ଶାବର ତନ୍ତ୍ରର ଦେବୀ ଶ୍ରୀକ୍ଷେତ୍ରର ବିଶ୍ୱେଶ୍ୱରୀ

ଶ୍ରୀକ୍ଷେତ୍ରକୁ ରକ୍ଷା କରିବା ପାଇଁ ଏହାର ଅଷ୍ଟ ଦିଗରେ ଅଷ୍ଟଚଣ୍ଡି ବିରାଜିତ। ଏହି ଅଷ୍ଟଚଣ୍ଡିଙ୍କ ମଧ୍ୟରୁ ମା ବିଶ୍ୱେଶ୍ୱରୀ ଅନ୍ୟତମ। ଭକ୍ତବତ୍ସଲା ମା ହେଉଛନ୍ତି ଉଗ୍ରରୂପା। ମା ଙ୍କ ମନ୍ଦିରଟି ଭବ୍ୟ ହେଲେ ମଧ୍ୟ ଏହା ଜନ ସାଧାରଣଙ୍କ ଆଢୁଆଳରେ ରହିଯାଇଛି। ନରେନ୍ଦ୍ର ସରୋବରର ପଶ୍ଚିମ ଦିଗରେ ଚୁଡ଼ଙ୍ଗ ସାହି ଓ ନରେନ୍ଦ୍ରକୋଣର ଛକ ଯାଗାରେ ମା ଙ୍କ ମନ୍ଦିର। ମା ବିଶ୍ୱେଶ୍ୱରୀ ହେଉଛନ୍ତି ଶାବର ତନ୍ତ୍ରର ଦେବୀ।

ମା ବିଶ୍ୱେଶ୍ୱରୀଙ୍କ ବିଗ୍ରହ ଅତ୍ୟନ୍ତ ଉଗ୍ରରୂପା। କଳା ମୁଗୁନି ପ୍ରସ୍ତରରେ ନିର୍ମିତ ମା ଏକ ପିଣ୍ଡି ଉପରେ ଦଣ୍ଡାୟମାନ ଅଛନ୍ତି। ଚତୁର୍ଭୁଜା ସମ୍ପର୍ଣ୍ଣ ମା ଙ୍କ ଉପର ଦକ୍ଷିଣ ହସ୍ତରେ ଖଡ୍ଗ ଓ ବାମ ହସ୍ତରେ ସମ୍ଭବତଃ ଚାକୁ ଧାରଣ କରି ଥିବା ବେଳେ ସେହିପରି ନିମ୍ନ ଦକ୍ଷିଣ ହସ୍ତ ବରଦା ମୁଦ୍ରା ଓ ବାମ ହସ୍ତରେ ସମ୍ଭବତଃ ଶଙ୍ଖ ଧାରଣ କରିଥିବା ଜଣାଯାଏ। ଶ୍ରୀମନ୍ଦିର ନୀତିକାନ୍ତି ସହିତ ମା ଙ୍କ ସମ୍ପର୍କ ରହିଛି। ଆଶ୍ୱିନ ମାସ ଷୋଡ଼ଶ ଦିନାତ୍ମକ ଦୁର୍ଗାପୂଜା ସମୟରେ ମା ଙ୍କ ପୂଜା ପାଇଁ ପୁରୀ ଗଜପତି ବ୍ରାହ୍ମଣ ବରଣ କରି ଗୁଆ ଟେକିଥାନ୍ତି। ଏହି ଷୋଳପୂଜା ସମୟରେ ପ୍ରତିଦିନ ଶ୍ରୀମନ୍ଦିରରୁ ମା ଙ୍କୁ ମହାର୍ଦ୍ଧ ମାଳ ପ୍ରଦାନ କରାଯାଇଥାଏ। ଏହା ସହ ଶ୍ରୀଜୀଉଙ୍କ ନବକଳେବର ସମୟରେ ମା ବିଶ୍ୱେଶ୍ୱରୀଙ୍କ ନିକଟରେ ଦଇତାପତି ସେବକମାନଙ୍କ ଦ୍ଵାରା କିଛି ଗୁପ୍ତନୀତି ସମ୍ପାଦିତ ହୋଇଥାଏ। ମାଙ୍କ ସ୍ୱରୂପ ଉଗ୍ର ହେଲେ ମଧ୍ୟ ଭକ୍ତଙ୍କ ପାଇଁ ସିଏ ଅତ୍ୟନ୍ତ କରୁଣାମୟୀ। ସ୍ଥାନୀୟ ବାସୀନ୍ଧାଙ୍କ ସିଏ ଗ୍ରାମଦେବତୀ। ସର୍ବ ମଙ୍ଗଳ ପ୍ରଦାୟନୀ।

ଲୋକମତ ଆଧାର ରେ ଏହି ସ୍ଥାନରେ ଚୁଡ଼ଙ୍ଗ ପୋଖରୀ ନାମରେ ଏକ ଜଳାଶୟ ଥିଲା। ତତ୍କାଳୀନ ରାଜା ଚୋଡ଼ଗଙ୍ଗ ଦେବଙ୍କ ଗୁରୁ ତାନ୍ତ୍ରିକା ନିତେଇ ଧୋବଣୀ ଏହି ଚୁଡ଼ଙ୍ଗ ପୋଖରୀର ଅଣ ତୁଠରେ ଦକ୍ଷିଣ ଦିଗକୁ ମୁହଁ କରି ଏକ ଲୟରେ ନୀଳଚକ୍ରକୁ ଚାହିଁ ଅସରପ ଉପରକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପ ମାଧ୍ୟମରେ ବାଳ ଗୋପାଳ ରୂପରେ ପ୍ରତିଦିନ ଆବାହନ କରୁଥିଲେ। ସେଇ ନିତେଇ ଧୋବଣୀଙ୍କ ଇଷ୍ଟ ଦେବୀ ଥିଲେ ମା ବିଶ୍ୱେଶ୍ୱରୀ।

Comments are closed.