ନବୀନ ପଟ୍ଟନାୟକ: ସମୃଦ୍ଧ ଓଡିଶାର ସୁଦକ୍ଷ ବିନ୍ଧାଣି

ନବୀନ ପଟ୍ଟନାୟକ । ଓଡିଆ ମାଟିର ବରପୁତ୍ରମାନଙ୍କ ମଧ୍ୟରେ ଅନ୍ୟତମ ପ୍ରବାଦ ପୁରୁଷ ମହାନ ବିଜୁବାବୁଙ୍କ ଦେହାନ୍ତ ପରେ ବାଧ୍ୟବାଧକତାରେ ରାଜ୍ୟ ରାଜନୀତିରେ ପାଦ ଥାପିଥିଲେ ନବୀନ । ବାପା ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ପାଥେୟକରି ଗଢିଥିଲେ ବିଜୁ ଜନତା ଦଳ –ବିଜେଡି । ଏହି ଦଳ ଜରିଆରେ ଏକ ନୂଆ, ସମୃଦ୍ଧ ଓ ସଶକ୍ତ ଓଡିଶା ଗଠନ ପାଇଁ ସଂକଳ୍ପ ନେଇଥିଲେ ନବୀନ । ଦୃଢ ଆତ୍ମବିଶ୍ୱାସ,ନିଷ୍ଠା, କର୍ମ ପ୍ରବଣତା ଓ ସ୍ୱଚ୍ଛ ଏବଂ ନିର୍ମଳ ଭାବମୂର୍ତି ପାଇଁ ହିଁ ନବୀନ ରାଜନୀତି କ୍ଷେତ୍ରରେ ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ପାଇଛନ୍ତି ଅଶେଷ ଲୋକପ୍ରିୟତା । ପାଂଚ ପାଂଚ ଥର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବା ନବୀନଙ୍କ ଲୋକପ୍ରିୟତାର ପ୍ରମାଣ ଦିଏ । ଲୋକଙ୍କ ସେବାରେ ନବୀନଙ୍କ ଉତ୍ସର୍ଗୀକୃତ ସରକାର । କଥା ନୁହେଁ , କେବଳ କାମରେ ବିଶ୍ୱାସ ।

ଓଡିଶାକୁ ଭାରତର ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢି ତୋଳିବାକୁ ନିରନ୍ତର ପ୍ରୟାସ । ସେଥିପାଇଁ ତ ନବୀନ ପଟ୍ଟନାୟକ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଓ ଅପ୍ରତିଦ୍ୱନ୍ଦୀ ଜନନାୟକ । ନିର୍ମଳ ଭାବମୂର୍ତି, ପ୍ରାଶାସନିକ ପାରଦର୍ଶିତା ଓ ସମାଜର ସବୁ ବର୍ଗର କଲ୍ୟାଣ ପାଇଁ ଯୁଗାନ୍ତକାରୀ ଅଭିନବ ଯୋଜନା ଓ ପ୍ରଭାବଶାଳୀ କାର୍ଯ୍ୟକାରିତା ହିଁ ନବୀନଙ୍କୁ ଆଜି ଲୋକପ୍ରିୟତାର ଶୀର୍ଷରେ ପହଂଚାଇଛି । ୨୦୦୦ ମସିହାଠାରୁ ପ୍ରତ୍ୟେକ ନିର୍ବାଚନରେ ନବୀନଙ୍କ ଲଗାତର ବିଜୟ ହିଁ ତାଙ୍କ ଉପରେ ଜନସାଧାରଣଙ୍କ ଅତୁଟ ଆସ୍ଥାର ପ୍ରମାଣ ଦିଏ । ଭାରତୀୟ ରାଜନୀତିର ଜଣେ ଲୋକପ୍ରିୟ ଓ ସଫଳ ବ୍ୟକ୍ତିତ୍ୱ ଭାବେ ପରିଚୟ ସୃଷ୍ଟି କରିଥିବା ନବୀନ ପଟ୍ଟନାୟକ ଆଜି ୭୫ ବର୍ଷରେ ପଦାର୍ପଣ କରିଛନ୍ତି । ମିଷ୍ଟଭାଷୀ, ନମ୍ର, ଦୃଢମନା ଓ ଦୂରଦୃଷ୍ଟିସଂପନ୍ନ ମୁଖ୍ୟମନ୍ତ୍ରୀ ଭାବେ ଖ୍ୟାତିପ୍ରାପ୍ତ ନବୀନଙ୍କ ଜନ୍ମଦିନ ଅବସରରେ ଗତ ୨୦ ବର୍ଷରେ ତାଙ୍କ ସରକାରଙ୍କ ଉଲ୍ଲେଖନୀୟ ଉପଲବ୍ଧି ଉପରେ ଦୃଷ୍ଟି ପକାଇବା ।

