କରୋନା ଅପଡେଟ୍: ୨୪ ଘଣ୍ଟାରେ ୪୧,୧୯୫ ନୂଆ ଆକ୍ରାନ୍ତ ଚିହ୍ନଟ, ୪୯୦ ମୃତ

ନୂଆଦିଲ୍ଲୀ:କରୋନା ସଙ୍କଟର ଦ୍ୱିତୀୟ ଲହରୀ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ । ଛଅ ଦିନ ପରେ ଭାରତରେ ପୁଣି ୪୦ ହଜାରରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି। ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୪୧,୧୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୯୦ ଲୋକ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ ଅଗଷ୍ଟ ୫ ରେ ୪୪,୬୪୩ କରୋନା ମାମଲା ରୁଜୁ ହୋଇଥିଲା। ଏଥି ସହିତ, ଗତ ୨୫ ଘଣ୍ଟା ମଧ୍ୟରେ ୩୯,୦୬୯ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି, ଅର୍ଥାତ୍ ଗତକାଲି ୧୬୩୬ ସକ୍ରିୟ ମାମଲା ବୃଦ୍ଧି ପାଇଛି।

ମହାମାରୀ ଆରମ୍ଭରୁ ମୋଟ ତିନି କୋଟି ୨୦ ଲକ୍ଷ ୭୬ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୪ ଲକ୍ଷ ୨୯ ହଜାର ୬୬୯ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୧୨ ଲକ୍ଷ ୬୦ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ଚାରି ଲକ୍ଷରୁ କମ୍। ସମୁଦାୟ ୩ ଲକ୍ଷ ୮୭ ହଜାର ଲୋକ ଏବେବି କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଅଗଷ୍ଟ ୧ ପର୍ଯ୍ୟନ୍ତ ସାରା ଦେଶରେ ୫୨ କୋଟି ୨୬ ଲକ୍ଷ ୭୧ ହଜାର ଡୋଜ କରୋନା ଟିକା ଦିଆଯାଇଛି। ଗତ ୨୪ ଘଣ୍ଟାରେ ୪୪.୧୯ ଲକ୍ଷ ଟିକା ଦିଆଯାଇଥିଲା। ଏଥି ସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ୪୮ କୋଟି ୩୨ ଲକ୍ଷ କରୋନା ପରୀକ୍ଷା କରାଯାଇଛି। ଗତକାଲି ପ୍ରାୟ ୧୫.୧୧ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ୩ ପ୍ରତିଶତରୁ କମ୍ ଅଟେ |

Comments are closed.