ବାଂଲାଦେଶ: ହିନ୍ଦୁଙ୍କ ବିରୋଧରେ ହିଂସାର ମୁଖ୍ୟ ଅଭିଯୁକ୍ତ ଇକବାଲ ହୁସେନ୍ ଗିରଫ

ଢାକା: ବାଂଲାଦେଶର ହିନ୍ଦୁଙ୍କ ବିରୋଧରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିର ନାମ ହେଉଛି ଇକବାଲ ହୁସେନ୍ | ଏକ ଅସ୍ଥାୟୀ ପୂଜା ମଣ୍ଡପରେ କୋରାନ ରଖିବା ଅଭିଯୋଗରେ ପୋଲିସ ଏହି ବ୍ୟକ୍ତିଙ୍କୁ କକ୍ସ ବଜାରରୁ ଗିରଫ କରିଛି। ସିସିଟିଭି ଫୁଟେଜ ଦେଖିବା ପରେ ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରିଥିଲା।

ପୋଲିସର ସୂଚନାନୁସାରେ, ଇକବାଲ ହୁସେନ୍‌ଙ୍କ ବୟସ ପ୍ରାୟ ୩୫ ବର୍ଷ । ସେ କୁମିଲା ସହରର ସୁଜାନଗର ଅଞ୍ଚଳର ନୁର ଅହମ୍ମଦ ଆଲାମଙ୍କ ପୁଅ। କକ୍ସ ବଜାର ଜିଲ୍ଲା ଅଧୀକ୍ଷକ (ଏସପି) ହାସାନୁଜାମାନ କହିଛନ୍ତି ଯେ ଇକବାଲ ହୁସେନଙ୍କୁ କୋମିଲା ପୋଲିସକୁ ହସ୍ତାନ୍ତର କରାଯିବ। ବାଂଲାଦେଶ ଗୃହମନ୍ତ୍ରୀ ଆସାଦୁଜାମନ ଖାନ କମଲ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିବା ନିଶ୍ଚିତ କରିଛନ୍ତି।

ସୋସିଆଲ ମିଡିଆରେ କୁମିଲାର ଏକ ପୂଜା କମିଟି ଧାର୍ମିକ ଶାସ୍ତ୍ରକୁ ଅପମାନିତ କରିଥିବା ଅଭିଯୋଗ ହୋଇଥିଲା। ଧାର୍ମିକ ପୁସ୍ତକ ଅପମାନର ଖବର ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ଯାହା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ହିଂସା ଆରମ୍ଭ ହୋଇଯାଇଥିଲା | ଏହା ପରେ ବାଂଲାଦେଶରେ ଅନେକ ଦୁର୍ଗା ପୂଜା ପଣ୍ଡାଲ ଉପରେ ଆକ୍ରମଣ କରାଯାଇଥିଲା। ଭିଡିଓ ଫୁଟେଜରେ ହୁସେନ୍ କୁରାନର ଏକ କପି ନେଇ ରାସ୍ତାରେ ଯାଉଥିବାର ନଜର ଆସିଛନ୍ତି। ବାଂଲାଦେଶରେ ଘଟିଥିବା ସାମ୍ପ୍ରଦାୟିକ ହିଂସାରେ ପ୍ରାୟ ଅନେକ ହିନ୍ଦୁଙ୍କ ଘର ଜାଳି ଦିଆଯାଇଥିଲା ।

Comments are closed.