ଟି-୨୦ ବିଶ୍ବକପରେ ଆଜି ଆଫଗାନିସ୍ତାନକୁ ଭେଟିବ ଭାରତ, କୋହଲିଙ୍କ ଦଳକୁ ଜରୁରୀ ବୃହତ୍ ବିଜୟ

ଆବୁଧାବି: ଭାରତ ବୁଧବାର ନିଜ ତୃତୀୟ ଗ୍ରୁପ୍‌-୨ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଠାରୁ ଶୋଚନୀୟ ପରାଜୟ ପରେ ଦଳର ସେମିଫାଇନାଲ ପଥ କଷ୍ଟକର ହୋଇଥିବା ବେଳେ ନିଜ ଅଭିଯାନକୁ ଟ୍ରାକକୁ ଆଣିବା ପାଇଁ ଭାରତକୁ ବୃହତ ବିଜୟ ଜରୁରୀ । ଏହାଛଡ଼ା କୋହଲିଙ୍କୁ ସଠିକ ଓ ସନ୍ତୁଳିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବାକୁ ପଡିବ । ଦଳ ଚୟନ କୋହଲିଙ୍କ ଅଧିନାୟକତ୍ୱର ଏକ ବଡ଼ ଦୁର୍ବଳତା ରହି ଆସିଛି । ଏଥିପାଇଁ ସେ ବହୁଥର ସମାଲୋଚିତ ହୋଇଛନ୍ତି । ପ୍ରଥମ ଦୁଇଟି ମ୍ୟାଚରୁ ବଞ୍ଚିତ ହେବା ପରେ ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସୁଯୋଗ ଦେବା ପାଇଁ ବିଚାର କରିପାରନ୍ତି କୋହଲି ।

ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଠାରୁ ଶୋଚନୀୟ ପରାଜୟ ପରେ ଭାରତର ଅଭିଯାନ ଲାଇନଚ୍ୟୁତ ହୋଇଯାଇଛି । ଭାରତ ଚଳିତ ବିଶ୍ୱକପରେ ଯେଉଁଭଳି ଦୁର୍ବଳ ପ୍ରଦର୍ଶନ କରିଛି ଦଳ ସେମିଫାଇନାଲରେ ସ୍ଥାନ ପାଇବାକୁ ଯୋଗ୍ୟ ନୁହେଁ ବୋଲି କୁହାଯାଇ ପାରିବ । ପ୍ରଥମେ ପାକିସ୍ତାନ ଓ ପରେ ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଭାରତର ଏକପ୍ରକାର ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଛି । ତଥାପି ଶେଷ-୪ରେ ପହଞ୍ଚିବା ପାଇଁ କୋହଲିଙ୍କ ଦଳ ପାଖରେ ସ୍ୱଳ୍ପ ଆଶା ରହିଛି । ଭାରତର ଏହି ଆଶା କେତେକ ଜଟିଳ ସମୀକରଣ ଓ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରୁଛି ।

ଭାରତକୁ ଏବେ ନିଜର ଅବଶିଷ୍ଟ ତିନୋଟି ମ୍ୟାଚ ବୃହତ ବ୍ୟବଧାନରେ ଜିତିବାକୁ ପଡ଼ିବ । ଭାରତ ଏହାର ବାକି ତିନୋଟି ମ୍ୟାଚ୍ ଆଫଗାନିସ୍ତାନ, ସ୍କଟଲାଣ୍ଡ ଓ ନାମିବ୍ୟା ବିପକ୍ଷରେ ଖେଳିବ । ଏହି ତିନୋଟି ମ୍ୟାଚରେ ବୃହତ ବ୍ୟବଧାନରେ ବିଜୟ ବ୍ୟତୀତ ଭାରତ ଚାହିଁବ ଯେ, ଆଫଗାନିସ୍ତାନ ଠାରୁ ନ୍ୟୁଜିଲାଣ୍ଡ ପରାସ୍ତ ହେଉ । ଏଭଳି ସମୀକରଣ ଯଦି ବାସ୍ତବତାର ରୂପ ନିଏ ତେବେ ଭାରତ ପାଇଁ ସେମିଫାଇନାଲ ଦ୍ୱାରା ଖୋଲିପାରେ ।

ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ଭାରତର ଅଭିଯାନ ସହଜ ହେବ ନାହିଁ । ସ୍କଟଲାଣ୍ଡ ଓ ନାମିବ୍ୟା ବିପକ୍ଷରେ ଦୁଇଟି ବଡ଼ ବିଜୟ ସହ ଆଫଗାନିସ୍ତାନ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛି । ପାକିସ୍ତାନକୁ ମଧ୍ୟ ଆଫଗାନିସ୍ତାନ ପାଣି ପିଆଇ ଦେଇଥିଲା । ମହମ୍ମଦ ନବୀ ଓ ରସିଦ ଖାନଙ୍କ ଭଳି ଅଭିଜ୍ଞ ଖେଳାଳି ଭାରତ ପାଇଁ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରି କୋହଳିଙ୍କ ଦଳର ଦୁର୍ଦ୍ଦଶା ବଢାଇ ପାରନ୍ତି ।

