ଗୁଜରାଟରେ ‘ପଞ୍ଜାବ ମଡେଲ’ ପ୍ରୟୋଗ କଲେ କେଜ୍ରିୱାଲ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଲୋକଙ୍କ ମତାମତ ଲୋଡ଼ିଲେ

ସୁରଟ: ଗୁଜରାଟ ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍) କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର ଥିଲା । ଏନେଇ ଦଳର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି। ଗୁଜରାଟରେ ‘ପଞ୍ଜାବ ମଡେଲ’ ପ୍ରୟୋଗ କରିଛନ୍ତି କେଜ୍ରିୱାଲ । ଗୁଜରାଟ ନିର୍ବାଚନରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେହି ନିଷ୍ପତ୍ତି ସେ ଲୋକଙ୍କ ଉପରେ ଛାଡିଛନ୍ତି ।

ଗୁଜରାଟର ସୁରଟରେ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଯିଏ ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ସେ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ତେଣୁ ଆଜି ଆମେ ଜନସାଧାରଣଙ୍କୁ ସେମାନଙ୍କ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଜଣାଇବାକୁ କହୁଛୁ । ଏଥିପାଇଁ ଆମେ ଜନସାଧାରଣଙ୍କ ମତ ଜାଣିବା ପାଇଁ ଏକ ନମ୍ବର ମଧ୍ୟ ଜାରି କରିଛୁ। ଲୋକମାନେ ଏମ୍ଏମ୍ଏସ୍ କିମ୍ବା ହ୍ବାଟସଆପ୍ ମେସେଜ୍ ପଠାଇ ପାରିବେ କିମ୍ବା ଭଏସ୍ ମେସେଜ୍ ମଧ୍ୟ ପଠାଇ ନିଜ ମତ ଜଣାଇ ପାରିବେ | ଏହାଛଡ଼ା ଇମେଲ ମାଧ୍ୟମରେ ମଧ୍ୟ ଲୋକମାନେ ନିଜ ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିପାରିବେ।

କେଜ୍ରିୱାଲ କହିଛନ୍ତି ଯେ ଜନତା ପରିବର୍ତ୍ତନ ଚାହୁଁଛନ୍ତି । ମୁଦ୍ରାସ୍ଫୀତି ଏବଂ ବେକାରୀରୁ ମୁକ୍ତି ଚାହୁଁଛନ୍ତି। ଏହି ଲୋକମାନେ (ବିଜେପି) ଏକ ବର୍ଷ ପୂର୍ବେ ସେମାନଙ୍କର ମୁଖ୍ୟମନ୍ତ୍ରୀ ବଦଳାଇଥିଲେ । ପ୍ରଥମେ ବିଜୟ ରୂପାନି ସାହେବ ଏହି ପଦରେ ରହିଥିଲେ । ତାଙ୍କୁ ହଟାଇ ଭୁପେନ୍ଦ୍ର ପଟେଲ ସାହେବଙ୍କୁ କାହିଁକି ଆଣିଲେ? ବିଜୟ ରୂପାନୀଙ୍କ କିଛି ଭୁଲ୍ ଥିଲା କି? ବିଜୟ ରୂପାନି ସାହେବଙ୍କୁ ମୁଖ୍ୟମନ୍ତ୍ରୀ କଲାବେଳ ଜନସାଧାରଣଙ୍କ ମତ ନିଆଯାଇଥିଲା କି ?ଗଣତନ୍ତ୍ରରେ ଲୋକେ ମୁଖ୍ୟମନ୍ତ୍ରୀ କିଏ ହେବେ ସେହି ନିଷ୍ପତ୍ତି ନେଇଥାନ୍ତି। କିନ୍ତୁ ବିଜେପି ନା ୨୦୧୬ ନା ୨୦୨୧ରେ ଏନେଇ ଲୋକଙ୍କ ମତାମତ ଲୋଡିଥିଲା । ଆମ୍ ​​ଆଦମୀ ପାର୍ଟିରେ ଆମେ ଏଭଳି କେବେ କରୁନାହୁଁ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଆମେ ତାହା ଜନସାଧାରଣଙ୍କୁ ପଚାରି ନିଷ୍ପତ୍ତି ନେଉ ବୋଲି କେଜ୍ରିୱାଲ କହିଛନ୍ତି ।

Comments are closed.