ଶ୍ରୀକ୍ଷେତ୍ରର ଐତିହ୍ୟ : ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା ଚକ୍ରବୁଲା ଏକାଦଶୀ

ଶ୍ରାବଣ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ, ଶ୍ରୀମନ୍ଦିରରେ ଚକ୍ରବୁଲା ଏକାଦଶୀ ନୀତି ପାଳନ କରାଯାଇଥାଏ। ଏହି ଦିନ ମଧ୍ୟାହ୍ନ ଧୂପ ସରିବା ପରେ ମଇଲମ ଓ ଶାଢ଼ୀ ଖଣ୍ଡୁଆ ଲାଗି ଝଡା ଆଳତି ବଢିଥାଏ। ଏହା ପରେ ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହୋଇଥାଏ।ଏହିନିତୀ ପରେ ଶ୍ରୀ ମଦନମୋହନ ବେଶ ହୋଇ ଆଜ୍ଞାମାଳ ପାଇ ଏକାଦଶୀ ବେଢ଼ାକୁ ବିଜେ କରନ୍ତି।

ଏହି ଦିନର ବିଶେଷ ନୀତି ମହାପ୍ରଭୁ ଶ୍ରୀଜଗନ୍ନାଥ ହସ୍ତରେ ଧାରଣ କରୁଥିବା ସୁବର୍ଣ୍ଣ ସୁଦର୍ଶନ ଚକ୍ର ଆଜ୍ଞାମାଳ ପାଇ ବିମାନରେ ବିଜେ କରନ୍ତି। ଉକ୍ତ ବିମାନକୁ ବିମାନ ବଡୁ ସେବାୟତ ସ୍କନ୍ଦରେ ବହନ କରି ସିଂହଦ୍ଵାର ଦେଇ ଶ୍ରୀ ନଅର ନିକଟକୁ ଯାଇଥାନ୍ତି। ସେଠାରେ ପନ୍ତିଭୋଗ ହେବା ପରେ, ଶ୍ରୀକ୍ଷେତ୍ରର ପ୍ରାଚୀନ ଚାରି ଆଶ୍ରମ ଯଥା- ମାର୍କଣ୍ଡେୟ, ଅଙ୍ଗିରା, ଭୃଗୁ, କଣ୍ଡୁ ଆଶ୍ରମକୁ ବିଜେ କରିଥାନ୍ତି। ପ୍ରତି ଆଶ୍ରମରେ ଶୀତଳ ଭୋଗ, ବନ୍ଦାପନା ହୋଇ ନଗର ପରିକ୍ରମା ପରେ ସୁବର୍ଣ୍ଣ ସୁଦର୍ଶନ ଚକ୍ର ଶ୍ରୀମନ୍ଦିରକୁ ପ୍ରତ୍ୟାଗମନ କରିଥା‌ନ୍ତି। ଏହାକୁ ଚକ୍ରବୁଲା ଏକାଦଶୀ କୁହାଯାଏ। ବର୍ଷ ରେ ଥରେ ମାତ୍ର ସୁବର୍ଣ୍ଣଚକ୍ର ଶ୍ରୀମନ୍ଦିର ବାହାରକୁ ଏକାକୀ ବିଜେ କରିଥାନ୍ତି। ବର୍ଷର କୁମାର ପୂର୍ଣ୍ଣିମା, ରାଧାଷ୍ଟମୀ ଓ ଗହ୍ମାପୂର୍ଣିମା ଦିନ ଦାରବତନୁ ଚକ୍ରରାଜ ସୁଦର୍ଶନ ଚାରୀ ଆଶ୍ରମ ଭ୍ରମଣ କରିଥାନ୍ତି।

Comments are closed.