ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖର ଭାରତର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଗୁରୁବାର ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଶପଥଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧନଖରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଅଗଷ୍ଟ ୫ରେ ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଧନଖର ବିରୋଧୀ ମେଣ୍ଟର ପ୍ରାର୍ଥୀ ମାର୍ଗାରେଟ୍ ଆଲଭାଙ୍କୁ ହରାଇଥିଲେ ।
ଧନଖରଙ୍କୁ ମୋଟ ୫୨୮ ଭୋଟ୍ ମିଳିଥିବାବେଳେ ଆଲଭାଙ୍କୁ ମାତ୍ର ୧୮୨ ଖଣ୍ଡ ଭୋଟ୍ ମିଳିଥିଲା। ଏହି ନିର୍ବାଚନରେ ମୋଟ ୭୨୫ ସାଂସଦ ଭୋଟ୍ ଦେଇଛନ୍ତି । ସେଥିମଧ୍ୟରୁ ୭୧୦ ଭୋଟ୍ ବୈଧ ଥିଲା । ୧୫ ଭୋଟ୍ ନାକଚ ହୋଇଯାଇଥିଲା । ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ସମେତ ପ୍ରାୟ ୯୩ ପ୍ରତିଶତ ସାଂସଦ ଭୋଟ୍ ଦେଇଥିବାବେଳେ ୫୦ ରୁ ଅଧିକ ସାଂସଦ ମତାଧିକାର ସାବ୍ୟସ୍ତ କରିନଥିଲେ ।
୭୧ ବର୍ଷୀୟ ଜଗଦୀପ ଧନଖର ବିଦାୟୀ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ସ୍ଥାନ ନେଇଛନ୍ତି । ସେ ଭାରତର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ହୋଇଛନ୍ତି। ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହୋଇଥିଲା।
Comments are closed.