ହୃତଗୌରବ ଓ ରୋଜଗାର ଫେରି ପାଇବେ ବୁଣାକାର 

ବ୍ରହ୍ମପୁର: ରାଜ୍ୟର ବୁଣାକାରଙ୍କୁ ସ୍ଵାଧୀନତା ଦିବସର ଉପହାର ସ୍ୱରୂପ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ। ଏହାକୁ ଭଲଭାବେ ହୃଦୟଙ୍ଗମ କରି ରାଜ୍ୟର ଲକ୍ଷାଧିକ ହସ୍ତତନ୍ତ କାରିଗର ଯେଉଁମାନେ କରୋନା ମହାମାରୀ ହେତୁ ବେଶ୍ ପ୍ରଭାବିତ ହୋଇଥିଲେ ସେମାନଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଥିଲେ ମୁଖ୍ୟମନ୍ତ୍ରୀ। ୩୦୦୦ ବୁଣାକାର ପରିବାରକୁ ପ୍ରାଥମିକତା ଭିତ୍ତିରେ ହାଉସ୍- କମ୍- ୱାର୍କସେଡ୍ ଯୋଗାଇ ଦିଆଯିବ। ପୂର୍ବରୁ ୧୧,୬୯୫ଟି ଏଭଳି ସେଡ୍ ବୁଣାକାର ପରିବାରକୁ ଦିଆଯାଇ ସାରିଛି। ବୁଣାକାରଙ୍କୁ ଏହି ଯୋଜନାରେ ବିଜୁଳି ଆଲୁଅ ଓ ବିଜୁଳି ପଙ୍ଖା ଯୋଗାଇ ଦିଆଯିବ। ଯୋଗ୍ୟ ବୁଣାକାର ପରିବାରଙ୍କୁ ଅଗ୍ରାଧିକାର ଭିତ୍ତିରେ ମିଳିବ ବାସଗୃହ ଓ ବିନା ସୁଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରଣ।

ବ୍ରହ୍ମପୁରୀ ଓ ବୋମକେଇ ପାଟ ବୁଣାକାରଙ୍କ ସାଙ୍ଗକୁ ଅନ୍ୟାନ୍ୟ ହସ୍ତତନ୍ତ କାର୍ଯ୍ୟ ପାଇଁ ଗଞ୍ଜାମ ରାଜ୍ୟରେ ସୁପରିଚିତ। ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନାରୁ ଗଞ୍ଜାମ ଜିଲ୍ଲା ବିଶେଷ କରି ବ୍ରହ୍ମପୁରର ପାଟ ବୁଣାକାରମାନେ ଉପକୃତ ହେବା ନିଶ୍ଚିତ। ଏଥିସହ ଧିରେ ଧିରେ ଅବକ୍ଷୟମୁଖୀ ହୋଇଯାଉଥିବା ବୋମକେଇ ପାଟ ଶାଢ଼ୀର କାରିଗରମାନେ ସେମାନଙ୍କ ହୃତ୍‌ଗୌରବ ଓ ରୋଜଗାର ଫେରି ପାଇବାରେ ଏହି ପ୍ୟାକେଜ୍ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କିମ୍ ଓ ପ୍ରକଳ୍ପ ସହାୟକ ହେବାର ଆଶା କରାଯାଉଛି। କେବଳ ଆମ ରାଜ୍ୟରେ ନୁହେଁ, ଏଣିକି ବ୍ରହ୍ମପୁରୀ ଓ ବୋମକେଇ ପାଟକୁ ଦେଶ ବିଦେଶରେ ମଧ୍ୟ ପ୍ରଚାର ପ୍ରସାର କରି ବିକ୍ରିବଟାକୁ ବ୍ୟାପକ କରାଯିବ ଯାହା ଫଳରେ ଏହି କୌଳିକ ବୃତ୍ତିରୁ ମୁହଁ ମୋଡୁଥିବା କାରିଗରର ଆୟ ବହୁମାତ୍ରାରେ ବୃଦ୍ଧି ପାଇବ। ବୁଣାକାର ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବା ସହ ଆମ ରାଜ୍ୟର ହସ୍ତଶିଳ୍ପ ଦେଶ ବିଦେଶରେ ଅଧିକ ପରିଚିତ ହେବ।

