ଖଲ୍ଲିକୋଟ ପୋଲିସ ଦ୍ବାରା ଡକାୟତ ଗ୍ୟାଙ୍ଗ କାବୁ

ଛତ୍ରପୁର: ଖଲ୍ଲିକୋଟ ପୋଲିସ ପାଟ୍ରୋଲିଂ ବେଳେ ୫ ଜଣିଆ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ସେମାନଙ୍କ ଠାରୁ ଜବତ ହୋଇଛି ୫ ଦେଶୀ ବନ୍ଧୁକ, ଗୋଟିଏ ରିଭଲଭର୍, ୮ ଗୋଟି ମାଗାଜିନ୍‌, ୧୩ ରାଉଣ୍ଡ ଗୁଳି ଓ ୫ ଗୋଟି ବୋମା। ଗିରଫ କୋଦଳା ଥାନା ଅନ୍ତର୍ଗତ ସାଙ୍କୁଡ଼ା ଗ୍ରାମର ମହେଶ୍ବର ସାହୁ, ଅଙ୍ଗାରଗାଁର ରାମଚନ୍ଦ୍ର ଜେନା, କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡପାଟଣା ଗ୍ରାମର ସୁବୀର କୁମାର ହୋତା (ସିଲୁ), ବାଲିସିର ଗ୍ରାମର ଦିଲ୍ଲୀପ ପଲାଇ, ଖଲ୍ଲିକୋଟ ଥାନା ଖୋଜାପଲ୍ଲୀ ଗ୍ରାମର ମନୋଜ ସ୍ବାଇଁଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥରେ ପୋଲିସ ପାଟ୍ରୋଲିଂ ଚାଲିଥିଲା। ଡକାୟତି ପାଇଁ ଏହି ଗ୍ୟାଙ୍ଗ୍ ଯୋଜନା କରୁଥିବା ସୂଚନା ପାଇ ପୋଲିସ ଚଢ଼ଉ କରିଥିଲା। ଏମାନଙ୍କ ମଧ୍ୟରୁ ଦିଲ୍ଲୀପ ପଲାଇ ଜଣେ ଭାବେ ଜଣାଶୁଣା। ତା ବିରୋଧରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ସମେତ ଜିଲ୍ଲା ବାହାରେ ଡକାୟତି, ହତ୍ୟା, ରାହାଜାନି ଭଳି ୪୨ ଗୋଟି ସଙ୍ଗୀନ ମାମଲା ଥିବା ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ଏଥିସହ ଏକାଧିକ ଡକାୟତି, ରାହାଜାନି ଓ ଆକ୍ରମଣ ଭଳି ଘଟଣାରେ ଏହି ଗ୍ୟାଙ୍ଗ୍ ସମ୍ପୃକ୍ତ ରହିଛି। ଗତ ୧୬ ତାରିଖ ଦିନ ଖଲ୍ଲିକୋଟ ଥାନା ଭିକାପଡ଼ାରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଆସାମୀ ଫେରାର ଥିଲା। ଗିରଫ ଅଭିଯୁକ୍ତମାନଙ୍କୁ ଜେରା କରି ପିସ୍ତଲ ଚୋରା କାରବାର ବାବଦରେ ପୋଲିସ ସୁରାକ ପାଇଥିଲା। ତଦନୁଯାୟୀ ତଦନ୍ତକୁ ଆଗେଇନେବା ସହ ଅପରାଧୀମାନଙ୍କ ଗତିବିଧି ଉପରେ ନଜର ରଖିଥିଲା। ସେଥିରୁ ଏହି ଗ୍ୟାଙ୍ଗ ସମ୍ପର୍କରେ ସୂଚନା ପାଇ ଚଢ଼ଉ କରିଥିଲା।

Comments are closed.