ପର୍ଣ୍ଣ ଫିଲ୍ମ ମାମଲା: ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ, ଜେଲରେ ରହିବେ କୁନ୍ଦ୍ରା

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ବର୍ତ୍ତମାନ ଜେଲରେ ରହିବାକୁ ପଡ଼ିବ। ତୁରନ୍ତ ମୁକ୍ତ କରିବା ପାଇଁ ତାଙ୍କ ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଛନ୍ତି। ହାଇକୋର୍ଟ ତାଙ୍କ ଆଦେଶରେ କହିଛନ୍ତି, ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶରେ କୌଣସି ତ୍ରୁଟି ନଥିଲା, ଯେଉଁଥିରେ ଟ୍ରାଏଲ କୋର୍ଟ ରାଜ କୁନ୍ଦ୍ରଙ୍କୁ ଜୁଲାଇ ୨୦ରେ ପୋଲିସ ହାଜତକୁ ପଠାଇଥିଲେ। କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ରିଆନ୍ ଥର୍ପେ ମାଜିଷ୍ଟ୍ରେଟଙ୍କ କୋର୍ଟର ରିମାଣ୍ଡ ଆଦେଶକୁ ଚ୍ୟାଲେଞ୍ଜ କରି ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିବେଦନ କରିଥିଲେ।

ଅଶ୍ଳୀଳ ଫିଲ୍ମ ନିର୍ମାଣରେ ସଂମ୍ପୃକ୍ତ ଅଭିଯୋଗରେ ବ୍ୟବସାୟୀ କୁନ୍ଦ୍ରା ଓ ତାଙ୍କର ସହଯୋଗୀ ରିଆନ୍ ଥର୍ପେଙ୍କୁ ଜୁଲାଇ ୧୯ରେ ଗିରଫ କରାଯାଇଥିଲା। ଉଭୟ ଯୁକ୍ତି କରିଛନ୍ତି ଯେ ସେମାନେ ପ୍ରସ୍ତୁତ କରିଥିବା କଣ୍ଟେଣ୍ଟ ଅଶ୍ଳୀଳତା ନୁହେଁ ବରଂ ଓଟଟି ପ୍ଲାଟଫର୍ମରେ ପ୍ରଦର୍ଶିତ କଣ୍ଟେଣ୍ଟ ସହ ଏହା ସମାନ |

ଏହି ମାମଲାରେ ମୁମ୍ବାଇ ପୋଲିସ ଦାବି କରିଛି ଯେ ଯାଞ୍ଚ୍ ବେଳେ କୁନ୍ଦ୍ରା ଆର୍ମସପ୍ରିମ ମିଡିଆ ପିଭି ଲିମିଟେଡ ନାମକ ଏକ କମ୍ପାନୀ ନାମରେ ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ଅପଲୋଡ୍ କରିବା ପାଇଁ ଲଣ୍ଡନର କେନ୍ରିନ୍ ପିଭି ଲିମିଟେଡ୍ ମାଧ୍ୟମରେ ହଟସଟ୍ ଆପ୍ କିଣିଥିଲେ। ପୋଲିସ ଆହୁରି କହିଛି ଯେ କୁନ୍ଦ୍ରା ଗତ ବର୍ଷ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ହଟ୍‌ସଟ୍‌ ମାଧ୍ୟମରେ ୧.୧୭ କୋଟିରୁ ଅଧିକ ଆୟ କରିଥିଲେ। ଅଭିଯୁକ୍ତଙ୍କ କାର୍ଯ୍ୟାଳୟରେ ହୋଇଥିବା ଚଢାଉ ସମୟରେ ପୋଲିସ ୫୧ ଆପତ୍ତିଜନକ ଭିଡିଓ ପାଇଥିବା ଦାବି କରିଛି।

Comments are closed.