କୋଭିଡ-୧୯ ମହାମାରୀର ସଫଳ ପରିଚାଳନା

ନବୀନଙ୍କ ପଂଚମ ପାଳି ସରକାର ପାଇଁ କୋରୋନା ମହାମାରୀ ଏକ ବଡ ଆହ୍ୱାନ ସୃଷ୍ଟି କରିଥିଲା । ହେଲେ ଏଥିରେ ବିଚଳିତ ହୋଇ ନ ଥିଲେ ନବୀନ । ମାର୍ଚ୍ଚ ମାସରେ ଯେତେବେଳେ ରାଜ୍ୟରେ ପ୍ରଥମ ରୋଗୀ ଚିହ୍ନଟ ହେଲେ, ସେତେବେଳେକୁ ଭାଇରସ ନିୟନ୍ତ୍ରଣ ପାଇଁ ନିଆଯାଇଥିଲା ଅନେକ ଆଗୁଆ ପଦକ୍ଷେପ । ଜାତୀୟ ସ୍ତରରେ ଲକଡାଉନ, ସଟ୍‌ଡାଉନ ଭଳି କଟକଣା ଲାଗୁ କରାଯିବା ଆଗରୁ ଓଡିଶାରେ ସେଭଳି କଟକଣା ପ୍ରଥମେ ଲାଗୁ କରାଯାଇଥିଲା । ତୃଣମୂଳ ସ୍ତରରେ ମହାମାରୀ ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଇଥିଲା ଏକାଧିକ ଅଭିନବ ପଦକ୍ଷେପ । ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଓ ଉତ୍ସର୍ଗୀକୃତ କୋଭିଡ ହସପିଟାଲ୍ ଏବଂ କୋଭିଡ କେୟାର ସେଂଟର ପ୍ରତିଷ୍ଠା କରି ଆଗକୁ ବଢିଥିଲା ଓଡିଶା । ହଟସ୍ପଟ ଗଂଜାମ ଜିଲ୍ଲାରେ ମହାମାରୀ ମୁକାବିଲା ମଡେଲ୍ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇଛି । ମହାମାରୀ ନିୟନ୍ତ୍ରଣ ପାଇଁ ଆଦର୍ଶ ପଦ କ୍ଷେପ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରି ସଂସ୍ଥା ନବୀନ ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛି ।

Naveen Patnaik 5

୫-ଟି ଓ ମୋ ସରକାର :

୨୦୧୯ରେ ଲଗାତର ପଂଚମ ଥର ପାଇଁ ନିର୍ବାଚିତ ହୋଇ କ୍ଷମତା ବଜାୟ ରଖିଲା ପରେ ଜନକଲ୍ୟାଣକାରୀ ଯୋଜନା କିଭଳି ସଠିକ୍ ଭାବେ ଲୋକଙ୍କ ପାଖରେ ପହଂଚିପାରିବ, ସେ ନେଇ ନବୀନ ଆରମ୍ଭ ହୋଇଥିଲା ୫-ଟି ଓ ମୋ ସରକାର ଯୋଜନା

ସରକାରୀ ଯୋଜନାକୁ ବୈଷୟିକ ଜ୍ଞାନ କୌଶଳ ଜରିଆରେ ଲୋକଙ୍କ ପାଖରେ ସ୍ୱଚ୍ଛ ଭାବେ ପହଂଚାଇବା ପାଇଁ ଥିଲା ୫-ଟି ଯୋଜନାର ମୂଳ ଉଦ୍ଦେଶ୍ୟ । ଦୁର୍ନୀତିଗ୍ରସ୍ତ ଓ ଦକ୍ଷତା ବିହୀନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ଥିଲା ଯୋଜନାର ଉଦ୍ଦେଶ୍ୟ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ଏହି ଯୋଜନାର ତଦାରଖ କରୁଛନ୍ତି । ସ୍ୱଚ୍ଛ ପ୍ରଶାସନ ପାଇଁ ଆଉ ଏକ ଅଭିନବ ପ୍ରୟାସ ହେଉଛି ‘ମୋ ସରକାର’ । ଏହି ଅଭିଯାନ ଅନ୍ତର୍ଗତ ସରକାରୀ ଅଫିସକୁ ବିଭିନ୍ନ ସେବା ପାଇଁ ଆସୁଥିବା ଲୋକଙ୍କ ମତାମତ ଆଧାରରେ କର୍ମଚାରୀ ଓ ଅଧିକାରୀଙ୍କ ଦକ୍ଷତା ମାପିବା ବ୍ୟବସ୍ଥା ରହିଛି । ଲୋକେ ଯଦି ସେବାରେ ଅସନ୍ତୁଷ୍ଟ, ତାହା ହେଲେ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଆକସନ୍ ।

