ ସହ ବେନ୍ ଷ୍ଟୋକ୍ସଙ୍କୁ ବିଶ୍ରାମ ଦିଆଯାଇଛି ।

Comments are closed.