କୋର୍ଟରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗୀକୁ ହତ୍ୟା ପରେ ଗ୍ୟାଙ୍ଗଓ୍ବାର୍ ଆଶଙ୍କା, ତିହାର୍ ସହ ଦିଲ୍ଲୀର ପ୍ରମୁଖ ଜେଲରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀର ରୋହିଣୀ କୋର୍ଟରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗୀର ହତ୍ୟା କରାଯିବା ପରେ ଗ୍ୟାଙ୍ଗ୍ ଓ୍ବାର୍ ଆଶଙ୍କା ଦୃଷ୍ଟିରୁ ରାଜଧାନୀରେ ତିହାର୍, ମାଣ୍ଡୋଲି ଏବଂ ରୋହିଣୀ ଜେଲ୍ ସହ ଅନ୍ୟ ସବୁ ଜେଲରେ ହାଇ ଆଲର୍ଟ ଜାରି କରାଯାଇଛି।

ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗି ଦିଲ୍ଲୀ ପୋଲିସର ମୋଷ୍ଟ ଓ୍ବାଣ୍ଟେଡ୍ ତାଲିକାରେ ଥିଲା। ଗୋଗି ଗ୍ୟାଙ୍ଗ୍ ଏବଂ ଟିଲୁ ଗ୍ୟାଙ୍ଗ୍ ମଧ୍ୟରେ ଅନେକ ଥର ଗ୍ୟାଙ୍ଗ ଓ୍ବାର୍ ହୋଇଛି, ଯେଉଁଥିରେ ଏପର୍ଯ୍ୟନ୍ତ ଉଭୟ ପକ୍ଷର ୨୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି।

ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗୀ ଉପରେ ଦିଲ୍ଲୀ ପୋଲିସ ଚାରି ଲକ୍ଷ ଏବଂ ହରିୟାଣା ପୋଲିସ ଦୁଇ ଲକ୍ଷ ପୁରସ୍କାର ରଖିଥିଲେ। ଏହା ସହିତ ତାଙ୍କ ଉପରେ କଡ଼ା ମକୋକା ଦଫା ମଧ୍ୟ ଲାଗୁ କରାଯାଇଥିଲା | ଗତ ବର୍ଷ ମାର୍ଚ୍ଚ ୩ରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଗୁରୁଗାଓଁରୁ ଜିତେନ୍ଦ୍ର ଗୋଗିଙ୍କ ସମେତ ତାଙ୍କର ତିନିଜଣ ସହଯୋଗୀଙ୍କୁ ଗିରଫ କରିଥିଲା। ଗୋଗି ନିଜ ଗ୍ୟାଙ୍ଗକୁ ଜେଲରୁ ଚଳାଉଥିଲେ। ଜେଲରେ ବସି ସେ ଚୋରାଚାଲାଣ କରୁଥିଲେ, ଅପହରଣ, ହତ୍ୟା ଆଦି ଅପରାଧ ଘଟାଇ ଚାଲିଥିଲା।

ରୋହିଣୀ କୋର୍ଟରେ ହାଜର ହେବାକୁ ଆସିଥିବା ବେଳେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗିଙ୍କୁ ଗତକାଲି ଟିଲୁ ଗ୍ୟାଙ୍ଗର ସଦସ୍ୟମାନେ ଗୁଳି କରି ହତ୍ୟା କରିଥିଲେ। ଗୋଗିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ରୋହିନୀ କୋର୍ଟର ରୁମ୍ ନମ୍ବର -୨୦୭ ଭିତରେ ଏହି ଘଟଣା ଘଟିଥିଲା | ପୋଲିସର ପାଲଟା ଜବାବରେ ଟିଲୁ ଗ୍ୟାଙ୍ଗର ଦୁଇଜଣ ଆକ୍ରମଣକାରୀ ମଧ୍ୟ ନିହତ ହୋଇଥିଲେ। ଏହି ଗୁଳିକାଣ୍ଡରେ ତିନିରୁ ଚାରି ଜଣ ବି ଆହତ ହୋଇଥିଲେ । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଟିଲୁ ଗ୍ୟାଙ୍ଗର ଲୋକ ଓକିଲ ପୋଷାକ ପିନ୍ଧି ରୋହିଣୀ କୋର୍ଟରେ ପ୍ରବେଶ କରିଥିଲେ।

Comments are closed.