ଛତିଶଗଡରେ ବସ ଦୁର୍ଘଟଣାରେ ଗଂଜାମ ଜିଲ୍ଲାର ୭ ମୃତ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ମୃତକଙ୍କ ପରିବାରକୁ ଅନୁକଂପାମୂଳକ ସହାୟତା ଘୋଷଣା

ରାୟପୁର : ଗଂଜାମ ଜିଲ୍ଲାରୁ ପ୍ରବାସୀଙ୍କୁ ନେଇ ସୁରତ ଯାଉଥିବା ଗୋଟିଏ ବସ୍ ଛତିଶଗଡରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି ଓ ଏକାଧିକ ଆହତ ହୋଇଛନ୍ତି । ଛତିଶଗଡର ରାୟପୁର ନିକଟସ୍ଥ ଛେରିଖେଡାରେ ଆଜି ଭୋରରେ ବସ୍ ସହ ଗୋଟିଏ ଟ୍ରକର ମୁହାଁମୁହିଁ ଧକକା ହୋଇଥିଲା ।

ସ୍ଥାନୀୟ ପ୍ରଶାସନ ଦୁର୍ଘଟଣାସ୍ଥଳରେ ପହଂଚିଛି । ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତି ମୃତକଙ୍କ ସଂପର୍କୀୟଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫାଂଡିରୁ ୨ ଲକ୍ଷ ଟଂକା ଲେଖାଏଁ ଅନୁକଂପାମୂଳକ ସହାୟତା ଘୋଷଣା କରିଛନ୍ତି । ଆହତ ଲୋକଙ୍କ ମାଗଣା ଚିକିତ୍ସା ପାଇଁ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ଲୋକଙ୍କ ତୁରନ୍ତ ସହାୟତା ପାଇଁ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ତୁରନ୍ତ ରାୟପୁର ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡା ଡିଜିପିଙ୍କୁ ଛତିଶଗଡ ଡିଜିପିଙ୍କ ସହ କଥାହୋଇ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

Comments are closed.