ଟୋକିଓ ଅଲିମ୍ପିକ୍ସ: ଗଲ୍ଫରେ ପଦକରୁ ଅଳ୍ପକେ ବଞ୍ଚିତ ଅଦିତି, ଚତୁର୍ଥ ସ୍ଥାନ ସହ ଶେଷ କଲେ ଅଭିଯାନ

ଟୋକିଓ: ଭାରତର ଅଦିତି ଅଶୋକ ଟୋକିଓ ଅଲିମ୍ପିକ୍ସ ମହିଳା ସିଙ୍ଗଲ୍ସ ଷ୍ଟ୍ରୋକ୍ ପ୍ଲେ ଗଲ୍ଫରେ ଐତିହାସିକ ପଦକରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି । ଶେଷ ଯାଏଁ ଚମତ୍କାର ପ୍ରଦର୍ଶନ କରିଥିବା ଅଦିତି ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି । ଗତକାଲି ତୃତୀୟ ରାଉଣ୍ଡ ସୁଦ୍ଧା ଅଦିତି ଦ୍ୱିତୀୟ ସ୍ଥାନରେ ରହି ପଦକ ଆଶା ଉଜ୍ଜୀବିତ ରଖିଥିଲେ । ଆଜି ମଧ୍ୟ ଟେବୁଲ ଟପର ଆମେରିକାର ନେଲ୍ଲି କୋର୍ଡାଙ୍କ ସମେତ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ନ୍ୟୁଜିଲାଣ୍ଡର ଲିଡିଆ କୋ’ ଏବଂ ଜାପାନର ମୋନେ ଇନାମୀଙ୍କୁ କଡ଼ା ଟକ୍କର ଦେଇଥିଲେ । ହେଲେ ଅଳ୍ପକେ ତାଙ୍କ ହାତରୁ ବ୍ରୋଞ୍ଜ ପଦକ ଖସିଯାଇଛି । ପଦକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଅଦିତି ନିଜ ପ୍ରଦର୍ଶନ ପାଇଁ ଚାରିଆଡ଼ୁ ପ୍ରଶଂସା ସାଉଁଟିଛନ୍ତି ।

ଆମେରିକାର ନେଲ୍ଲି କୋର୍ଡା ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ନ୍ୟୁଜିଲାଣ୍ଡର ଲିଡିଆ କୋ’ ଏବଂ ଜାପାନର ମୋନେ ଇନାମୀ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ଆଜି ଟୋକିଓ ଅଲିମ୍ପିକ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟର ଫାଇନାଲ ହେବାକୁ ଥିବା ବେଳେ ଭାରତର ନୀରଜ ଚୋପ୍ରାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଅଲିମ୍ପିକ୍ସ ଆଥଲେଟିକ୍ସରେ ଭାରତର ସର୍ବପ୍ରଥମ ପଦକର ପ୍ରତୀକ୍ଷାର ଅନ୍ତ ଘଟାଇ ପାରନ୍ତି ନୀରଜ । ସେହିପରି ରେସଲିଂରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ ।

Comments are closed.