କୁମ୍ଭମେଳାରେ କରୋନା ଟେଷ୍ଟିଂ ଜାଲିଆତି ମାମଲାରେ ଇଡ଼ିର ଚଢ଼ାଉ, ଲାପଟପ୍ ସହ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ହରିଦ୍ୱାରରେ କୁମ୍ଭମେଳା ବେଳେ ଲୋକଙ୍କ କରୋନା ଟେଷ୍ଟିଂରେ ଜାଲିଆତି ମାମଲାରେ ମନିଂ ଲଣ୍ଡ୍ରିଂ ଅଭିଯୋଗ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଆଜି ପାଞ୍ଚଟି ଡାଏଗ୍ନୋଷ୍ଟିକ୍ କମ୍ପାନୀର ଅଧିକାରୀଙ୍କ ଘରେ ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି । ଚଢ଼ାଉ ବେଳେ ଜାଲ ବିଲ୍‌, ଲାପଟପ୍‌, ମୋବାଇଲ ଫୋନ୍‌, ସମ୍ପତ୍ତି ସମ୍ବନ୍ଧୀୟ ଦସ୍ତାବିଜ୍ ଏବଂ ୩୦.୯ ଲକ୍ଷ ଟଙ୍କା ଜବତ କରାଯାଇଛି ।

ଇଡ଼ି ତରଫରୁ ନୋବସ ପାଥୋ ଲ୍ୟାବ୍ସ, ଡିଏନ୍‌ଏ ଲ୍ୟାବ୍ସ, ମ୍ୟାକ୍ସ କର୍ପୋରେଟ୍ ସର୍ଭିସେଜ୍‌, ଡାଃ. ଲାଲ ଚନ୍ଦାନୀ ଲ୍ୟାବ୍ସ ଏବଂ ନଲବା ଲାବ୍ରୋଟେରିଜ୍ ଅଛନ୍ତି । ଡେରାଡୁନ୍‌, ହରିଦ୍ୱାର, ଦିଲ୍ଲୀ, ନୋଏଡା ଏବଂ ହିସାରରେ ଥିବା ଏହି କମ୍ପାନୀ ଗୁଡିକର କାର୍ଯ୍ୟାଳୟ ଓ ସେମାନଙ୍କ ମାଲିକଙ୍କ ଘରେ ଚଢ଼ାଉ ହୋଇଛି । କୁମ୍ଭମେଳାରେ କରୋନା ଟେଷ୍ଟିଂ ବାବଦକୁ ଏହି ଡାଏଗ୍ନୋଷ୍ଟିକ କମ୍ପାନୀ ଗୁଡ଼ିକୁ ଉତ୍ତରାଖଣ୍ଡ ସରକାର ପୂର୍ବରୁ ୩ କୋଟି ୪୦ ଲକ୍ଷ ଟଙ୍କା ପୈଠ କରିଥିଲେ ।

କୁମ୍ଭମେଳା କରୋନା ଟେଷ୍ଟିଂ ଜାଲିଆତି ମାମଲାରେ ପୂର୍ବରୁ ଉତ୍ତରାଖଣ୍ଡ ପୋଲିସ୍ ଅଭିଯୋଗ ରୁଜୁ କରିଥିଲା । ଏହାପରେ ଏହି ଘଟଣାର ଇଡ଼ି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ରାଜ୍ୟ ସରକାର ଉକ୍ତ ଡାଏଗ୍ନୋଷ୍ଟିକ ସଂସ୍ଥା ଗୁଡ଼ିକୁ କୁମ୍ଭରେ କରୋନା ଟେଷ୍ଟିଂ ଦାୟିତ୍ୱ ଦେଇଥିଲେ । ସେମାନଙ୍କୁ ଲୋକଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଏବଂ ଆର୍‌ଟି-ପିସିଆର ଟେଷ୍ଟ କରିବାକୁ କୁହାଯାଇଥିଲା । ଏହି ସବୁ ଡାଏଗ୍ନୋଷ୍ଟିକ ସଂସ୍ଥା କୁମ୍ଭମେଳାରେ ଯେତିକି ସଂଖ୍ୟାରେ କରୋନା ଟେଷ୍ଟିଂ କରିଥିବା ଦାବି କରିଛନ୍ତି, ପ୍ରକୃତରେ ସେତିକି ହୋଇନଥିବା ଜଣାପଡ଼ିଛି । କରୋନ ଟେଷ୍ଟ ତାଲିକାରେ ଅନେକ ଲୋକଙ୍କ ନାମ ଓ ଠିକଣା ମଧ୍ୟ ଜାଲ୍ ଥିଲା ବୋଲି ତଦନ୍ତ ବେଳେ ଜଣାପଡ଼ିଥିଲା ।

Comments are closed.