ଡିଜିଟାଲ ଟେକ୍ନୋଲୋଜିରେ ଦକ୍ଷ ହେବେ ଶିକ୍ଷକ: ୫ଟି ହାଇସ୍କୁଲ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମରେ ଆରମ୍ଭ ହେଲା ସ୍ଵତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ବର: ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ରାଜ୍ୟ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ‘୫ -ଟି’ ହାଇସ୍କୁଲ୍ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ ଅନ୍ତର୍ଗତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁରୁବାରଠାରୁ ଆରମ୍ଭ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ( ଓସେପା ) କାର୍ଯ୍ୟାଳୟରେ ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲାର ୫୦ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସହକାରୀ ଶିକ୍ଷକ – ଶିକ୍ଷୟିତ୍ରୀମାନ ଯୋଗଦେଇଥିଲେ । ଏହି ଅବସରରେ ଶିକ୍ଷକମାନଙ୍କୁ ଡିଜିଟାଲ ତଥା ସ୍ମାର୍ଟବୋର୍ଡ ମାଧ୍ୟମରେ କିଭଳି ଶିକ୍ଷାଦାନ କରିବେ ସେ ନେଇ ଅବଗତ କରାଯାଇଥିଲା ।

ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରମୁଖ ସଚିବ ଶ୍ରୀ ସାହୁ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ମାର୍ଟ ଶ୍ରେଣୀଗୃହର ବ୍ୟବହାର କରି ଉତ୍ତମ ମାନର ଶିକ୍ଷାଦାନ ଲାଗି ଆହ୍ବାନ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀଙ୍କର ଦାୟିତ୍ୱ ହେବା ଉଚିତ ବୋଲି ସେ କହିବା ସହ ସ୍ମାର୍ଟ କ୍ଲାସ୍ ‘ବ୍ଲେଣ୍ଡେଡ୍ ଲର୍ଣ୍ଣିଂ’ ଉପଯୋଗ ଉପରେ ଗୁରୁତ୍ୱ ଦେଇଥିଲେ ।

‘୫ -ଟି’ ହାଇସ୍କୁଲ୍ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ’ରେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ବିଦ୍ୟାଳୟର ପାସହାର ଯେପରି ଶତ ପ୍ରତିଶତ ରହିବ ଏବଂ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଯେପରି ‘ଏ-୧’ ଗ୍ରେଡରେ କୃତକାର୍ଯ୍ୟ ହେବେ ତାହା ଉପରେ ଗୁରୁତ୍ବ ଦେବାକୁ ପ୍ରମୁଖ ସଚିବ ସମସ୍ତ ପ୍ରଧାନଶିକ୍ଷକ ଏବଂ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷକଙ୍କୁ ଡିଜିଟାଲ ଟେକ୍ନୋଲୋଜିରେ ଦକ୍ଷ କରିବା ଆମ ଲକ୍ଷ୍ୟ । ଆଗାମୀ ଦିନରେ ନିରନ୍ତର ଭାବରେ ପର୍ଯ୍ୟାୟକ୍ରମେ ସମସ୍ତ ଶିକ୍ଷକଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସେ କହିଥିଲେ । ପାଠ୍ୟଖସଡ଼ା ଅନୁଯାୟୀ ସ୍ମାର୍ଟବୋର୍ଡରେ ପାଠ ପଢାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପ୍ରସ୍ତୁତ ନିରନ୍ତର ପାଠ୍ୟକ୍ରମ ମୂଲ୍ୟାଙ୍କନ ପଦ୍ଧତି ଅନୁଯାୟୀ ଉପଲବ୍ଧ ଇ – କଣ୍ଟେଣ୍ଟଗୁଡ଼ିକ ପର୍ଯ୍ୟାୟ କ୍ରମେ ବ୍ୟବହାର କରାଯିବ ଏବଂ ଶିକ୍ଷକମାନେ ନିଜେ ଯେପରି କଣ୍ଟେଣ୍ଟ ପ୍ରସ୍ତୁତ କରିପାରିବେ ସେଥିଲାଗି ଜିଲ୍ଲାସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସେ କହିଥିଲେ । ଏହି ଅବସରରେ ବିଭିନ୍ନ ବିଷୟର ପ୍ରଶିକ୍ଷକମାନେ ଉପସ୍ଥିତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଡିଜିଟାଲ ଶିକ୍ଷାଦାନ ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଆଗାମୀ ଦିନରେ ଅନ୍ୟ ବିଦ୍ୟାଳୟଗୁଡିକର ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ କରାଯିବ ।

Comments are closed.