ନୂଆ ସଂସଦ ଭବନ ନେଇ ମୋଦିଙ୍କୁ କମଲ ହାସନଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ – ନୂଆ ସଂସଦ ଭବନର ଭୂମିପୂଜା ଓ ଶିଳାନ୍ୟାସର ଦୁଇଦିନ ପରେ ଏହି ବ୍ୟୟବହୁଳ ଯୋଜନାର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଛନ୍ତି ପ୍ରସିଦ୍ଧ ଅଭିନେତା କମଲ ହାସନ । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ଦେଶ କରୋନା କଷଣରେ ଜୁଝି ହେଉଛି । ଏହି ମହମାରୀ ଯୋଗୁଁ ଲୋକଙ୍କ ଜୀବନ ଯାଉଛି ଏବଂ ଲୋକେ ଜୀବିକା ହରାଉଛନ୍ତି । ଏଭଳି ସ୍ଥଳେ ନୂଆ ସଂସଦ ଭବନର ଆବଶ୍ୟକତା କାହିିଁକି ପଡିଲା ବୋଲି ହସନ୍ ପ୍ରଶ୍ନ କରିଛନ୍ତି । ଏନେଇ ମୋଦି ଜବାବ ରଖନ୍ତୁ ବୋଲି ହାସନ ଦାବି କରିଛନ୍ତି ।

ଅଭିନେତାରୁ ରାଜନେତା ପାଲଟିଥିବା ହାସନ ନୂଆ ସଂସଦ ଭବନ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ମୋଦିଙ୍କ ଉପରେ ବର୍ଷିଛନ୍ତି । ସେ ଲେଖିଛନ୍ତି – କରୋନା କାରଣରୁ ଅଧାଦେଶ ଭୋକିଲା ରହିଛି । ଲୋକମାନେ ନିଜ ଜୀବିକା ହରାଉଛନ୍ତି । ଏଭଳି ଏକ ଘଡ଼ିସନ୍ଧି ସମୟରେ ହଜାରେ କୋଟି ବ୍ୟୟରେ ନୂଆ ସଂସଦ ଭବନ ନିର୍ମାଣ କାହିଁକି? ଯେବେ ଚୀନ୍ ପ୍ରାଚୀର ନିର୍ମାଣ ବେଳେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା, ସେତେବେଳେ ସେହି ଦେଶର ଶାସକ କହିଥିଲେ ଯେ, ଏହି ପ୍ରାଚୀର ଲୋକଙ୍କ ସୁରକ୍ଷା ପାଇଁ ଜରୁରୀ ଥିଲା । ଆପଣ (ମୋଦି) କାହା ସୁରକ୍ଷା ପାଇଁ ନୂଆ ସଂସଦ ଭବନ ନିର୍ମାଣ କରୁଛନ୍ତି ? ଦୟାକରି ଏହାର ଉତ୍ତର ଦିଅନ୍ତୁ.. ।”

ହସନ ୨୦୧୮ରେ ରାଜନୀତିରେ ପ୍ରବେଶ କରିଥିଷଲ । ସେ ସେହିବର୍ଷ ‘ମକ୍କଲ ନିଧି ମୟମ(ଏମ୍‌ଏନ୍‌ଏମ୍‌)’ ନାମକ ଏକ ଦଳ ଗଠନ କରିଥିଲେ । ତାଙ୍କର ଏହି ଦଳ ୨୦୧୯ ଲୋକସଭା ନିର୍ବାଚନ ଲଢିଥିଲେ ବି ଗୋଟିଏ ବି ସିଟ୍ ଜିତିପାରିନଥିଲା । କିନ୍ତୁ ଏହି ନିର୍ବାଚନରେ ଏମ୍‌ଏନ୍‌ଏମ ୪% ଭୋଟ୍ ପାଇଥିଲା ।
ଗତ ଡିସେମ୍ବର ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ନୂଆ ସଂସଦ ଭବନର ଭୂମିପୂଜନ ଓ ଶିଳାନ୍ୟାସ କରିଥିଲେ । ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ଏକ ନୂତନ ସଂସଦ କମ୍ପ୍ଲେକ୍ସ ନିର୍ମାଣ ହେବ। ଏଥିରେ ୮୭୬ ସିଟ୍ ବିଶିଷ୍ଟ ଲୋକସଭା, ୪୦୦ ସିଟ୍ ବିଶିଷ୍ଟ ରାଜ୍ୟସଭା ଏବଂ ୧୨୨୪ ସିଟ୍ ବିଶିଷ୍ଟ କେନ୍ଦ୍ରୀୟ ହଲ୍ ରହିବ। ଏହା ସଂସଦର ମିଳିତ ବୈଠକରେ ସଦସ୍ୟମାନଙ୍କୁ ପୃଥକ ଭାବରେ ବସିବାର ଆବଶ୍ୟକତାକୁ ଦୂର କରିବ। ସେଣ୍ଟ୍ରାଲ ଭିସ୍ତାଠାରେ ୧୦ଟି ପରସ୍ପର ସହ ସଂଯୁକ୍ତ କୋଠାରେ ୫୧ଟି ମନ୍ତ୍ରଣାଳୟ ନିର୍ମାଣ କରାଯିବ | ନିକଟସ୍ଥ ମେଟ୍ରୋ ଷ୍ଟେସନ ସହିତ ମନ୍ତ୍ରଣାଳୟକୁ ସଂଯୋଗ କରିବା ପାଇଁ ଏକ ଭୂତଳ ମାର୍ଗ ମଧ୍ୟ ନିର୍ମାଣ କରାଯିବ | ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତିଙ୍କ ପାଇଁ ଏକ ନୂତନ ବାସଭବନ ମଧ୍ୟ ରାଷ୍ଟ୍ରପତି ଭବନ ନିକଟରେ ନିର୍ମାଣ ହେବ। ପ୍ରାୟ ୯୦୦ କୋଟି ବ୍ୟୟରେ ହେବାକୁ ଥିବା ନୂଆ ସଂସଦ ଭବନର ନିର୍ମାଣ ଦାୟିତ୍ୱ ଟାଟା ନେଇଛି ।

Comments are closed.