ଟି-୨୦ ବିଶ୍ୱକପ ପରେ ସୀମିତ ଓଭର ସିରିଜ୍ ପାଇଁ ନ୍ୟୁଜିଲାଣ୍ଡ ଯିବ ଭାରତ

ୱେଲିଂଟନ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଭାରତ ଚଳିତ ବର୍ଷ ଶେଷରେ ତିନୋଟି ଟି-ଟ୍ୱେଣ୍ଟି ଏବଂ ସମାନ ସଂଖ୍ୟକ ଦିନିକିଆ ଅନ୍ତର୍ଜାତିକୀ ଖେଳିବା ପାଇଁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ | ମଙ୍ଗଳବାର ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ (ଏନଜେଡସି) ଏହି ସୂଚନା ଦେଇଛି।

ନଭେମ୍ବର ୧୮ ରୁ ୩୦ ପର୍ଯ୍ୟନ୍ତ ଏହି ସିରିଜ୍ ଅନୁଷ୍ଠିତ ହେବ। ଏହା ପରେ ଆସନ୍ତା ବର୍ଷ ଜାନୁଆରୀରେ ନ୍ୟୁଜିଲ୍ୟାଣ୍ଡ ଦଳ ସୀମିତ ଓଭର ସିରିଜ୍ ପାଇଁ ଭାରତ ଆସିବ |

ଏନଜେଡସି ଏକ ବିଜ୍ଞପ୍ତିରେ କହିଛି, ବିଶ୍ୱକପ୍ ଶେଷ ହେବା ପରେ ଭାରତ ‘ବ୍ଲାକକ୍ୟାପ୍ସ’ (ନ୍ୟୁଜିଲ୍ୟାଣ୍ଡର ପୁରୁଷ କ୍ରିକେଟ୍ ଦଳର ଲୋକପ୍ରିୟ ନାମ) ବିପକ୍ଷରେ ୱେଲିଙ୍ଗଟନ୍, ତୌରଙ୍ଗା ଏବଂ ନାପିଏରରେ ତିନୋଟି ଟି-ଟ୍ୱେଣ୍ଟି ଏବଂ ଅକଲାଣ୍ଡରେ ତିନି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ ।

“ପରେ ବ୍ଲାକକ୍ୟାପ୍ ପାକିସ୍ତାନ ଗସ୍ତ ପାଇଁ ଏବଂ ଭାରତରେ ଏକ ସଂକ୍ଷିପ୍ତ ସିରିଜ୍ ପାଇଁ ଉପମହାଦେଶ ଗସ୍ତରେ ଯିବ । ଏବଂ ଫେବୃଆରୀ ପ୍ରାରମ୍ଭରେ ଘରକୁ ଫେରି ତୌରଙ୍ଗା (ଦିବାରାତ୍ର) ଏବଂ ୱେଲିଂଟନରେ ଇଂଲଣ୍ଡ ବିପକ୍ଷ ଦୁଇଟି ଟେଷ୍ଟ ପାଇଁ ପ୍ରସ୍ତୁତ ହେବ ବୋଲି ନ୍ୟୁଜିଲାଣ୍ଡ ବୋର୍ଡ କହିଛି।
ଭାରତ ଶୁକ୍ରବାର ଠାରୁ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟ ଖେଳିବ, ଯାହା ଗତ ବର୍ଷ ହେବାକୁ ଥିବା ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜର ଅବଶିଷ୍ଟ ଅଂଶ ଅଟେ। ଏହା ପରେ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଏବଂ ସମାନ ସଂଖ୍ୟକ ଦିନିକିଆ ଖେଳାଯିବ |

ଏହା ପରେ ଭାରତୀୟ ଦଳ ଜୁଲାଇ-ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇ ତିନି ଦିନିକିଆ ବିଶିଷ୍ଟ ସିରିଜ୍ ଏବଂ ପାଞ୍ଚଟି ଟି-୨୦ ଆନ୍ତର୍ଜାତୀୟ ସିରିଜ୍ ଖେଳିବ । ଏହି ଦୁଇ ସିରିଜ୍ ଟି-୨୦ ବିଶ୍ୱକପ ପୂର୍ବରୁ ହେବ।

୨୦୨୨-୨୩ ଘରୋଇ ସିଜନରେ ନ୍ୟୁଜିଲ୍ୟାଣ୍ଡ ଇଂଲଣ୍ଡ ବିପକ୍ଷରେ ଦିବାରାତ୍ର ଟେଷ୍ଟ ଖେଳିବ |

ଭାରତ ବ୍ୟତୀତ ପାକିସ୍ତାନ, ବାଂଲାଦେଶ, ଇଂଲଣ୍ଡ ଏବଂ ଶ୍ରୀଲଙ୍କା ପୁରୁଷ ଦଳ ଏବଂ ବାଂଲାଦେଶ ମହିଳା ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ।

ନ୍ୟୁଜିଲ୍ୟାଣ୍ଡର ମହିଳା ଦଳ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରିବା ପରେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବେ ଏବଂ ଫେରିବା ପରେ ବାଂଲାଦେଶକୁ ଟି-୨୦ ଏବଂ ଅନ୍ତର୍ଜାତୀୟ ଦିନିକିଆ ଆୟୋଜନ କରିବେ। ଏହା ପରେ ଦଳ ଜାନୁଆରୀରେ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯିବ ଯେଉଁଠାରେ ଆଇସିସି ମହିଳା ଟି-୨୦ ବିଶ୍ୱକପ ଖେଳାଯିବ।

Comments are closed.