ହୁ’ର ମୁଖ୍ୟ ବୈଜ୍ଞାନିକଙ୍କ ଆକଳନ, ଭାରତରେ କରୋନା ରହିବ; ଶୀଘ୍ର ମିଳିବନି ମୁକ୍ତି

ନୂଆଦିଲ୍ଲୀ: ଭାରତରେ କରୋନା ସ୍ଥିତି ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମୁଖ୍ୟ ବୈଜ୍ଞାନିକ ଡ.ସୌମ୍ୟା ସ୍ୱାମୀନାଥନ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, କୋଭିଡ୍‌-୧୯ ଭାରତରେ ଏକପ୍ରକାର ଏଣ୍ଡେମିକ୍ ପର୍ଯ୍ୟାୟରେ ପହଞ୍ଚିଛି । ଭାରତରୁ ଏହି ରୋଗ ନିକଟ ଭବିଷ୍ୟତରେ ଯିବାର ସମ୍ଭାବନା ନାହିଁ । ଲୋକଙ୍କୁ କରୋନା ସହ ବଞ୍ଚିବାକୁ ପଡ଼ିବ ।

ଏଣ୍ଡେମିକ୍ ସ୍ଥିତି ହେଉଛି ଯେତେବେଳେ ସଂକ୍ରମଣ କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ସୀମିତ ରୁହେ ଏବଂ ଲୋକ ଏହି ରୋଗ ସହ ରହିବାକୁ ଅଭ୍ୟସ୍ତ ହୋଇଯାଆନ୍ତି । ଏଣ୍ଡେମିକ୍ ପର୍ଯ୍ୟାୟ ମହାମାରୀ ପର୍ଯ୍ୟାୟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମହାମାରୀ ପର୍ଯ୍ୟାୟରେ ଦେଶର ସମଗ୍ର ଜନସଂଖ୍ୟା ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ । ଏଣ୍ଡେମିକ୍ ପର୍ଯ୍ୟାୟରେ କେବଳ ନିମ୍ନ ଓ ମଧ୍ୟମ ସ୍ତରର ସଂକ୍ରମଣ ଦେଖିବାକୁ ମିଳେ ବୋଲି ସ୍ୱାମୀନାଥନ୍ କହିଛନ୍ତି ।
ଭାରତୀୟ ଟିକା ‘କୋଭାକ୍ସିନ’କୁ ଖୁବ୍ ଶୀଘ୍ର ହୁ’ର ସ୍ୱୀକୃତି ମିଳିବ ବୋଲି ମଧ୍ୟ ଡକ୍ଟର ସୌମ୍ୟା ସ୍ୱାମୀନାଥନ କହିଛନ୍ତି । ସମ୍ଭବତଃ ସେପ୍ଟେମ୍ବର ସୁଦ୍ଧା ଏହି ସ୍ୱଦେଶୀ ଟିକା ହୁ’ ତାଲିକାରେ ସାମିଲ ହେବ ବୋଲି ସେଚହିଛନ୍ତି ।

ନ୍ୟୁଜ୍ ୱେବସାଇଟ୍ ‘ଦି ୱାୟାର’ ପାଇଁ ବରିଷ୍ଠ ସାମ୍ବାଦିକ କରନ ଥାପ୍ପରଙ୍କ ସହ ଏକ ସାକ୍ଷାତକାର ବେଳେ ଡକ୍ଟର ସ୍ୱାମୀନାଥନ୍ କହିଥିଲେ ଯେ, ଭାରତର ଆକାର ଓ ଜନସଂଖ୍ୟାର ବିବିଧତା ଓ ରୋଗ ପ୍ରତିରୋଧକ ଶକ୍ତି ଦୃଷ୍ଟିରୁ ଦେଶର ବିଭିନ୍ନ ସ୍ଥାନରେ ସମ୍ଭବତଃ କରୋନା ସଂକ୍ରମଣର ଉତ୍‌ଥାନ-ପତନ ଲାଗି ରହିବ । ଭାରତରେ କୋଭିଡ୍‌-୧୯ ଏବେ ଏକପ୍ରକାର ଏଣ୍ଡେମିକ୍ ପର୍ଯ୍ୟାୟରେ ପହଞ୍ଚି ଯାଇଛି, ଯଦ୍ୱାରା ସଂକ୍ରମଣ ନିମ୍ନ ଓ ମଧ୍ୟମ ସ୍ତରରେ ରହିବ । କିଛି ମାସ ତଳେ ଯେଭଳି କୋଭିଡ୍ ମାମଲାର ବୃଦ୍ଧି ରେକର୍ଡ ହେଉଥିଲା ତାହା ଏବେ ଦେଖିବାକୁ ମିଳିନାହିଁ ।

ସ୍ୱାମୀନାଥନ୍ କହିଛନ୍ତି ଯେ, ୨୦୨୨ ଶେଷ ସୁଦ୍ଧା ଭାରତରେ ୭୦ ପ୍ରତିଶତ ଲୋକଙ୍କ ଟିକାକରଣ ହୋଇଯିବ ବୋଲି ଆଶା ରହିଛି । ଏହାପରେ ଦେଶରେ ସ୍ଥିତି ସ୍ୱାଭାବିକ ହୋଇପାରେ । ପିଲାମାନଙ୍କୁ କୋଭିଡ୍ ବିପଦ ସମ୍ପର୍କରେ ସେ କହିଛନ୍ତି ଯେ ଏନେଇ ବାପା-ମା’ଙ୍କୁ ଚିନ୍ତା କରିବାର କିଛି କାରଣ ନାହିଁ । ବିଭିନ୍ନ ଗବେଷଣା ଏବଂ ବିଭିନ୍ନ ଦେଶର ରିପୋର୍ଟରୁ ଆମେ ଯାହା ଲକ୍ଷ୍ୟ କରିଛୁ ପିଲାମାନ କରୋନା ସଂକ୍ରମିତ ହେଲେ ମଧ୍ୟ ଏହା ସେମାନଙ୍କ ପାଇଁ ସେତେ ଘାତକ ହୋଇନଥାଏ । ସୌଭାଗ୍ୟବଶତଃ କୋଭିଡ୍ ସଂକ୍ରମିତ ଅଧିକାଂଶ ପିଲା ଓ କିଶୋରଙ୍କ ଠାରେ କେବଳ ହାଲ୍‌କା ଲକ୍ଷଣ ଦେଖାଯାଇଛି ବୋଲି ସ୍ୱାମୀନାଥନ୍ କହିଛନ୍ତି ।

Comments are closed.