ମୁମ୍ବାଇରେ ନିର୍ଭୟା ଘଟଣାର ପୁନରାବୃତ୍ତି, ବଳାତ୍କାର ପରେ ଗୁପ୍ତାଙ୍ଗରେ ଲୁହା ରଡ୍ ପୂରାଇଲେ, ପୀଡିତା ସଙ୍କଟାପନ୍ନ

ମୁମ୍ବାଇ: ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ସାକିନାକା ଅଞ୍ଚଳରେ ୩୦ ବର୍ଷର ଜଣେ ମହିଳାଙ୍କ ସହ ନିର୍ଭୟା ଭଳି ପାଶବିକ ନିର୍ଯାତନା ହୋଇଛି । ବଳାତ୍କାର ପରେ ମହିଳାଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍ ପୂରାଇ ଲହୁଲୁହାଣ କରାଯାଇଛି । ଏହି ମାମଲାରେ ଏପର୍ଯ୍ୟନ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ । ପୋଲିସ କହିଛି ଯେ ପୀଡିତା ଚେତା ଫେରିବା ପରେ ହିଁ ତାଙ୍କ ବୟାନ ରେକର୍ଡ କରାଯିବ।

ମହିଳାଙ୍କୁ ପ୍ରଥମେ ବଳାତ୍କାର କରାଯାଇଥିଲା ଏବଂ ପରେ ସାକିନାକାରେ ଏକ ଟେମ୍ପୋ ଭିତରେ ଆକ୍ରମଣ କରାଯାଇଥିଲା। ଏହି ଘଟଣା ୨୦୧୨ ‘ନିର୍ଭୟା’ ମାମଲାକୁ ମନେ ପକାଇ ଦେଇଛି | ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଘଟଣାର କିଛି ଘଣ୍ଟା ମଧ୍ୟରେ ୪୫ ବର୍ଷୀୟ ଅଭିଯୁକ୍ତ ମୋହନ ଚୌହାନଙ୍କୁ ଗିରଫ କରାଯାଇଛି।

ପୋଲିସ କଣ୍ଟ୍ରୋଲ ରୁମକୁ ଶୁକ୍ରବାର ଦିନ ଏକ କଲ ଆସିଥିଲା ​​ଯେ ଜଣେ ବ୍ୟକ୍ତି ଖାଇରାନି ରୋଡରେ ଜଣେ ମହିଳାଙ୍କୁ ମାଡ ମାରୁଥିଲେ। ଉକ୍ତ ମହିଳାଙ୍କୁ ଖୋଜିବା ପାଇଁ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କୁ ମ୍ୟୁନିସିପାଲିଟି କର୍ପୋରେସନ୍ ପରିଚାଳିତ ରାଜୱାଡି ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ତଦନ୍ତ ଅନୁଯାୟୀ, ମହିଳାଙ୍କୁ ବଳାତ୍କାର ପରେ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍ ପୂରାଇ ଦେଇଥିଲେ ଅଭିଯୁକ୍ତ।

Comments are closed.