ଭାରତର ତୀର୍ଥସ୍ଥଳ : ବ୍ରଜମଣ୍ଡଳ

ମଥୁରା ମଣ୍ଡଳର ଦ୍ୱାଦଶ ବନ ମଧ୍ୟରୁ ଯମୁନାଙ୍କ ପଶ୍ଚିମ ଭାଗରେ ଅବସ୍ଥିତ ସାତ ଟି ବନ ହେଉଛି- ୧) ମଧୁବନ, ୨) ତାଳବନ, ୩) କୁମୁଦବନ, ୪) ବହୁଳା ବନ, ୫) କାମ୍ୟବନ, ୬) ଖଦିର ବନ, ୭) ବୃନ୍ଦାବନ।

ମଥୁରାର ପ୍ରସିଦ୍ଧ ତୀର୍ଥସ୍ଥଳ:

୧) . ଶ୍ରୀକେଶବ ଦେବ ମନ୍ଦିର : ପଦ୍ମାକାର ଶ୍ରୀମଥୁରା ମଣ୍ଡଳର ଅଧିଦେଵ ହେଉଛନ୍ତି ଶ୍ରୀକେଶବ। ଶ୍ରୀକେଶବ ହେଉଛନ୍ତି ଚତୁର୍ଭୁଜ ଶ୍ରୀନାରାୟଣ ବିଗ୍ରହ। ଔରଙ୍ଗଜେବଙ୍କ ଶାସନ ସମୟରେ ଏହି ଆଦି କେଶବଙ୍କ ଭବ୍ୟ ମନ୍ଦିର ଉପରେ ଆକ୍ରମଣ କରାଯାଇଥିଲା। ବର୍ତ୍ତମାନ ଭଗ୍ନ ଗର୍ଭଗୃହରେ ଶ୍ରୀକେଶବ, ଶ୍ରୀଶାଳଗ୍ରାମ, ଓ ଶ୍ରୀଗୋବିନ୍ଦଦେବ ବିରାଜମାନ କରିଛନ୍ତି। ଏହି ମୂଳ ବିଗ୍ରହଙ୍କୁ ଶ୍ରୀଚୈତନ୍ୟ ମହାପ୍ରଭୁ ଦର୍ଶନ କରି ଭାବ ବିଭୋର ହୋଇଥିଲେ। କଂସ ଙ୍କର ମଲ୍ଲ ଗଣ ଏହି ସ୍ଥାନରେ ଅବସ୍ଥାନ କରୁଥିଲେ।

୨) . ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ : ଏଠାରେ ରହିଛି କଂସ ଙ୍କର କାରାଗାର ଗୃହ। ଏହି କାରାଗାରରେ ଆଜକୁ ପ୍ରାୟ ୫୨୦୦ ବର୍ଷ ପୂର୍ବେ ଭଗବାନ ଶ୍ରୀକୃଷ୍ଣ ଆବିର୍ଭାବ ହୋଇଥିଲେ। ଶ୍ରୀକୃଷ୍ଣଙ୍କ ଏହି ଜନ୍ମ ସ୍ଥାନରେ ତାଙ୍କ ଅଣନାତି ଶ୍ରୀବଜ୍ରନାଭ ଭଗବାନ ଶ୍ରୀକୃଷ୍ଣଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ। ଯାହା କାଳର କରାଳ ଗର୍ଭରେ ଆଜି ବିଲୀନ।

୩) . ବିଶ୍ରାମ ତୀର୍ଥ : ଭଗବାନ ଶ୍ରୀକୃଷ୍ଣ କଂସ କୁ ବଦ୍ଧ କରିବା ପରେ ଏହି ସ୍ଥାନରେ ବିଶ୍ରାମ କରିଥିଲେ। ଏହା ଯମୁନା ନଦୀର ଏକ ଘାଟ। ଏହାକୁ ବିଶ୍ରାମ ତୀର୍ଥ ବା ଗତଶ୍ରମ ତୀର୍ଥ କୁହାଯାଏ। ଏହି ପବିତ୍ର ତୀର୍ଥର କଥା ସ୍କନ୍ଦପୁରାଣରେ ବର୍ଣ୍ଣିତ ହୋଇଛି। ଏହି ଘାଟରେ ପ୍ରତିଦିନ ସନ୍ଧ୍ୟାରେ ଶ୍ରୀ ଯମୁନାଜୀଙ୍କ ନିତ୍ୟ ଆରତୀ ଅନୁଷ୍ଠିତ ହୋଇଥାଏ।

4 ). ଗତଶ୍ରମ ଦେବ : ଭଗବାନ ଶ୍ରୀକୃଷ୍ଣ କଂସ କୁ ବଦ୍ଧ କରିବା ପରେ ଯେଉଁ ସ୍ଥାନରେ ବିଶ୍ରାମ କରିଥିଲେ ସେହି ସ୍ଥାନରେ ସେ ଗତଶ୍ରମ ଦେବ ବା ବିଶ୍ରାନ୍ତି ଦେବ ନାମରେ ବିରାଜିତ। ୨୫ ଫୁଟ ଉଚ୍ଚତା ବିଶିଷ୍ଟ ଏକ ଟିଲା ଉପରେ ଦୁଇ ମହଲା ବିଶିଷ୍ଟ ଏକ ମନ୍ଦିର ପ୍ରତିଷ୍ଠିତ। ଦ୍ଵିତୀୟ ମହଲାରେ ଚତୁର୍ଭୁଜ ବିଷ୍ଣୁମୂର୍ତି ବିରାଜିତ।ଉଭୟ ପଟରେ ଶ୍ରୀ ଲଷ୍ମୀ ଓ ସରସ୍ୱତୀ ଶୋଭା ବର୍ଦ୍ଧନ କରୁଛନ୍ତି।

….. କ୍ରମଶଃ

Comments are closed.