ଓଡିଆ ଭାଷା ସାହିତ୍ୟ ଓ ଐତିହ୍ୟର ସୁରକ୍ଷା

ନବୀନଙ୍କ ସରକାର ଓଡିଆ ଭାଷା, ସାହିତ୍ୟ ଏବଂ ଐତିହ୍ୟର ସୁରକ୍ଷା ଦିଗରେ ଆନ୍ତରିକତାର ସହ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ନବୀନ ସରକାରଙ୍କ ଉଦ୍ୟମ ଯୋଗୁଁ ଓଡିଆକୁ ମିଳିଛି ଶାସ୍ତ୍ରୀୟ ଭାଷାର ମାନ୍ୟତା । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନାଁରେ ଏକ ସ୍ୱତନ୍ତ୍ର ବିଭାଗ ଖୋଲା ଯାଇଛି । ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପାଇଁ ଅଲଗା ହେରିଟେଜ୍ କ୍ୟାବିନେଟ୍ ଗଠନ କରାଯାଇଛି ।

ବାତ୍ୟା ସୁପରିଚାଳନା ଓ ମିଶନ ଜିରୋ କାଜୁଆଲିଟି

୧୯୯୯ ମସିହାରେ ବିନାଶକାରୀ ମହାବାତ୍ୟା ଓଡିଶାକୁ ଛାରଖାର କରିଦେଇଥିଲା । ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଓଡିଶାର ଦୁର୍ବଳତାକୁ ପଦାରେ ପକାଇ ଦେଇଥିଲା ମହାବାତ୍ୟା । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲା ପରେ ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟରେ ଜନଜୀବନ ହାନି ଯଥାସମ୍ଭବ କମ୍ କରିବାକୁ ନେଇଥିଲେ ଏକାଧିକ ଠୋସ୍ ପଦକ୍ଷେପ । ନିର୍ମାଣ ହେଲା ବାତ୍ୟା ଆଶ୍ରୟସ୍ଥଳୀ । ଗଠିତ ହୋଇଥିଲା ଓଡ୍ରାଫ୍ । ୨୦୧୩ରେ ଫାଇଲିନ୍ ବାତ୍ୟା ବେଳେ ନବୀନଙ୍କ ମିଶନ ଜିରୋ କାଜୁଆଲିଟି ବେଶ୍ ସଫଳ ରହିଥିଲା । ଲୋକେ ଆଉ ବାତ୍ୟାକୁ ଡରୁନାହାନ୍ତି । ସଚେତନ ହୋଇଛନ୍ତି । ହୁଦହୁଦ୍‌, ତିତଲି ଓ ଫନୀ ବାତ୍ୟାରେ ବି ନବୀନ ସରକାରଙ୍କ ମିଶନ ଜିରୋ କାଜୁଆଲିଟିର ସଫଳତା ପ୍ରମାଣିତ ହୋଇଛି । ନବୀନଙ୍କ ଅଧିନରେ ଓଡିଶା ଏବେ ବାତ୍ୟାର ସଫଳ ମୁକାବିଲା ପାଇଁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ବେଶ୍ ପ୍ରଶଂସିତ । ଆଉ ଏଥିପାଇଁ ମିଳିଛି ଜାତିସଂଘର ବି ସ୍ୱୀକୃତି ।

ମହିଳା ସଶକ୍ତିକରଣ ଓ ‘ମିଶନ ଶକ୍ତି’

