ଏବେ ଫୋକସରେ ଶିଳ୍ପାଞ୍ଚଳ ଅଭିବୃଦ୍ଧି : ସହାୟକ ହେବ ‘ଶିଳ୍ପର ଯତ୍ନ’

ଛତ୍ରପୁର: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବୁଧବାର ଦିନ ଗଞ୍ଜାମ , ଗଜପତି , ନୟାଗଡ ଏବଂ କନ୍ଧମାଳ ଜିଲ୍ଲାର ଶିଳ୍ପାଞ୍ଚଳ ଅଭିବୃଦ୍ଧି ସକାଶେ ଶିଳ୍ପର ଯତ୍ନ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସୀତ କୁମାର ତ୍ରିପାଠୀ ଯୋଗଦେଇଥିଲେ । ଓଡିଶାରେ ଶିଳ୍ପର ଅଭିବୃଦ୍ଧି ଦିଗରେ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀଙ୍କର ପ୍ରୟାସ ଜାରି ରହିଛି । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠାର ଆବଶ୍ୟକତା ରହିଛି , ଯାହାରି ଫଳରେ ଶିଳ୍ପାଞ୍ଚଳ ଗୁଡିକର ବିକାଶ ସହିତ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ସହ ଜିଡିପି ବୃଦ୍ଧି ହେବ ଏବଂ କର୍ମନିଯୁକ୍ତିର ବାଟ ସୁଗମ ହୋଇପାରିବ । ଓଡିଶାରେ ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ କରାଯାଉଥିବା ଶିଳ୍ପ ଯୋଜନାରେ ପୁଞ୍ଜି ନିବେଶକାରୀ ଏବଂ ସରକାରୀ କଳର ସହଭାଗିତା ଦିଗରେ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ‘ଶିଳ୍ପର ଯତ୍ନ’ କାର୍ଯ୍ୟକ୍ରମ ଜରିଆରେ ସମାଧାନ ହୋଇ ପାରିବ । ଏଥିପୂର୍ବରୁ ଓଡିଶାର ଅନେକ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଦିଗରେ ଦେଖାଯାଇଥିବା ପ୍ରତିବନ୍ଧକ ଗୁଡିକ ତିନିଗୋଟି ‘ଶିଳ୍ପର ଯତ୍ନ’ କାର୍ଯ୍ୟକ୍ରମରେ ସମାଧାନ ହୋଇପାରିଛି । ବର୍ତ୍ତମାନ ଗଞ୍ଜାମରେ ଅନୁଷ୍ଠିତ ଏହା ଚତୁର୍ଥ କାର୍ଯ୍ୟକ୍ରମ । ଅଞ୍ଚଳ ଗସ୍ତ କରି ସେହିଠାରେ ଗଢି ଉଠୁଥିବା ଶିଳ୍ପ ଏବଂ ଗଢିବାକୁ ଥିବା ଶିଳ୍ପର ସମସ୍ୟାମାନ ଏହି ବୈଠକରେ ଆଲୋଚନା କରାଯାଇ ଏହାର ସମାଧାନର ବାଟ ବାହାରି ପାରିଛି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେହି କାର୍ଯ୍ୟକ୍ରମ ଶେଷ କରିବା ଏବଂ ଏହାର ଉତ୍ତରଦାୟୀତ୍ବ ଧାର୍ଯ୍ୟ କରାଯାଇଛି । ୫-ଟି ଆଧାରରେ ସମସ୍ୟାର ସମାଧାନ କରାଯାଇ ବୃହତ୍ତର ଶିଳ୍ପ ପ୍ରତିଷ୍ଠା ହୋଇପାରିବ । ଓଡିଶାରେ ଅନେକ କଞ୍ଚାମାଲ ଉପଲବ୍ଧ ରହିଛି , ସେହିଭଳି ଓଡିଶାର ପ୍ରଚ୍ଛନ୍ନ ପ୍ରାକୃତିକ ବିଭବ ମାନ ରହିଛି । ଭିତ୍ତିଭୂମିର ବିକାଶ ସହିତ ଅଣ କୁଶଳୀଙ୍କୁ କୁଶଳୀରେ ପରିବର୍ତ୍ତନ କରାଯାଇପାରିବ , ଶିଳ୍ପସଂସ୍ଥା ସ୍ଥାପନ ଏବଂ ପର୍ଯ୍ୟଟନର ବିକାଶ ହୋଇପାରିଲେ ଓଡିଶାର ଆର୍ଥିକ ମାନଦଣ୍ଡ ସୁଦୃଢ ହେବା ସାଥେସାଥେ ଓଡ଼ିଶା ଭାରତ ବର୍ଷରେ ପରିଚିତି ଲାଭ କରିବ । ଆସନ୍ତାକାଲି ଆଗତ ବୈଠକରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଦେଖାଯାଇଥିବା ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ କରାଯିବ । ଜିଲ୍ଲାରେ କାର୍ଯ୍ୟକାରି ହେଉଥିବା ଶିଳ୍ପ ନିମନ୍ତେ ସଂପୃକ୍ତ ଜିଲ୍ଲାପାଳଗଣ ଏଣିକି ଜିଲ୍ଲା ଉନ୍ନୟନର ପୁରୋଧା ସାଜିବେ । ଆଜିର ବୈଠକରେ ବୃହତ୍ ଶିଳ୍ପର ପ୍ରତିନିଧିଗଣ ଉପସ୍ଥିତ ରହି ସେମାନଙ୍କର ସମସ୍ୟା ଉପସ୍ଥାପନ କରିଥିଲେ ।

