ଟି୨୦ ବିଶ୍ୱକପରେ ଭାରତ ଟାଇଟଲ ଦାବିଦାର ବୋଲି କହିଲେ ଏହି ପାକ୍ କିମ୍ବଦନ୍ତୀ

ଲାହୋର: ୟୁଏଇ ଏବଂ ଓମାନରେ ଚାଲିଥିବା ଟି୨୦ ବିଶ୍ୱକପ୍ ଜିିିତିବା ପାଇଁ ଭାରତ ଟାଇଟଲ ଦାବିଦାର ବୋଲି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ୍ ହକ୍ କହିଛନ୍ତି । ଇଞ୍ଜାମାମ୍ କହିଛନ୍ତି ଯେ, ୟୁଏଇ ଏବଂ ଓମାନର ପରିବେଶ ଭାରତୀୟ ଉପମହାଦେଶ ଭଳି । ଏଭଳି ପରିବେଶରେ ବିରାଟ କୋହଲିଙ୍କ ଦଳ ସବୁଠୁ ବିପଜ୍ଜନକ ସାବ୍ୟସ୍ତ ହେବ ।
ଭାରତ ନିଜ ଅଭିଯାନ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ । ୨୦୧୯ ଦିନିକିଆ ବିଶ୍ୱକପ୍ ପରେ ଏହି ଦୁଇ ଏସୀୟ ପାୱାର ହାଉସ୍ ମୁହାଁମୁହିଁ ହେବେ । ଇଞ୍ଜାମାମ୍ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, କୌଣସି ଟୁର୍ଣ୍ଣାମେଣ୍ଟରେ ଏକ ନିର୍ଦ୍ଦିଷ୍ଟ ଦଳ ବିଜୟୀ ହେବ ବୋଲି କହିହେବ ନାହିଁ । ଟାଇଟଲ ଜିତିବା ପାଇଁ ସମ୍ପୃକ୍ତ ଦଳର କେତେ ସୁଯୋଗ ରହିଛି ତାହା କେବଳ ଆକଳନ କରାଯାଇ ପାରିବ । ମୋ ମତରେ ଚଳିତ ବିଶ୍ୱକପରେ ଭାରତ ଚାମ୍ପିୟନ ହେବା ସମ୍ଭାବନା ଅଧିକ । ବିଶେଷକରି ଏହି ପରିବେଶ ଭାରତ ଭଳି ଦଳକୁ ସୁହାଇବ । ଏହାଛଡ଼ା ସେମାନଙ୍କ ପାଖରେ ଅଭିଜ୍ଞ ଟି୨୦ ଖେଳାଳି ଅଛନ୍ତି ।

ବ୍ୟାଟରଙ୍କ ଅପେକ୍ଷା ଭାରତୀୟ ବୋଲରଙ୍କ ପାଖରେ ଏଭଳି ପରିବେଶରେ ଖେଳିବାର ଯଥେଷ୍ଟ ଅଭିଜ୍ଞତା ରହିଛି । ନିକଟରେ ୟୁଏଇରେ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଭାରତୀୟ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ ବୋଲି ଇଞ୍ଜାମାମ୍ କହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚରେ ଭାରତୀୟ ଦଳ ଯେଉଁଭଳି ଆତ୍ମବିଶ୍ୱାସର ସହ ବିଜୟଲକ୍ଷ୍ୟର ପିଛା କରିଥିଲା ସେନେଇ ମେନ୍ ଇନ୍ ବ୍ଲୁ’କୁ ଇଞ୍ଜାମାମ୍ ପ୍ରଶଂସା କରିଛନ୍ତି । କୋହଲି ସେହି ମ୍ୟାଚରେ ବ୍ୟାଟିଂ କରିନଥିଲେ ମଧ୍ୟ ଭାରତ ଅନାୟସେ ବିଜୟଲକ୍ଷ୍ୟ ହାସଲ କରିଥିଲା ବୋଲି ସେ କହିଛନ୍ତି ।

ୟୁଏଇ ଭଳି ପରିବେଶରେ ଭାରତ ସବୁଠୁ ବିପଜ୍ଜନକ ଟି୨୦ ଦଳ । ସେମାନେ ଏହି ମେଗା ଇଭେଣ୍ଟ ପାଇଁ ମୁଖ୍ୟ ଦାବିଦାର ବୋଲି ଇଞ୍ଜାମାମ୍ କହିଛନ୍ତି । ଭାରତ-ପାକିସ୍ତାନ ହାଇ ଭୋଲଟେଜ୍ ମ୍ୟାଚ୍ ଉପରେ ମଧ୍ୟ ମତ ଦେଇଛନ୍ତି ଇଞ୍ଜାମାମ୍ । ଏହି ମ୍ୟାଚ୍ କିଏ ଜିତିବ କହିବା କଷ୍ଟକର । କିନ୍ତୁ ଏହି ହେଭିୱେଟ୍ ମୁକାବିଲା ‘ଫାଇନାଲ ପୂର୍ବରୁ ଫାଇନାଲ’ ସଦୃଶ । ଏହି ମ୍ୟାଚ୍ ଯିଏ ଜିତିବ ସେହି ଦଳ ଉପରେ ଚାପ ୫୦% ଯାଏଁ କମିଯିବ ଏବଂ ସେହି ଦଳ ଅବଶିଷ୍ଟ ମ୍ୟାଚ୍ ଗୁଡିକରେ ଦୃଢ ଆତ୍ମବିଶ୍ୱାସର ସହ ପ୍ରଦର୍ଶନ କରିବ ବୋଲି ଏହି ପାକ୍ କିମ୍ବଦନ୍ତୀ କହିଛନ୍ତି ।

Comments are closed.