ପଞ୍ଜାବ: ଗ୍ୟାସ୍ ଲିକ୍ ଯୋଗୁଁ ୯ ମୃତ

ଲୁଧିଆନା: ପଞ୍ଜାବର ଲୁଧିଆନାରେ ଏକ ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକ୍ ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଛି। ମୃତମାନଙ୍କ ମଧ୍ୟରେ ଅଧିକାଂଶ ନାବାଳକ ଅଛନ୍ତି | ଏହି ଘଟଣାରେ ୧୧ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି । ଅସୁସ୍ଥମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ପୋଲିସ ଏବଂ ଏନଡିଆରଏଫ ଟିମ୍ ଉପସ୍ଥିତ ଅଛନ୍ତି। ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ସିଲ୍ କରାଯାଇଛି।

ବିଧାୟକ ରାଜିନ୍ଦରପାଲ କୌରଙ୍କ କହିବା ଅନୁଯାୟୀ ଗ୍ୟାସପୁରା ସ୍ଥିତ ଏକ କୋଠାରେ ପ୍ରଥମେ ବିଷାକ୍ତ ଗ୍ୟାସର ପ୍ରଭାବ ଅନୁଭୂତ ହୋଇଥିଲା । ଏହି କୋଠାରେ ଏକ ଦୁଗ୍ଧ ବୁଥ୍ ଅଛି । ସକାଳେ କ୍ଷୀର ଆଣିବାକୁ ଏଠାକୁ ଯେଉଁ ଲୋକ ଓ ପିଲା ଆସିଥିଲେ ସେମାନେ ଚେତାଶୂନ୍ୟ ହୋଇଯାଇଥିଲେ। ଏହା ପରେ ଗ୍ୟାସ ଲିକ୍ ସମ୍ପର୍କରେ ଜଣାପଡ଼ିଥିଲା | ଯେଉଁଠାରେ ଗ୍ୟାସ୍ ଲିକ୍ ହୋଇଛି ସେହି କୋଠାର ୩୦୦ ମିଟର ପରିଧି ଭିତରେ ଲୋକେ ଅସୁସ୍ଥ ଓ ବେହୋସ ହେଉଥିବା ଖବର ରହିଛି। କେଉଁ ଗ୍ୟାସ୍ ଲିକ୍ ହୋଇଛି ଓ ଏହାର କାରଣ କ’ଣ, ତାହା ଜଣାପଡିନାହିଁ ।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଭାବିତଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯାଉଛି । ଶୀଘ୍ର ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯିବ ବୋଲି ସେ କହିଛନ୍ତି ।

Comments are closed.