ଏଡିବି ଅର୍ନ୍ତଜାତୀୟ ସ୍କିଲ୍ସ ଫୋରମରେ ଯୋଗ ଦେଲେ ସୁବ୍ରତ ବାଗ୍‌ଚୀ

ଦକ୍ଷତା ବିକାଶ ପରେ ଯୁବଗୋଷ୍ଠୀଙ୍କୁ ଅପ୍- ସ୍କିଲିଂ ଏବଂ ରିସ୍କିଲିଂ କରାଇବାର ଆବଶ୍ୟକତା ରହିଛି : ବାଗ୍‌ଚୀ

ଭୁବନେଶ୍ୱର: ଏସୀୟ ବିକାଶ ବ୍ୟାଙ୍କ୍ ଦ୍ଵାରା ଆୟୋଜିତ ନବମ ଅର୍ନ୍ତଜାତୀୟ ସ୍କିଲ୍ ଫୋରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ‘ ଦକ୍ଷତା ବିକାଶ ନା ମାନବ ରୂପାନ୍ତରଣ ( ସ୍କିଲ ଡେଭଲପମେଣ୍ଟ ଅର୍ ହୁମାନ ଟ୍ରାନ୍ସଫରମେସନ ) ‘ ବିଷୟବସ୍ତୁ ଉପରେ ବାଗଚୀ ନିଜର ବକ୍ତବ୍ୟ ରଖିଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ନିର୍ଦ୍ଦେଶରେ କିଭଳି ଓଡ଼ିଶା ଦକ୍ଷତା ବିକାଶ କ୍ଷେତ୍ରରେ ଏକ ଅନନ୍ୟ ରାଜ୍ୟ ଭାବେ ଉଭା ହୋଇପାରିଛି ସେ ସଂପର୍କରେ ସମସ୍ତଙ୍କୁ ଶ୍ରୀ ବାଗଚୀ ଅବଗତ କରାଇଥିଲେ ।

ବାଗଚୀ ଏହି ଅବସରରେ କହିଥିଲେ ଯେ ନେତା , ନୀତି ର୍ନିଦ୍ଧାରକ ଏବଂ ଦକ୍ଷତା ବିକାଶ ସଂସ୍ଥାନମାନଙ୍କ ନିକଟରେ ଦକ୍ଷତା କ୍ଷେତ୍ରରେ ରହିଥିବା ଅସମାନତା ଦୂର କରିବା ପାଇଁ ଉତ୍ତମ ସୁଯୋଗ ରହିଛି । ସେମାନେ ନୀତି ର୍ନିଦ୍ଧାରଣ , ପୁଞ୍ଜିନିବେଶ ଏବଂ ଏହାକୁ କାର୍ଯ୍ୟକାରୀ କରିବା ସମୟରେ ଲିଙ୍ଗଗତ ତାରତମ୍ୟ , ସ୍ୱଳ୍ପ ବେତନ ତଥା ବେତନରେ ଭେଦଭାବ ଏବଂ ଦକ୍ଷତା ବିକାଶ ନିମନ୍ତେ ପୁଷ୍ଟିସାରଯୁକ୍ତ ଖାଦ୍ୟର ଆବଶ୍ୟକତା ଉପରେ ଧ୍ୟାନ ଦେବା ଆବଶ୍ୟକ । ବିଶେଷ କରି ଦକ୍ଷତା ବିକାଶ କ୍ଷେତ୍ରରେ ମହିଳାମାନଙ୍କର ଭାଗୀଦାରି ବଢାଇବା ସହ ସେମାନଙ୍କ ପୁଷ୍ଟିସାର ଖାଦ୍ୟର ଆବଶ୍ୟକତାକୁ ଗୁରୁତ୍ବ ଦେବାକୁ ପଡିବ ବୋଲି ଶ୍ରୀ ବାଗ୍‌ଚୀ ପ୍ରକାଶ କରିଥିଲେ ।

ଦକ୍ଷତା ବିକାଶ ପରେ ଯୁବଗୋଷ୍ଠୀଙ୍କୁ ଅପ୍ – ସ୍କିଲିଂ ରିସ୍କିଲିଂ କରାଇବାର ଆବଶ୍ୟକତା ରହିଛି । ଔପଚାରିକ କ୍ଷେତ୍ରରେ ସମୟ , ଶ୍ରମ ଏବଂ ଅର୍ଥ ବିନିଯୋଗ କରି ଯୁବଗୋଷ୍ଠୀଙ୍କୁ ରିସ୍କିଲିଂ ଏବଂ ଅପ୍ – ସ୍କିଲିଂ କରାଯାଇପାରିବ ଯାହା ଅନୌପଚାରିକ କ୍ଷେତ୍ରରେ ଅସମ୍ଭବ । ଭାରତରେ ମଜୁରୀ ପ୍ରଦାନରେ ବହୁତ ତାରତମ୍ୟ ରହୁଛି । ଆମକୁ ସର୍ବନିମ୍ନ ମଜୁରୀରୁ ଉପଯୁକ୍ତ ମଜୁରୀ ବିଷୟରେ ଚିନ୍ତା କରିବାକୁ ପଡ଼ିବ ବୋଲି ଶ୍ରୀ ବାଗଚୀ କହିଥିଲେ ।

ଏହି କାର୍ଯ୍ୟକ୍ରମ ଏସୀୟ ବିକାଶ ବ୍ୟାଙ୍କର ଏକ ଫ୍ଲାଗସିପ କାର୍ଯ୍ୟକ୍ରମ ଅଟେ । ପ୍ରତ୍ୟେକ ଦୁଇ ବର୍ଷରେ ଥରେ ଏହାକୁ ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ୨୩ ଅଗଷ୍ଟରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଛି । ସୂଚନାଯୋଗ୍ୟ ଚଳିତ ବର୍ଷ କୋଭିଡ଼ ମହାମାରୀ ଯୋଗୁଁ ଏହାକୁ ଭର୍ଚୁଆଲି ଆୟୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ତିନି ହଜାରରୁ ଅଧିକ ଅର୍ନ୍ତଜାତୀୟ ସ୍ତରର ବୁଦ୍ଧିଜୀବୀ , ନୀତି ର୍ନିଦ୍ଧାରକ , ବିଶିଷ୍ଟ ଶିକ୍ଷା ବିଶେଷଜ୍ଞ , ଶିକ୍ଷାବିତ୍ , ବିଭିନ୍ନ ଦକ୍ଷତା ବିକାଶ ସଂସ୍ଥାର ପ୍ରତିନିଧି ଏବଂ ଏଡିବି ସହଯୋଗୀ ରାଷ୍ଟ୍ରର ସଦସ୍ୟମାନେ ସାମିଲ ହୋଇଥିଲେ ।

Comments are closed.