ପେଗାସସ୍ ମାମଲାରେ ଆବେଦନକାରୀଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ, ବ୍ୟବସ୍ଥା ଉପରେ ଭରସା ରଖ, ସୋସିଆଲ ମିଡ଼ିଆ ବିତର୍କରୁ ଦୂରେଇ ରୁହ

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ମାମଲାର ସ୍ୱତନ୍ତ୍ର ତଦନ୍ତ ଦାବି କରି ହୋଇଥିବା ୯ଟି ଆବେଦନ ଉପରେ ସୁପ୍ରିମକୋର୍ଟରେ ଆଜି ପୁଣି ଶୁଣାଣି ହୋଇଛି । ଏହି ମାମଲାରେ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟା ଜବାବ ଦାଖଲ କରିବା ପାଇଁ ଆହୁରି ସମୟ ମାଗିଛନ୍ତି । ଏହା ପରେ କୋର୍ଟ ଏହି ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣିକୁ ଅଗଷ୍ଟ ୧୬ ଯାଏଁ ଘୁଞ୍ଚାଇଛନ୍ତି । ତେବେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌ଭି.ରମନ୍ନା ପେଗାସସ୍ ମାମଲାରେ ସୋସିଆଲ ମିଡ଼ିଆ ଏବଂ ୱେବସାଇଟ୍‌ରେ ହେଉଥିବା ଚର୍ଚ୍ଚାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରଧାନ ବିଚାରପତି ସମସ୍ତ ଆବେଦନକାରୀଙ୍କୁ ସୀମା ଅତିକ୍ରମ ନ କରି ବ୍ୟବସ୍ଥା ଉପରେ ଭରସା ରଖିବାକୁ ପରାମର୍ଶ ଦେଇଛନ୍ତି ।

ପ୍ରଧାନ ବିଚାରପତି ଆବେଦନକାରୀଙ୍କୁ କହିଛନ୍ତି ଯେ, କେହି ବି ସୀମା ଅତିକ୍ରମ କରିବା ଉଚିତ ନୁହେଁ । ଆମେ ସମସ୍ତଙ୍କ କଥା ଶୁଣିବୁ । ଆମେ ଏହି ପ୍ରସଙ୍ଗରେ ବିତର୍କକୁ ବିରୋଧ କରୁନାହୁ; କିନ୍ତୁ ମାମଲା ବିଚାରାଧୀନ ରହିଥିବାରୁ ଏହା ଉପରେ କୋର୍ଟରେ ହିଁ ବିତର୍କ ହେବା ଉଚିତ । ସୋସିଆଲ ମିଡ଼ିଆ ପରିବର୍ତ୍ତେ ଆଲୋଚନା ଓ ବିତର୍କର ଉପଯୁକ୍ତ ମାଧ୍ୟମ ଚୟନ କରନ୍ତୁ ଏବଂ ବ୍ୟବସ୍ଥା ଉପରେ ଭରସା ରଖନ୍ତୁ ।

ଉଲ୍ଲେଖଯୋଗ୍ୟ ଯେ, ପେଗାସସ୍ ମାମଲାରେ ସାମ୍ବାଦିକ, ଆଇନଜୀବୀ, ସାମାଜିକ କର୍ମୀ ଏବଂ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ତରଫରୁ ଏସ୍‌ଆଇଟି ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ଅଗଷ୍ଟ ୫ରେ ଏହି ମାମଲାରେ ସୁପ୍ରିମକୋର୍ଟ ପ୍ରଥମ ଶୁଣାଣି କରି କହିଥିଲେ ଯେ, ପେଗାସସ୍ ଗୁଇନ୍ଦାଗିରି ସମ୍ପର୍କିତ ଗଣମାଧ୍ୟମ ରିପୋର୍ଟ ଯଦି ସତ ହୋଇଥାଏ ତେବେ ଏହା ଏକ ସାଂଘାତିକ ଅଭିଯୋଗ । ଏହାଛଡ଼ା କୋର୍ଟ ସବୁ ଆବେଦନକାରୀଙ୍କୁ ନିଜ ପିଟିସନର ଏକ କପି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାକୁ କହିଥିଲେ ଯାହା ଦ୍ୱାରା କେନ୍ଦ୍ରକୁ ଏହି ମାମଲାରେ ନୋଟିସ୍ ଜାରି କରାଯାଇ ପାରିବ ।

Comments are closed.