୧୦୦ କୋଟି ଟିକାକରଣ ପ୍ରତ୍ୟେକ ଦେଶବାସୀଙ୍କ ସଫଳତା: ମୋଦି

ନୂଆଦିଲ୍ଲୀ: କରୋନା ଟିକାକରଣରେ ଭାରତ ୧୦୦ କୋଟି ମାଇଲଖୁଣ୍ଟ ହାସଲ କରିବାର ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶକୁ ସମ୍ବୋଧନ କରିଛନ୍ତି । ମୋଦି କହିଛନ୍ତି ଯେ, ଅକ୍ଟୋବର ୨୧ରେ ଭାରତ ୧୦୦ କୋଟି ଟିକା ଡୋଜର କଷ୍ଟସାଧ୍ୟ କିନ୍ତୁ ଅସାଧାରଣ ଲକ୍ଷ୍ୟ ହାସଲ କରିଛି। ଏହି ସଫଳତା ପଛରେ ୧୩୦ କୋଟି ଦେଶବାସୀଙ୍କର କର୍ତ୍ତବ୍ୟ ପରାୟଣତା ନିହିତ ଅଛି, ତେଣୁ ଏହି ସଫଳତା ହେଉଛି ଭାରତର ସଫଳତା, ପ୍ରତ୍ୟେକ ଦେଶବାସୀଙ୍କ ସଫଳତା | ବିଶ୍ବର ଅନ୍ୟ ବଡ ଦେଶମାନଙ୍କ ପାଇଁ ଟିକା ଉପରେ ଗବେଷଣା କରିବା ଏବଂ ଟିକା ବାହାର କରିବା ସହଜ ଥିଲା କାରଣ ସେମାନେ ଏଦିଗରେ ପୂର୍ବରୁ ପାରଦର୍ଶିତା ହାସଲ କରିଥିଲେ | ଏହି ଦେଶଗୁଡିକ ଦ୍ୱାରା ପ୍ରସ୍ତୁତ ଟିକା ଉପରେ ଭାରତ ନିର୍ଭରଶୀଳ ଥିଲା। କିନ୍ତୁ ଆଜି ଅନେକ ଲୋକ ଭାରତର ଟିକାକରଣ କାର୍ଯ୍ୟକ୍ରମକୁ ବିଶ୍ବର ଅନ୍ୟ ଦେଶ ସହିତ ତୁଳନା କରୁଛନ୍ତି। ଭାରତ ଯେଉଁ ୧୦୦ କୋଟି ଲକ୍ଷ୍ୟ ଅତିକ୍ରମ କରିଛି ତାହା ପ୍ରଶଂସନୀୟ ବୋଲି ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯେତେବେଳ ଦେଶରେ ଆମେ କରୋନା ଟିକାକରଣ ଆରମ୍ଭ କରିଥିଲୁ, ଭାରତର ଲୋକମାନେ ଏହି ଟିକା ପାଇବେ କି ନାହିଁ ଏବଂ ମହାମାରୀକୁ ରୋକିବା ପାଇଁ ଭାରତ ଏତେ ସଂଖ୍ୟକ ଲୋକଙ୍କୁ ଟକାକରଣ କରିବାକୁ ସକ୍ଷମ ହେବ କି ଏପରି ଅନେକ ପ୍ରଶ୍ନ କରାଯାଇଥିଲା । କିନ୍ତୁ ଆଜି ଏହି ୧୦୦ କୋଟି ଟିକା ଡୋଜ୍ ଭାରତର ଦକ୍ଷତା ଉପରେ ଉଠିଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଛି |

Comments are closed.