ଲୋକସଭାରେ ବିନା ବିରୋଧରେ ପାରିତ ହେଲା ଓବିସି ବିଲ୍

ନୂଆଦିଲ୍ଲୀ: ରାଜନୈତକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ୧୦୫ତମ ସାମ୍ବିଧାନିକ ସଂଶୋଧନ ବିଲ୍ ଆଜି ଲୋକସଭା ଦ୍ୱାରା ପାରିତ ହୋଇଛି। ବର୍ତ୍ତମାନ ଏହି ବିଲ୍ ରାଜ୍ୟସଭାରେ ଆଗତ ହେବ। ଲୋକସଭାରେ ଏହି ବିଲ୍ ବିରୋଧରେ ଗୋଟିଏ ବି ଭୋଟ୍ ପଡ଼ିନଥିଲା । ଏହାକୁ ସର୍ବସମ୍ମତି କ୍ରମେ ପାରିତ କରାଯାଇଛି। ଏହି ବିଲ୍ ସପକ୍ଷରେ ୩୮୫ ଭୋଟ୍ ପଡ଼ିଥିଲା।

ସଂସଦରେ ଏକ ବିଲ୍ ବିରୋଧରେ ଗୋଟିଏ ବି ଭୋଟ୍ ନ ପଡ଼ିବା କ୍ଵଚିତ୍ ଦେଖିବାକୁ ମିଳେ | ରାଜ୍ୟମାନଙ୍କୁ ନିଜର ଓବିସି ତାଲିକା ପ୍ରସ୍ତୁତ କରିବାର ଅଧିକାର ପ୍ରଦାନ କରୁଥିବା ୧୦୫ତମ ସଂଶୋଧନ ବିଲ୍ ଲୋକସଭାରେ ବିନା ବିରୋଧରେ ପାରିତ ହୋଇଛି। ପେଗାସସ୍ ଏବଂ କୃଷି ଆଇନ ପ୍ରସଙ୍ଗରେ ହୋହଲ୍ଲା କରିଆସୁଥିବା ବିରୋଧୀ ଦଳ ଏହି ବିଲ୍ କୁ ଅକୁଣ୍ଠ ସମର୍ଥନ ଜଣାଇଛନ୍ତି। ଏହି ବିଲର ରାଜନୈତିକ ପରିଣାମକୁ ଦୃଷ୍ଟିରେ ରଖି କୌଣସି ଦଳ ଏହାକୁ ବିରୋଧ କରିବାର ସାହସ କରିନାହାନ୍ତି।

ତେବେ ଏହି ବିଲ୍ ଉପରେ ଆଲୋଚନା ବେଳେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ତୀବ୍ର ବିତର୍କ ହୋଇଥିଲା। ସରକାରଙ୍କ ତରଫରୁ ସମାଜସେବୀ ତଥା ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବିରେନ୍ଦ୍ର କୁମାର କହିଥିଲେ ଯେ ଓବିସି ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୋଦି ସରକାର ଏହି ବିଲ୍ ଆଣିଛନ୍ତି। ଏହାର ଜବାବରେ ଲୋକସଭାରେ କଂଗ୍ରେସର ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ ଯେ ସରକାରଙ୍କ ଭୁଲ ଯୋଗୁଁ ଏହି ବିଲ୍ ଆଗତ କରାଯାଇଛି। ସେ ଅଭିଯୋଗ କରିଥିଲେ ଯେ ଜାତୀୟ ଓବିସି କମିଶନଙ୍କୁ ସାମ୍ବିଧାନିକ ମାନ୍ୟତା ଦେବା ପାଇଁ ୨୦୧୮ରେ ସରକାର ରାଜ୍ୟମାନଙ୍କ ଠାରୁ ନିଜର ଓବିସି ତାଲିକା ପ୍ରସ୍ତୁତ କରିବାର ଅଧିକାର ଛଡ଼ାଇ ନେଇଥିଲେ।

ଏହି ବିଲ୍ ଉପରେ ଆଲୋଚନା ବେଳେ ସଂରକ୍ଷଣ ସୀମା ଉପରେ ଥିବା ୫୦ ପ୍ରତିଶତ ସୀମା ମଧ୍ୟ ହଟାଇବାକୁ କିଛି ସାଂସଦ ଦାବି କରିଥିଲେ। ଶିବସେନା ପକ୍ଷରୁ ବିନାୟକ ରାଉତ ସରକାରଙ୍କୁ ସଂରକ୍ଷଣ ସୀମା ଉପରେ ୫୦ ପ୍ରତିଶତ ସୀମା ହଟାଇବାକୁ ଦାବି କରିଥିଲେ। ଏହି ବିଲ୍ ଉପରେ ଭୋଟ୍ ଦେବାବେଳେ ସେ ଏହା ସହ ଜଡିତ ଏକ ସଂଶୋଧନ ମଧ୍ୟ ଉପସ୍ଥାପନ କରିଥିଲେ, କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ଉକ୍ତ ବିଲ୍ ଉପରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରି ଜେଡିୟୁ ସାଂସଦ ଲଲନ୍ ସିଂ ପୁଣିଥରେ ଜାତି ଭିତ୍ତିକ ଜନଗଣନା ଦାବି କରିଥିଲେ। ଜାତି ଭିତ୍ତିକ ଜନଗଣନା ସହିତ ୨୦୨୧ର ଜନଗଣନା କରିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିରନ୍ତର ଦାବି କରୁଛନ୍ତି। ପୂର୍ବରୁ ଏହି ବିଲ୍ କୁ ୧୨୭ତମ ସାମ୍ବିଧାନିକ ସଂଶୋଧନ ନାମରେ ନାମିତ କରାଯାଇଥିଲା; କିନ୍ତୁ ପରେ ଏହାକୁ ୧୦୫ତମ ସାମ୍ବିଧାନିକ ସଂଶୋଧନ ବିଲରେ ପରିବର୍ତ୍ତନ କରାଯାଇଥିଲା।

Comments are closed.