ଟି୨୦ ଅଧିନାୟକ ଭାବେ କୋହଲି ନିଜ ଶେଷ ତିନୋଟି ମ୍ୟାଚରେ ସଠିକ୍ ଏକାଦଶ ଚୟନ କରିବେ ବୋଲି ଆଶା କରାଯାଉଛି । ଅଶ୍ୱିନଙ୍କ ଉପରେ ସେ କଣ ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ରହିଲା । ଅଶ୍ୱିନଙ୍କୁ କୋହଲି କ୍ରମାଗତ ଅଣଦେଖା କରିଆସିଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ଅଶ୍ୱିନଙ୍କୁ ସୁଯୋଗ ଦେଇନଥିଲେ କୋହଲି । ଚାରି ବର୍ଷ ପରେ ସୀମିତ ଓଭର ଦଳକୁ ଫେରିବା ପରେ ମଧ୍ୟ ଚଳିତ ଟି୨୦ ବିଶ୍ୱକପରେ ଅଶ୍ୱିନ ପ୍ରଥମ ଦୁଇଟି ମ୍ୟାଚରୁ ବଞ୍ଚିତ ହୋଇଛନ୍ତି । ଅଶ୍ୱିନଙ୍କ ଭଳି ଜଣେ ଅଭିଜ୍ଞ ଓ ମ୍ୟାଚ୍ ବିଜେତା ବୋଲରଙ୍କୁ ଏକାଦଶରୁ ଜଣେ ଅଧିନାୟକ ଦୂରେଇ ରଖିବା ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ଅଶ୍ୱିନଙ୍କ ପରିବର୍ତ୍ତେ ବରୁଣ ଚକ୍ରବର୍ତ୍ତିଙ୍କ ଭଳି ଜଣେ ଅନଭିଜ୍ଞ ଓ ନବାଗତଙ୍କୁ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଇବା ନିଷ୍ପତ୍ତିର ଯଥାର୍ଥତା ବିଶେଷଜ୍ଞ ବୁଝିପାରିନଥିଲେ । କୋହଲିଙ୍କ ଏହି ରଣନୀତି ବୁମେରାଂ ସାବ୍ୟସ୍ତ ହୋଇଥିଲା । ବରୁଣ ଚକ୍ରବର୍ତ୍ତି ଦୁଇଟି ଯାକ ମ୍ୟାଚରେ ଅତ୍ୟଧିକ ମହଙ୍ଗା ସାବ୍ୟସ୍ତ ହୋଇଥିବା ବେଳେ ଗୋଟିଏ ବି ୱିକେଟ୍ ନେଇପାରିନଥିଲେ ।

ପ୍ରଥମ ଦୁଇ ମ୍ୟାଚରେ ଫ୍ଲପ୍ ସାବ୍ୟସ୍ତ ହୋଇଥିବା ଭାରତର ବ୍ୟାଟିଂ ଲାଇନ୍ ଅପ୍ ଆଫଗାନିସ୍ତାନ ବିପକ୍ଷରେ ପୁଣି ଏକ ଅଗ୍ନି ପରୀକ୍ଷାର ସାମ୍ନା କରିବ । ଆଫଗାନିସ୍ତାନରେ ରସିଦ୍ ଖାନ୍‌, ନବୀଙ୍କ ଭଳି ଷ୍ଟାର ସ୍ପିନର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇ ପାରନ୍ତି । ଏପରିକି ନ୍ୟୁଜିଲାଣ୍ଡ ସ୍ପିନରଙ୍କ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ସଂଘର୍ଷରୁ ଆଫଗାନିସ୍ତାନ ସ୍ପିନର ପ୍ରେରଣା ନେଇପାରନ୍ତି । ଯଦି ଆଫଗାନିସ୍ତାନ ବିପକ୍ଷରେ ଭାରତ ବିଜୟୀ ହୁଏ ତେବେ ଏଥିପାଇଁ କୌଣସି ଶ୍ରେୟ ମିଳିବ ନାହିଁ । ଯଦି କୋହଲିଙ୍କ ଦଳ ଏହି ମ୍ୟାଚରେ ବି ପରାସ୍ତ ହୁଏ, ତେବେ ଟିମ୍ ମ୍ୟାନେଜମେଣ୍ଟ ସହ ବିସିସିଆଇ ଉପରେ ଅଙ୍ଗୁଳି ଉଠିବା ନିଶ୍ଚିତ ।

Comments are closed.