‘ଓମିକ୍ରନ୍’ ଭୟ: ଆଜିଠାରୁ ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ ଲାଗୁ ହେବ ନୂଆ ଗାଇଡ ଲାଇନ୍, ‘ଏୟାର ସୁବିଧା’ ପୋର୍ଟାଲରେ ଅପଲୋଡ୍ କରିବାକୁ ହେବ କୋଭିଡ୍ ନେଗେଟିଭ୍ ରିପୋର୍ଟ

ନୂଆଦିଲ୍ଲୀ: କରୋନା ଜୀବାଣୁ ‘ଓମିକ୍ରନ୍’ର ନୂଆ ଭାରିଆଣ୍ଟ ବିପଦକୁ ଦୃଷ୍ଟିରେ ରଖି ଭାରତରେ ଆଜିଠାରୁ ବିମାନ ଯାତ୍ରା ସମ୍ପର୍କିତ ନୂଆ ଗାଇଡ ଲାଇନ୍ ଲାଗୁ ହେବ । ହାଇ ରିସ୍କ ଦେଶରୁ ଭାରତ ଆସୁଥିବା ଯାତ୍ରୀମାନଙ୍କ ପାଇଁ ସରକାର ସଂଶୋଧିତ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହାକୁ କଡାକଡି ଭାବେ ପାଳନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ସଂଶୋଧିତ ନିର୍ଦ୍ଦେଶାବଳୀ ଡିସେମ୍ବର ୧ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବୈଧ ହେବ।

ସଂଶୋଧିତ ଗାଇଡ ଲାଇନ୍ ଅନୁଯାୟୀ, ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଯାତ୍ରା ଆରମ୍ଭ ପୂର୍ବରୁ ତାଙ୍କ ଯାତ୍ରା ଇତିହାସ ଏବଂ ନେଗେଟିଭ ଆରଟି-ପିସିଆର ପରୀକ୍ଷା ରିପୋର୍ଟ କେନ୍ଦ୍ର ସରକାରଙ୍କ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ୍ କରିବାକୁ ପଡିବ। ଯେକୌଣସି ଆନ୍ତର୍ଜାତୀୟ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀମାନଙ୍କୁ ଗତ ୧୪ ଦିନର ଯାତ୍ରା ଇତିହାସର ରେକର୍ଡ ମାଗାଯିବ | ଏହି ରିପୋର୍ଟ ମାଧ୍ୟମରେ ସରକାର ଦେଖିବେ ଯେ ‘ଆଟ୍ ରିସ୍କ’ ତାଲିକାରେ ଅନ୍ତର୍ଭୁକ୍ତ ସମ୍ପୃକ୍ତ ଯାତ୍ରୀ ଦେଶକୁ ଯାଇଛନ୍ତି କି ନାହିଁ।

ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ସଂଶୋଧିତ ଗାଇଡ ଲାଇନ ଅନୁଯାୟୀ, ‘ରିସ୍କ ଦେଶ’ ତାଲିକା ବାହାରେ ଥିବା ଯାତ୍ରୀମାନଙ୍କୁ ଭାରତରେ ପହଞ୍ଚିବା ପରେ ବିମାନବନ୍ଦର ଛାଡିବାକୁ ଅନୁମତି ଦିଆଯାଇଛି। ଯାତ୍ରୀମାନେ ଯେଉଁମାନେ ‘ହାଇ ରିସ୍କ’ ଦେଶ ତାଲିକା ବ୍ୟତୀତ ଅନ୍ୟ ଦେଶରୁ ଆସୁଛନ୍ତି, ସେମାନେ ୧୪ ଦିନ ପର୍ଯ୍ୟନ୍ତ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ମନିଟରିଂ କରିବେ। ବିଦେଶରୁ ଆସୁଥିବା ଯାତ୍ରୀଙ୍କ ମଧ୍ୟରୁ ପାଞ୍ଚ ପ୍ରତିଶତ ଯାତ୍ରୀ ବିମାନବନ୍ଦରରେ ଅବତରଣ କରିବା ପରେ କୋଭିଡ୍ ଟେଷ୍ଟ କରିବେ।

ଗାଇଡ ଲାଇନ୍ ଅନୁଯାୟୀ, ‘ଆଟ୍ ରିସ୍କ’ ତାଲିକା ଦେଶରୁ ଆସୁଥିବା ଯାତ୍ରୀମାନେ ବିମାନବନ୍ଦରରେ ଅବତରଣ କରିବା ପରେ କରୋନା ପରୀକ୍ଷା କରିବେ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏହି ଯାତ୍ରୀମାନଙ୍କୁ ବିମାନବନ୍ଦରରେ ଅପେକ୍ଷା କରିବାକୁ ପଡିବ | ଯଦି ପରୀକ୍ଷା ରିପୋର୍ଟ ନେଗେଟିଭ ଆସେ, ତେବେ ସେମାନଙ୍କୁ ୭ ଦିନ ଘରେ କ୍ବାରେଣ୍ଟାଇନରେ ରହିବାକୁ ଦିଆଯିବ | ଏହା ପରେ, ଅଷ୍ଟମ ଦିନରେ ପୁନର୍ବାର ପରୀକ୍ଷା କରିବାକୁ ପଡିବ । ଯଦି ସେହି ରିପୋର୍ଟ ମଧ୍ୟ ନେଗେଟିଭ ଆସେ, ତେବେ ସେମାନଙ୍କୁ ଆଗାମୀ ୭ ଦିନ ପାଇଁ ସ୍ବ-ମନିଟରିଂରେ ରହିବାକୁ ପଡିବ |

କେନ୍ଦ୍ର ସରକାରଙ୍କ ‘ଆଟ୍ ରିସ୍କ’ ତାଲିକାରେ ସାମିଲ ଦେଶଗୁଡିକ ହେଉଛି ବ୍ରିଟେନ, ଇସ୍ରାଏଲ୍, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋତସ୍ୱାନା, ଚୀନ୍, ମରିସସ୍, ନ୍ୟୁଜିଲ୍ୟାଣ୍ଡ, ଜିମ୍ବାୱେ, ସିଙ୍ଗାପୁର ଏବଂ ହଂକଂ।

Comments are closed.