ବ୍ରହ୍ମପୁରୀ ପାଟ ଯାହା ବର୍ତ୍ତମାନର ସ୍ଥିତିରେ ମଧ୍ୟ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ହାସଲ କରିଛି ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍ ମାନ୍ୟତା (ଜି.ଆଇ.ଟ୍ୟାଗ୍)। ତେବେ କରୋନା ମହାମାରୀ କାରଣରୁ ଗତ ଦୁଇ ବର୍ଷ ହେଲା ଏହି ପାଟ ଶାଢ଼ୀ ଓ ଲୁଗାର ବ୍ୟବସାୟ ନିରାଶାଜନକ ରହିଛି। ତେଣୁ ଏହାର ପୁନରୁଦ୍ଧାର ପାଇଁ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ରାଜ୍ୟ ବୟନ ଶିଳ୍ପ ବିଭାଗ ସହଯୋଗରେ ଉଦ୍ୟମ ଆରମ୍ଭ କରିଛି। ଇନ୍‌ଷ୍ଟିଚ୍ୟୁସନାଲ୍ ସପୋର୍ଟ ଆଣ୍ଡ ଡେଭଲପମେଣ୍ଟ ଅନୁଦାନରୁ ବ୍ରହ୍ମପୁର ଜଗବନ୍ଧୁ ସାହିରେ ଅଢ଼େଇ ହଜାର ବର୍ଗଫୁଟ ସ୍ଥାନରେ ଦେଢ଼ କୋଟି ବ୍ୟୟରେ ଚାଲିଛି ‘ପାଟ ଭବନ’ ନିର୍ମାଣ। ଏଠାରେ ପାଟ ବୁଣାର ନୂଆ ଜ୍ଞାନ କୌଶଳ, ଡିଜାଇନ୍, ଆଧୁନିକ ମେସିନ୍ ବ୍ୟବହାରଜନିତ ପ୍ରଶିକ୍ଷଣ ସାଙ୍ଗକୁ ବିକ୍ରିବଟା ବ୍ୟବସ୍ଥା କରାଯିବ। ଫଳରେ କମ୍ ସମୟରେ ବୁଣାକାରମାନେ ସୁନ୍ଦର ଓ ଆକର୍ଷଣୀୟ ପାଟ ତିଆରି କରିପାରିବେ। ସେମାନଙ୍କ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ। ଫଳରେ ବ୍ରହ୍ମପୁରୀ ପାଟ ନୂଆ ରୂପ ଓ ନୂଆ ଚମକ ସହ ପୁଣି ଚାରିଆଡ଼େ ଆଦୃତ ହେବାର ଆଶା କରାଯାଉଛି। ବ୍ରହ୍ମପୁର ପାଟ ଭବନରେ ବୟନ ଶିଳ୍ପ ବ୍ରହ୍ମପୁର ଡିଭିଜନ୍ ଅନ୍ତର୍ଗତ ବୌଦ୍ଧ ସହ ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟରେ ପ୍ରସ୍ତୁତ ହସ୍ତତନ୍ତ ସାମଗ୍ରୀ ମଧ୍ୟ ପ୍ରଦର୍ଶିତ ତଥା ବିକ୍ରି ହେବାର ଯୋଜନା ରହିଛି।

ଗଞ୍ଜାମ ଜିଲ୍ଲାରେ ରହିଛି ୩୦ଟି ବୁଣାକାର ସମବାୟ ସମିତି। ବ୍ରହ୍ମପୁରୀ ପାଟ ଓ ଯୋଡ଼ ବ୍ୟତୀତ ପିତଳ, ପଦ୍ମନାଭପୁର, ଆସିକା, ହିଞ୍ଜିଳିକାଟୁ ଅଞ୍ଚଳରେ କଟନ୍ ଶାଢ଼ୀର ବୁଣାକାମ ହୁଏ। ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ବୋମକେଇରେ ମଧ୍ୟ ବୁଣା ଯାଉଥିବା ପାଟ ଶାଢ଼ୀର ଆକର୍ଷଣ ସ୍ଵତନ୍ତ୍ର। ତେବେ ଗତ କିଛି ବର୍ଷ ହେଲା ପ୍ରୋତ୍ସାହନ ଅଭାବରୁ ଏହା ଧିରେ ଧିରେ ନିଜ ବଜାର ହରାଇ ବସି ଆସୁଛି। ଏବେ ମୁଖ୍ୟମନ୍ତ୍ରୀଙ୍କ ବୁଣାକାର ପ୍ୟାକେଜ୍ ଜରିଆରେ ଏଠିକାର ବୁଣାକାରମାନେ ପୁଣି ପ୍ରୋତ୍ସାହନ ପାଇବେ। ରାଜ୍ୟ ସରକାର ବୋମକେଇ ପାଟକୁ ‘ରିଭାଇଭାଲ୍ ଅଫ୍ ଲାଙ୍ଗୁଇଜିଂ ହ୍ୟାଣ୍ଡଲୁମ୍ ପ୍ରଡକ୍ଟସ୍ ଅଫ୍ ଓଡ଼ିଶା’ରେ ସ୍ଥାନୀତ କରିଛନ୍ତି। ଫଳରେ ଏହି ନିଆରା ପାଟବୁଣା ଶୈଳୀର ପୁନରୁଦ୍ଧାର ସହ ଆଧୁନିକୀକରଣ କରି ପୁଣି ବଜାରରେ ଏହାର ବ୍ୟାପକ ଚାହିଦା ସୃଷ୍ଟି କରାଯିବ। ଷ୍ଟେଟ୍ ଏଜେନ୍ସି ଫର୍ ଡେଭଲପମେଣ୍ଟ ଅଫ୍ ହ୍ୟାଣ୍ଡଲୁମ୍ କ୍ଲଷ୍ଟର୍ସ ଦ୍ଵାରା ଅତ୍ୟାଧୁନିକ କୌଶଳ ଜରିଆରେ ପୁରାତନ ଡିଜାଇନ୍‌କୁ ଦିଆଯିବ ନୂତନ ରୂପ ଓ ଚମକ। କଞ୍ଚାମାଲ ଓ ଅନ୍ୟ ସାମଗ୍ରୀ ବୁଣାକାରଙ୍କୁ ଯୋଗାଇ ଦିଆଯିବ। ବୁଣା ପାଟକୁ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନ ସମେତ ବିଦେଶକୁ ପଠାଯିବା ଯୋଜନା ଅଛି।

Comments are closed.