ରାଜ୍ୟରେ ମହିଳାଙ୍କ ବିକାଶ, ସେମାନଙ୍କ ସଶକ୍ତିକରଣ ଓ ଆର୍ଥିକ ଆତ୍ମନିର୍ଭରଶୀଳତା ଉପରେ ନବୀନଙ୍କ ପ୍ରାଥମିକତାର ପ୍ରତିଫଳନ ହେଉଛି ‘ମିଶନ ଶକ୍ତି’ କାର୍ଯ୍ୟକ୍ରମ । ନିଜ ମୁଖ୍ୟମନ୍ତ୍ରିତ୍ୱର ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ନବୀନ ଆରମ୍ଭ କରିଥିଲେ ଏହି ମହତ୍ୱାଂକାକ୍ଷୀ ଯୋଜନା । ୭୦ ଲକ୍ଷରୁ ଅଧିକ ଗ୍ରାମୀଣ ମହିଳା ଓ ପ୍ରାୟ ୬ ଲକ୍ଷ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ମିଶନ ଶକ୍ତି ଦ୍ୱାରା ଉପକୃତ ହୋଇଛନ୍ତି । କେବଳ ସେତିକି ନୁହେଁ, ୨୦୨୦ରେ ନବୀନଙ୍କ ସରକାର ଆଉ ପାଦେ ଆଗକୁ ଯାଇ ମିଶନ ଶକ୍ତି ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଖୋଲିବାକୁ ନିଷ୍ପତି ନେଇଥିଲେ ।

ଉନ୍ନତ ସ୍ୱାସ୍ଥ୍ୟସେବା

ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ନବୀନ ସରକାରଙ୍କ ଅମଳରେ କାର୍ଯ୍ୟକାରୀ ହୋଇଛି ଏକାଧିକ ଯୋଜନା । ନିଆଯାଇଛି ଅନେକ ପଦକ୍ଷେପ । ୯ଟି ନୂଆ ମେଡିକାଲ କଲେଜ ଓ ହସପିଟାଲ୍ ଖୋଲାଯାଇଛି । ଏସସିବିରେ ଏମସ୍ ଭଳି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅଭିଯାନ ଆରମ୍ଭ ହୋଇଛି । ମାଗଣା ଡାଇଲିସିସ ପାଇଁ ସହାୟ ଯୋଜନା ସହ ଭୁବନେଶ୍ୱରରେ ଆଧୁନିକ କ୍ୟାନସର କେୟାର ଆଣ୍ଡ୍ ରିସର୍ଚ୍ଚ ସେଂଟର ଖୋଲାଯାଇଛି ।

କୃଷି ଓ କୃଷକଙ୍କ ବିକାଶ ପାଇଁ ‘କାଳିଆ’

ରାଜ୍ୟରେ କୃଷକଙ୍କ ବିକାଶ ପାଇଁ ନବୀନ ସରକାରଙ୍କ ଏକ ଫ୍ଲାଗସିପ୍ ଯୋଜନା ହେଉଛି ‘କାଳିଆ’ । କ୍ଷୁଦ୍ର ଓ ନାମମାତ୍ର, ଭୂମିହୀନ ଚାଷୀଙ୍କୁ କୃଷି କାର୍ଯ୍ୟ ପାଇଁ ବର୍ଷକୁ ଦୁଇ ଥର ଆର୍ଥିକ ସହାୟତା ପ୍ରଦାନ ହେଉଛି ଏହି ଯୋଜନାର ଲକ୍ଷ୍ୟ । ନବୀନଙ୍କ ଏହି ଯୋଜନାକୁ ଭାରତର ପଂଚଦଶ ଅର୍ଥ ଆୟୋଗ ବେଶ୍ ପ୍ରଶଂସା କରିଥିଲେ ।

ସହରାଂଚଳ ବସ୍ତିବାସିନ୍ଦାଙ୍କ ପାଇଁ ‘ଜାଗା ମିଶନ’

ରାଜ୍ୟର ସହରାଂଚଳରେ ଥିବା ବସ୍ତିବାସିନ୍ଦା ଯେପରି ବିସ୍ଥାପନର କଷ୍ଟ ନ ଭୋଗିବେ, ସେ ଦିଗରେ ନବୀନ ସରକାର ନେଇଥିଲେ ଏକ ଅଭିନବ ଓ ଐତିହାସିକ ପଦକ୍ଷେପ । ଆରମ୍ଭ ହୋଇଥିଲା ‘ଜାଗା’ ଯୋଜନା । ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟ୍ଟା ଯୋଗାଇ ଦେବା ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ହୋଇଥିଲା ଏହି ଐତିହାସିକ ଯୋଜନା । ଏହି ଯୋଜନା ଅଧୀନରେ ରାଜ୍ୟର ପାଖାପାଖି ୨ ହଜାର ୫ ଶହ ବସ୍ତିର ୧୦ ଲକ୍ଷ ଲୋକଙ୍କୁ ଆଖି ଆଗରେ ରଖି ନବୀନ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ ।

ଗରିବଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା

କେହି ଭୋକରେ ନ ରହୁ । ଅନାହାରରେ ନ ସଢୁ କେହି ପରିବାର । ଆଉ ଏଥିପାଇଁ ନବୀନ ସରକାର ଦୁଇ ବେଳା ପେଟପୂରା ଖାଇବାକୁ ପାଉ ନ ଥିବା ରାଜ୍ୟର ଗରିବ ପରିବାରଙ୍କୁ ମାତ୍ର ଏକ ଟଂକାରେ ଚାଉଳ ଯୋଗାଣ ଭଳି ଏକ ମହତ୍ୱାକାଂକ୍ଷୀ ଯୋଜନା ଆରମ୍ଭ କରିଥିଲେ । ୬୦ ଲକ୍ଷ ପରିବାର ମୁହଁରେ ହସ ଫୁଟାଇଥିଲା ଏହି ଯୋଜନା । ଗରିବଙ୍କ ଖାଦ୍ୟ ସୁରକ୍ଷା ପାଇଁ ଏହି ଦୂରଦୂଷ୍ଟିସଂପନ୍ନ ଯୋଜନା ଦେଶର ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଥିଲା ।

ସହରାଂଚଳ ଗରିବଙ୍କ ପାଇଁ ‘ଆହାର’

ନବୀନ ସରକାରଙ୍କ ଆଉ ଏକ ଉଲ୍ଲେଖନୀୟ ଯୋଜନା । ୨୦୧୫ ମସିହା ଏପ୍ରିଲ ପହିଲାରେ ଆହାର ଯୋଜନାର ହୋଇଥିଲା ଶୁଭାରମ୍ଭ । ସହରାଂଚଳର ଗରିବ ଲୋକଙ୍କୁ ମାତ୍ର ୫ ଟଙ୍କାରେ ଭୋଜନ ଯୋଗାଇବା ହେଉଛି ଏହି ଲୋକପ୍ରିୟ ଯୋଜନାର ଲକ୍ଷ୍ୟ । ଏଥିପାଇଁ ପ୍ରତି ଜିଲ୍ଲାର ସଦର ମହକୁମାରେ ଆହାର କେନ୍ଦ୍ର ଖୋଲାଯାଇଥିଲା । ପ୍ରତିଦିନ ପାଖାପାଖି ୭୦ ହଜାର ଲୋକ ଏହି ଯୋଜନା ଦ୍ୱାରା ଉପକୃତ ହୁଅନ୍ତି ।

ଖୁସି ଯୋଜନା

ଏହି ଯୋଜନା ହେଉଛି ନବୀନ ସରକାରଙ୍କ ଲୋକପ୍ରିୟ ଓ ଗୁରୁତ୍ୱପୂଣ୍ଣ ର୍ ଯୋଜନା ମଧ୍ୟରେ ଅନ୍ୟତମ । ଯୋଜନା ଅନ୍ତର୍ଗତ ସବୁ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପଢୁଥିବା ଝିଅଙ୍କୁ ମାଗଣାରେ ସାନିଟାରୀ ନାପକିନ୍ ଯୋଗାଇ ଦିଆଯାଉଛି ।

କ୍ରୀଡା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ

ନବୀନ ସରକାର ରାଜ୍ୟରେ କ୍ରୀଡାର ବିକାଶ ଓ ପ୍ରତିଭା ଚିହ୍ନଟ ପାଇଁ ନେଇଛନ୍ତି ଏକାଧିକ ପଦକ୍ଷେପ । ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପଦକ ବିଜେତାଙ୍କୁ ନଗଦ ଆର୍ଥିକ ପୁରସ୍କାର ଦିଆଯାଉଛି । କ୍ରୀଡା ଭିତିଭୂମିର ଉନ୍ନତି କରାଯାଉଛି । ବିଶ୍ୱସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନ କରି ଖ୍ୟାତି ହାସଲ କରିଛି ଓଡିଶା । କଳିଙ୍ଗ ଷ୍ଟାଡିୟମରେ ଚାମ୍ପିଅନଓ ଟ୍ରଫି ହକି, ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍ , ବିଶ୍ୱ କପ୍ ହକି ସଫଳ ଭାବେ ଆୟୋଜନ ହୋଇଛି । ଦେଖିବାକୁ ଗଲେ ଭୁବନେଶ୍ୱର ଭାରତର ସ୍ପୋର୍ଟସ କ୍ୟାପିଟାଲରେ ପରିଣତ ହୋଇଛି । କ୍ରୀଡା ଓ କ୍ରୀଡାବିତଙ୍କ ବିକାଶ ନବୀନଙ୍କ ପ୍ରାଥମିକତା ତାଲିକାରେ ରହିଛି ।

Comments are closed.