ଓମିକ୍ରନ୍ ପ୍ରଭାବ: ଡିସେମ୍ବର ୧୫ରୁ ଆରମ୍ଭ ହେବନି ଅନ୍ତର୍ଜାତୀୟ ବିମାନ ଉଡାଣ, ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ

ନୂଆଦିଲ୍ଲୀ: ଡିସେମ୍ବର ୧୫ ରୁ ଅନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଥିଲେ | ହେଲେ କରୋନାର ନୂଆ ଭାରିଆଣ୍ଟ ଭୟ ମଧ୍ୟରେ ଏହାକୁ ଟାଳି ଦିଆଯାଇଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କହିଛି ଯେ ଅନ୍ତର୍ଜାତୀୟ ବିମାନ ଉଡାଣ ପୁନଃ ଆରମ୍ଭ ନେଇ ବିଚାର ଚାଲିଛି ଏବଂ ଖୁବ ଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ । ଡିଜିସିଏ କହିଛନ୍ତି ଯେ କରୋନାଭାଇରସର ନୂଆ ଭାରିଆଣ୍ଟର ଆବିର୍ଭାବକୁ ଦୃଷ୍ଟିରେ ରଖି ଏହା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଡିସେମ୍ବର ୧୫ ରୁ ଆନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ ନାହିଁ | ପରିସ୍ଥିତି ଅନୁଯାୟୀ ପରବର୍ତ୍ତୀ ତାରିଖରେ ଏ ସମ୍ପର୍କିତ ନିଷ୍ପତ୍ତି ନିଆଯିବ।

ଏହାପୂର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଥିଲା ଯେ ଡିସେମ୍ବର ୧୫ରୁ ଆନ୍ତର୍ଜାତୀୟ ବିମାନ ସେବା ପୁନଃ ଆରମ୍ଭ କରିବାକୁ ଗୃହ ବିଭାଗ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ-ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ପରାମର୍ଶ କରାଯାଇଛି। ଏହା ପରେ ୧୫ ଡ଼ିସେମ୍ବରରୁ ଭାରତକୁ ଆନ୍ତର୍ଜାତୀୟ ବିମାନ ସେବା ପୁନଃ ଆରମ୍ଭ ନିଷ୍ପତ୍ତି ହୋଇଥିଲା । ଗୃହ ମନ୍ତ୍ରଣାଳୟ ଦେଶର ତିନୋଟି ତାଲିକା ପ୍ରସ୍ତୁତ କରିବ।

ଅନ୍ୟପକ୍ଷରେ, ଓମିକ୍ରନ୍ ଭାରିଆଣ୍ଟ ଦୃଷ୍ଟିରୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ହଂକଂ ଏବଂ ଇସ୍ରାଏଲକୁ ମଧ୍ୟ ‘ଆଟ୍ ରିସ୍କ’ ତାଲିକାରେ ସାମିଲ କରାଯାଇଛି | ଏହି ତାଲିକାରେ ପୂର୍ବରୁ ବ୍ରିଟେନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋତସ୍ୱାନା, ଚୀନ୍, ମରିସସ୍, ନ୍ୟୁଜିଲ୍ୟାଣ୍ଡ, ଜିମ୍ବାୱେ, ସିଙ୍ଗାପୁରକୁ ରଖାଯାଇଥିଲା ।

Comments are closed.