ଭାରତରେ ଜରୁରୀ ବ୍ୟବହାର ପାଇଁ ଜନସନ ଆଣ୍ଡ ଜନସନର ସିଙ୍ଗଲ୍ ଡୋଜ ଟିକାକୁ ମଞ୍ଜୁରି

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢେ଼ଇରେ ଭାରତକୁ ଆଉ ଏକ ଟିକା ମିଳିଛି। ଆମେରିକାର ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନର ସିଙ୍ଗଲ୍ ଡୋଜ ଟିକାକୁ ଭାରତରେ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରି ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଜନସନ ଆଣ୍ଡ ଜନସନ ଶୁକ୍ରବାର ଦିନ ଏହାର ସିଙ୍ଗଲ୍ ଡୋଜ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମୋଦନ ଲୋଡିଥିଲା। ଭାରତରେ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରି ପାଇବାରେ ଏହା ହେଉଛି ପଞ୍ଚମ କୋଭିଡ୍ ଟିକା | ତେବେ ବଡ଼ କଥା ହେଲା ଏହା ପ୍ରଥମ ସିଙ୍ଗଲ୍-ଡୋଜ ଟିକା ଯାହା ଭାରତରେ ବ୍ୟବହାର କରାଯିବ ।

ବର୍ତ୍ତମାନ ଭାରତରେ କୋଭାକ୍ସିନ, କୋଭିଶିଲ୍ଡ ଏବଂ ରୁଷର ଟିକା ସ୍ପୁଟନିକ୍-ଭି ସହାୟତାରେ ଏକ ବିଶାଳ ଟିକାକରଣ ଅଭିଯାନ ଚାଲିଛି। କୋଭାକ୍ସିନ୍, କୋଭିଶିଲ୍ଡ ଏବଂ ସ୍ପୁଟନିକ୍-ଭି ହେଉଛି ଡବଲ୍-ଡୋଜ୍ ଟିକା | ଏହି ତିନି ଟିକା ସହ ଆମେରିକୀୟ କମ୍ପାନୀ ମଡେର୍ଣ୍ଣା ଦ୍ବାରା ବିକଶିତ ଟିକାର ଆମଦାନୀ ପାଇଁ ମଧ୍ୟ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ ପୂର୍ବରୁ ମଞ୍ଜୁରି ଦେଇସାରିଛନ୍ତି ।

ସରକାରୀ ତଥ୍ୟ ଅନୁଯାୟୀ ଦେଶର ପ୍ରାୟ ୧୩୩ କୋଟି ଜନସଂଖ୍ୟା ମଧ୍ୟରୁ ଏଯାବତ୍ ୫୦ କୋଟି ଲୋକଙ୍କ ଟିକାକରଣ ହୋଇସାରିଛି।

ଜନସନ ଆଣ୍ଡ ଜନସନର ସିଙ୍ଗଲ୍ ଡୋଜ ଟିକା କରୋନାର ମଧ୍ୟମ ଓ ଗମ୍ଭୀର ମାମଲାରେ ୬୬ ପ୍ରତିଶତ ଏବଂ ଗୁରୁତର ମାମଲାରେ ୮୫ ପ୍ରତିଶତ ପ୍ରଭାବୀ ବୋଲି ଅଧ୍ୟୟନରୁ ଜଣାପଡ଼ିଛି । ଏହାକୁ ସାଧାରଣ ତାପମାତ୍ରାରେ ମଧ୍ୟ ସଂରକ୍ଷିତ ରଖାଯାଇପାରିବ ।

Comments are closed.