ନାବାଳିକାକୁ ୬ ମାସରେ ୪୦୦ ଲୋକଙ୍କ ବଳାତ୍କାର, ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ପୋଲିସ୍ କର୍ମଚାରୀ

ମୁମ୍ବାଇ: ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ଜଣେ ନାବାଳିକାକୁ ଗତ ୬ ମାସରେ ୪୦୦ ଲୋକ ବଳାତ୍କାର କରିଥିବା ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି। ପୀଡିତା ନାବାଳିକାର ବୟସ ୧୬ ବର୍ଷ ଏବଂ ଘର ଲୋକ ପିଲାଦିନରୁ ହିଁ ତା’ର ବିବାହ କରିଦେଇଥିଲେ | ଜଣେ ପୋଲିସ କର୍ମଚାରୀ ମଧ୍ୟ ଏହି ନାବାଳିକାର ଯୌନ ଶୋଷଣ କରିଥିବା କୁହାଯାଇଛି । ପୀଡ଼ିତା ଅଭିଯୋଗ କରିବାକୁ ଥାନାକୁ ଯାଇଥିବା ବେଳେ ଉକ୍ତ ପୋଲିସ କର୍ମଚାରୀ ତାକୁ ଦୁଷ୍କର୍ମ କରିଥିଲେ। ବିଡ୍ ପୋଲିସ୍ ଅଧୀକ୍ଷକ ରାମା ରାମାସାମୀ ରବିବାର ଏହି ପାଶବିକ ଅପରାଧ ନେଇ ସ୍ପଷ୍ଟ କହିଛନ୍ତି । ଏହି ମାମଲାରେ ଏଯାବତ୍ ତିନି ଜଣଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏସପି ରାଜ ରାମାସାମୀ କହିଛନ୍ତି ଯେ ପୀଡିତା ନାବାଳିକା ବର୍ତ୍ତମାନ ଦୁଇ ମାସର ଗର୍ଭବତୀ । ସେ କୌଣସି ପ୍ରକାରେ ଏହି ପାଶବିକ ଅତ୍ୟାଚାରରୁ ମୁକୁଳି ପୁରା ଘଟଣା ସମ୍ପର୍କରେ ସୂଚନା ଦେଇଥିଲା। ପୀଡ଼ିତାର ଅଭିଯୋଗକୁ ଭିତ୍ତି କରି ‘ପକ୍ସୋ’ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟ ଅନୁସନ୍ଧାନ କରାଯାଉଛି ଏବଂ ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ଏସପି କହିଛନ୍ତି ।

ଏସପିଙ୍କ ସୂଚନା ଅନୁଯାୟୀ, ପୀଡିତାଙ୍କ ମା’ଙ୍କର ପ୍ରାୟ ଦୁଇ ବର୍ଷ ପୂର୍ବେ ଦେହାନ୍ତ ହୋଇଥିଲା। ତାଙ୍କ ପିତା ତାଙ୍କୁ ପ୍ରାୟ ୮ ମାସ ପୂର୍ବେ ତା’ର ବାହାଘର କରିଦେଇଥିଲେ। କିନ୍ତୁ ତାର ସ୍ୱାମୀ ଏବଂ ଶାଶୁଘର ଲୋକ ଯୌତୁକ ଆଣିନଥିବାରୁ ତାଙ୍କୁ ନିର୍ଯାତନା ଦେଉଥିଲେ। ନିର୍ଯାତନା ଅସହ୍ୟ ହେବାରୁ ପୀଡ଼ିତା ପ୍ରାୟ ୬ ମାସ ତଳେ ନିଜ ଶାଶୁଘରୁ ବାପାଙ୍କ ପାଖକୁ ପଳାଇ ଆସିଥିଲା ।

ଶିଶୁ କଲ୍ୟାଣ କମିଟିକୁ ଦେଇଥିବା ବୟାନରେ ପୀଡିତା ଜଣାଇଛନ୍ତି ଯେ ତା’ର ବାପା ତାକୁ ଘରେ ପୂରାଇ ଦେଇନଥିଲେ । ଫଳରେ ସେ ବାଧ୍ୟ ହୋଇ ବିଡ୍ ଜିଲ୍ଲାର ଅମ୍ବାଜୋଗଇ ଠାରେ ଥିବା ବସ୍ ଷ୍ଟାଣ୍ଡରେ ଭିକ୍ଷା ବୃତ୍ତି କରିବା ଆରମ୍ଭ କରିଥିଲା। ଏଠାରେ ତାର ଯୌନ ଶୋଷଣ ଆରମ୍ଭ ହୋଇଥିଲା | ସେ କମିଟିକୁ କହିଛି ଯେ ତାକୁ ୪୦୦ରୁ ଅଧିକ ଲୋକ ବଳାତ୍କାର କରିଥିଲେ। ସେ ତାର ଅଭିଯୋଗ ସହ ଅମ୍ବାଜୋଗଇ ପୋଲିସ ଷ୍ଟେସନକୁ ଅନେକ ଥର ଯାଇଥିଲେ ମଧ୍ୟ ପୋଲିସ ତାଙ୍କ ଅଭିଯୋଗ ରଖିନଥିଲା। ଏପରିକି ତାକୁ ସୁରକ୍ଷା ଦେବା ପରିବର୍ତ୍ତେ ଜଣେ ପୋଲିସ କର୍ମଚାରୀ ମଧ୍ୟ ତାକୁ ବଳାତ୍କାର କରିଥିଲେ।

Comments are closed.