ସିଦ୍ଧୁଙ୍କ ପରାମର୍ଶଦାତା ମାଲବିନ୍ଦର ସିଂ ମାଲିଙ୍କ ଇସ୍ତଫା, କାଶ୍ମୀର ଓ ଇନ୍ଦିରା ଗାନ୍ଧୀଙ୍କ ଉପରେ ଦେଇଥିଲେ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଚାଲିଥିବା ରାଜନୈତିକ ବିବାଦ ମଧ୍ୟରେ କାଶ୍ମୀର ଓ ଇନ୍ଦିରା ଗାନ୍ଧୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନବଜୋତ ସିଂ ସିଦ୍ଧୁଙ୍କ ପରାମର୍ଶଦାତା ମାଲବିନ୍ଦର ସିଂ ମାଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଉପଦେଷ୍ଟା ମାଲବିନ୍ଦରଙ୍କୁ ହଟାଇବା ପାଇଁ କଂଗ୍ରେସ ନବଜୋତ ସିଂ ସିଦ୍ଧୁଙ୍କୁ ଚେତାବନୀ ଦେଇଥିଲା। ଏହା ପରେ ମାଲି ନିଜ ପଦରୁ ଇସ୍ତଫା ଦେଇଛନ୍ତି । କେବଳ ଏତିକି ନୁହେଁ ମାଲି କହିଛନ୍ତି ଯେ ତାଙ୍କ ଜୀବନ ପ୍ରତି ବିପଦରେ ଅଛି ଏବଂ ଏଥିପାଇଁ ସେ କ୍ୟାପଟେନ ଅମରିନ୍ଦରଙ୍କ ସମେତ କିଛି ଲୋକଙ୍କୁ ଦାୟୀ କରିଛନ୍ତି।

ନବଜୋତ ସିଂ ସିଦ୍ଧୁ ନିକଟରେ ମାଲବିନ୍ଦର ସିଂ ମାଲି ଏବଂ ପ୍ୟାର ଲାଲ ଗର୍ଗଙ୍କୁ ପରାମର୍ଶଦାତା ଭାବରେ ନିଯୁକ୍ତ କରିଥିଲେ। ତେବେ ପାକିସ୍ତାନ, କାଶ୍ମୀର ଏବଂ ଇନ୍ଦିରା ଗାନ୍ଧୀଙ୍କ ଉପରେ ଦେଇଥିବା ବୟାନ ପାଇଁ ମାଲି ଚର୍ଚ୍ଚାରେ ରହିଥିଲେ। ମାଲି କହିଥିଲେ ଯେ କାଶ୍ମୀର ଭାରତର କି ପାକିସ୍ତାନର ଅଂଶ ନୁହେଁ । ଏହା ପରେ ମାଲି ପୁଣି ଥରେ ବିବାଦକୁ ଆସିଥିଲେ ଯେତେବେଳେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏକ ଆପତ୍ତିଜନକ ଫଟୋ ଫେସବୁକରେ ପୋଷ୍ଟ କରିଥିଲେ। ଏହି ଫଟୋରେ ଇନ୍ଦିରା ଗାନ୍ଧୀ ବନ୍ଧୁକ ଧରି ଏକ କଙ୍କାଳ ଗଦା ଉପରେ ବସିଥିବାର ନଜର ଆସିଛନ୍ତି। ସେବେଠାରୁ ମାଲିଙ୍କୁ ଦଳରୁ ବହିଷ୍କାର କରିବାକୁ ଦାବି ଜୋର୍ ଧରିଥିଲା।
କେବଳ ଏତିକି ନୁହେଁ, ମାଲବିନ୍ଦର ସିଂ ମାଲି ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିରୋଧରେ ମନ୍ତବ୍ୟ ଦେଇ ଆସୁଥିଲେ ଏବଂ ତାଙ୍କ ଫେସବୁକ ପୋଷ୍ଟରେ ସେ ଅମରିନ୍ଦର ସିଂଙ୍କୁ ‘ଅଲି ବାବା’ ଏବଂ ତାଙ୍କ ସହଯୋଗୀମାନଙ୍କୁ ‘ଚାଲିସ୍ ଚୋର’ ବୋଲି କହିଥିଲେ ।

Comments are closed.