ସାମ୍ବାଦିକ ମାରିଆ ରେସା ଓ ଡିମିଟ୍ରି ମୁରାଟୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର

ଅସ୍ଲୋ: ଚଳିତ ବର୍ଷ ପାଇଁ ଫିଲିପାଇନ୍ସର ସାମ୍ବାଦିକ ମାରିଆ ରେସା ଏବଂ ରୁଷର ଡିମିଟ୍ରି ମୁରାଟୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ବାକ୍ ସ୍ୱାଧୀନତା ପାଇଁ ଉଭୟଙ୍କ ଉଦ୍ୟମକୁ ଦୃଷ୍ଟିରେ ରଖି ଏହି ପୁରସ୍କାର ପ୍ରଦାନ କରାଯାଇଛି ବୋଲି ନୋବେଲ କମିଟି କହିଛି। ଯେକୌଣସି ଗଣତନ୍ତ୍ର ପାଇଁ ବାକ୍ ବା ମତ ପ୍ରକାଶ କରିବାର ସ୍ୱାଧୀନତା ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ | ଏ ଦିଗରେ ରେସା ଓ ମୁରାଟୋଭଙ୍କ ଉଦ୍ୟମକୁ ନୋବେଲ କମିଟି ପ୍ରଶଂସା କରିଛି ।

ନୋବେଲ କମିଟି କହିଛି ଯେ ସ୍ବାଧୀନ ଏବଂ ନିରପେକ୍ଷ ତଥା ତଥ୍ୟ ଭିତ୍ତିକ ସାମ୍ବାଦିକତା କ୍ଷମତାର ଅପବ୍ୟବହାର, ମିଥ୍ୟା ଏବଂ ଅପପ୍ରଚାରରୁ ରକ୍ଷା କରିଥାଏ। ନରୱେର ନୋବେଲ ଶାନ୍ତି କମିଟି ସ୍ବୀକାର କରିଛି ଯେ ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ନିରପେକ୍ଷ ସୂଚନା ଲୋକଙ୍କୁ ସଚେତନ କରିଥାଏ। ଏହି ଅଧିକାର ଗଣତନ୍ତ୍ର ପାଇଁ ଏକ‌ ପ୍ରାକ୍ ସର୍ତ୍ତ ଏବଂ ଏହା ନାଗରିକଙ୍କୁ ଯୁଦ୍ଧ ଏବଂ ସଂଘର୍ଷରୁ ସୁରକ୍ଷା ଦେଇଥାଏ | କମିଟି ଉଲ୍ଲେଖ କରିଛି ଯେ ମାରିଆ ଏବଂ ଡିମିଟ୍ରିଙ୍କୁ ଦିଆଯାଇଥିବା ପୁରସ୍କାର ଏହି ମୌଳିକ ଅଧିକାରର ସୁରକ୍ଷାର ଗୁରୁତ୍ୱକୁ ସୂଚାଉଛି।

ମାରିଆ ରେସା ଫିଲିପାଇନ୍ସର ରାଷ୍ଟ୍ରପତିଙ୍କ ସମାଲୋଚକ ଭାବେ ପରିଚିତ ଏବଂ ସେ ପୂର୍ବରୁ ବହୁ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି | ନିକଟରେ ତାଙ୍କୁ ଏକ ମାମଲାରେ ୬ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ଏହି ନିଷ୍ପତ୍ତି ଦେଶରେ ଗଣମାଧ୍ୟମର ସ୍ୱାଧୀନତା ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଇଥିଲା। ଜଣେ ଧନୀ ବ୍ୟବସାୟୀଙ୍କ ଦ୍ବାରା ଦାୟର ମାନହାନି ମାମଲାରେ ମନିଲା କୋର୍ଟ ଅନଲାଇନ୍ ନ୍ୟୁଜ୍ ସାଇଟ୍ ରାପ୍ଲର୍ ଇଙ୍କ୍ ର ମାରିଆ ରେସା ଏବଂ ପୂର୍ବତନ ସାମ୍ବାଦିକ ରେନାଲ୍ଡୋ ସାଣ୍ଟୋସ୍ ଜୁନିୟରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ଡିମିଟ୍ରି ମୁରାଟୋଭ ରୁଷରେ ବାକ୍ ସ୍ୱାଧୀନତାର ସ୍ୱର ଉଠାଇ ଆସିଛନ୍ତି। ସେ ରୁଷର ଖବରକାଗଜ ନୋଭାୟା ଗେଜେଟାର ସମ୍ପାଦକ ଅଟନ୍ତି। ପୁଟିନଙ୍କ ଶାସନ କାଳରେ ତାଙ୍କର ଖବରକାଗଜ ହିଁ ନିର୍ଭୀକତାର ସହ ସରକାରୀ ସ୍ତରରେ ଦୁର୍ନୀତି ଓ ଅନିୟମିତତାର ପର୍ଦ୍ଦାଫାସ୍ କରିଥିଲା । ଏହାଛଡ଼ା ପୁଟିନ୍ ସରକାର ଅମଳରେ ମାନବିକ ଅଧିକାରର ଉଲ୍ଲଂଘନ ମାମଲା ମଧ୍ୟ ଉନ୍ମୋଚିତ କରିଥିଲା।

Comments are closed.