ବିଶେଷକରି ଜିଲ୍ଲା ପ୍ରଶାସନ , ଇଡକୋ , ଶକ୍ତି ବିଭାଗ , ଜମିଜମା ସମ୍ପର୍କିତ , ପରିବେଶ ମଞ୍ଜୁରୀ , ରାସ୍ତାଘାଟର ଉନ୍ନତି ଇତ୍ୟାଦି ସମ୍ପର୍କିତ ସମସ୍ୟା ଉପସ୍ଥାପନ କରିଥିଲେ ଏବଂ ଏହାର ଆଶୁ ସମାଧାନ ଦିଗରେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ପ୍ରଦାନ କରାଯାଇ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେହିସବୁ ସମସ୍ୟାର ସମାଧାନ କରିବାକୁ କୁହାଯାଇଥିଲା । ଶିଳ୍ପ ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ସମସ୍ତ ଶିଳ୍ପର ପ୍ରତିନିଧି ମାନଙ୍କ ସହିତ ସବିଶେଷ ଆଲୋଚନା କରି ଏହାର ସମାଧାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

ଇପିକଲ୍ ର ପରିଚାଳନା ନିର୍ଦ୍ଦେଶକ ବି.ଏସ୍ ପୁନିଆ ଆଗାମୀ ଦିନରେ ରାଜ୍ୟର ୩୦ ଗୋଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଜିଲ୍ଲା ପୁଞ୍ଜିବିନିଯୋଗ ଉନ୍ନୟନ ଏଜେନ୍ସି ( ଡି.ଆଇ.ପି.ଏ ) କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଉପସ୍ଥିତ ରହି ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସମାଧାନ ଦିଗରେ ପଥ ପରିଷ୍କାର କରିଥିଲେ ।

ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ବାଗତ ଭାଷଣ ଉପସ୍ଥାପନ କରିବା ସହ ଗଞ୍ଜାମ ଜିଲ୍ଲାର ଶିଳ୍ପ ପ୍ରତିଷ୍ଠାନ ଗୁଡିକର ସମସ୍ୟା ସମାଧାନ ଦିଗରେ ସବିଶେଷ ଆଲୋଚନା କରିଥିଲେ । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଜିଲ୍ଲାର ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଦେଖାଯାଇଥିବା ସମସ୍ୟା ଗୁଡିକ ସମାଧାନ ଦିଗରେ ଆଲୋକପାତ କରିଥିଲେ ।

ଟାଟା ଏସ୍.ଇ.ଜେଡ୍ ର ସମସ୍ତ ଶିଳ୍ପ , ଜଗନ୍ନାଥ ପ୍ରସାଦ ବ୍ଲକ୍ ରେ ୧୭୫.୪୦୩ ଏକର ପରିମିତ ଜମିରେ ହେବାକୁ ଥିବା ଏନ୍.ଏଚ୍.ପି.ସିର ସୋଲାର ପାୱାର ପ୍ଲାଣ୍ଟ , କୋଷ୍ଟାଲ ବାୟୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ , ଗ୍ରାସିମ୍ ଇଣ୍ଡଷ୍ଟ୍ରି ଲିମିଟେଡ୍ , ସ୍ୱସ୍ତି ଭେକେସନ୍ସର କ୍ଲବ୍ ପ୍ରାଇଭେଟ୍ ଲିମିଟେଡ୍‌ , ଆଇ.ଆର୍.ଇ ଲିମିଟେଡ୍ , ସ୍ମାର୍ଟକେମ୍ ଟେକନୋଲୋଜି ଲିମିଟେଡ୍‌ , ଟାଟା କଞ୍ଜୁମର୍ ପ୍ରଡକ୍ଟସ୍ ଲିମିଟେଡ୍ , ଚିଲିକା ଡିଷ୍ଟଲିରିଜ୍ ପ୍ରାଇଭେଟ୍ ଲିମିଟେଡ୍‌ , ଟାଟା ଫେରୋକ୍ରୋମ୍ , ଶ୍ରୀନିବାସଲୁ ରିଅଲ୍ ଇଷ୍ଟେଟ କନଷ୍ଟ୍ରକସନ୍ ଲିମିଟେଡ୍‌ , ଜେମିନି ଇଡେବିଲ୍ ଆଣ୍ଡ ଫ୍ୟାଟ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ , ଆଇ.ଓ.ସି.ଏଲ୍ ଏବଂ ଗେଲ୍ ଶିଳ୍ପ ସଂସ୍ଥାର ସମସ୍ୟାମାନ ଉପସ୍ଥାପନ କରାଯାଇଥିଲା ।

ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ , ବ୍ରହ୍ମପୁର ଉପଜିଲ୍ଲାଳ ଓ୍ବ. କିର୍ତ୍ତି ୱାସନ ପ୍ରମୁଖ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Comments are closed.