କ୍ରୀଡ଼ାଭିତ୍ତିକ ଶିଳ୍ପ ପ୍ରତିଷ୍ଠା ସକାଶେ ରାଜ୍ୟ ସରକାର ସୃଷ୍ଟି କରିବେ ଅନୁକୂଳ ବାତାବରଣ

ଭୁବନେଶ୍ବର: ନିକଟରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ବିଶେଷ ଭାବେ ହକିରେ ଆମ କ୍ରୀଡ଼ାବିତ୍‌ଙ୍କ ଚମତ୍କାର ପ୍ରଦର୍ଶନରେ ଉତ୍ସାହିତ ରାଜ୍ୟ ସରକାର ରାଜ୍ୟରେ କ୍ରୀଡ଼ାଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଦିଗରେ ଅଗ୍ରସର ହେଉଥିବା ବିଷୟରେ ଆସୋଚାମର ଏକ ଆଭାସୀ ସମ୍ମିଳନୀରେ ଶିଳ୍ପ , ଶକ୍ତି , ଏମ୍ଏସ୍ଏମ୍ଇ , ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର ପ୍ରକାଶ କରିଛନ୍ତି । ଏଥିପାଇଁ ଶିଳ୍ପ ଉଦ୍ୟୋଗୀମାନଙ୍କୁ ଆମନ୍ତ୍ରଣ କରାଯାଉଛି । ଏହା ହେଲେ ଦେଶର କ୍ରୀଡ଼ା ଚାହିଦା ପୂରଣ ହେବା ସହ ଏହା ଆନ୍ତର୍ଜାତିକ ବଜାରକୁ ମଧ୍ୟ କ୍ରୀଡ଼ା ଉପକରଣ ଯୋଗାଇପାରିବ ବୋଲି ସେ କହିଛନ୍ତି ।

ଆଜି ଆୟୋଜିତ ବୈଶିକ ମୂଲ୍ୟ ଶୃଙ୍ଖଳ ପାଇଁ ଓଡ଼ିଶା ରାଜ୍ୟ ଦକ୍ଷତା ସୃଷ୍ଟି ” ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ମନ୍ତ୍ରୀ କ୍ୟାପଟେନ୍ ମିଶ୍ର ଓଡ଼ିଶା ନିବେଶକମାନଙ୍କ ନିମନ୍ତେ ଏକ ପ୍ରକୃଷ୍ଟ ରାଜ୍ୟ ବୋଲି କହିବା ସହ ରାଜ୍ୟରେ ଉତ୍ପାଦନର ୟୁନିଟ୍ ମୂଲ୍ୟ ଦେଶରେ ସବୁଠୁ କମ୍ ଥିବା ଦର୍ଶାଇ ଆମେ ଶିଳ୍ପକୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଇବା ସହ ରିହାତି ପ୍ରଦାନ କରୁଛୁ ବୋଲି କହିଥିଲେ । ଏହି ଅବସରରେ ରାଜ୍ୟରେ ଥିବା ପର୍ଯ୍ୟଟନ ବିଭବର ବର୍ଣ୍ଣନା କରି ସେ ଲଣ୍ଡନ କିମ୍ବା ସୁଇଜରଲ୍ୟାଣ୍ଡ ଯିବା ପରିବର୍ତ୍ତେ ପର୍ଯ୍ୟଟକ ଥରେ କଳାହାଣ୍ଡି ବୁଲି ଆସି ଏଠାରେ ଥିବା ନୈସର୍ଗିକ ଶୋଭା ସମ୍ଭାର , ସ୍ଥାନୀୟ ଜନଜାତିଙ୍କ ନିଆରା ଜୀବନଶୈଳୀ ଏବଂ ସେମାନଙ୍କ ଜୀବନଧାର ବିଷୟରେ ଅବଗତ ହେବାକୁ ଆହ୍ଵାନ ଜଣାଇଥିଲେ ।

ଏହି ଅବସରରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଥିଲେ ଯେ ପାରମ୍ପରିକ ଭାବେ ଓଡ଼ିଶା ଖଣିଖାଦାନ ଭରା ଏକ ରାଜ୍ୟ ଭାବେ ଜଣାଶୁଣା । ମାନବଜାତିର ବଞ୍ଚିବା ନିମନ୍ତେ ଆବଶ୍ୟକ ଥିବା ସମସ୍ତ ଉପକରଣର କଞ୍ଚାମାଲ ଏଠାରେ ଉପଲବ୍ଧ । ତା’ଛଡ଼ା ବିଶ୍ଵର ଯେକୌଣସି କାରଖାନା ପାଇଁ ଦରକାର ପଡୁଥିବା ଖଣିଜ ଓଡ଼ିଶାରେ ମିଳୁଥିବା ସେ ଦର୍ଶାଇଥିଲେ । ଓଡ଼ିଶାର ଅବସ୍ଥିତି , ବିଶେଷ ଭାବେ ୪୮୦ କିଲୋମିଟର ଦୈର୍ଘ୍ୟ ଉପକୂଳ ଏବଂ ବହୁସଂଖ୍ୟକ ବନ୍ଦର ବୈଶିକ ମୂଲ୍ୟ ଶୃଙ୍ଖଳକୁ ମଜବୁତ୍ କରିବାରେ ଉପଯୋଗୀ ମନେହୁଏ । ଏହା ବ୍ୟତୀତ ରାଜ୍ୟରେ ପର୍ଯ୍ୟାପ୍ତ କୁଶଳୀ ମାନବସମ୍ବଳ ରହିଛି , ଯାହା ଦେଶର ଶିଳ୍ପ କ୍ଷେତ୍ରକୁ ସମୃଦ୍ଧ କରିବାରେ ବିଶେଷ ଯୋଗଦାନ ଦେଇପାରିଛି । ରାଜ୍ୟ ସରକାରଙ୍କ ନିର୍ମଳ ଶିଳ୍ପନୀତି , ସିଙ୍ଗଲ ୱିଣ୍ଡୋ ସିଷ୍ଟମ୍ , ବ୍ୟବସାୟ ନିମନ୍ତେ ସର୍ବନିମ୍ନ ମୂଲ୍ୟ ଆଦି ସୁବିଧା ଶିଳ୍ପଜଗତକୁ ଉତ୍ସାହିତ କରିପାରୁଥିବା ସେ କହିଥିଲେ ।

ଏହି ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଆସୋଚାମର ଅଧ୍ୟକ୍ଷ ସୋହମ୍ ମିଶ୍ର , ଆସୋଚାମର ସହ – ଅଧ୍ୟକ୍ଷ ଦୀପକ ଗୁଲାଟି , ଟାଟା ପାୱାର କୋ . , କଳିଙ୍ଗ ନଗର ପ୍ରକଳ୍ପ ମୁଖ୍ୟ ଭକ୍ତି ରାଜ୍ , ଜିନ୍ଦଲ ଷ୍ଟିଲ୍‌ର ନର୍ବାହୀ ଉପସଭାପତି ( କର୍ପୋରେଟ୍ ବ୍ୟାପାର ) ବିଭୁ ପ୍ରସାଦ ମିଶ୍ର , ଫୋୟନିକ୍ସ ଇଣ୍ଡିଆର ନିର୍ଦ୍ଦେଶକ ତଥା ଆସୋଚାମର ସଦସ୍ୟ ଶ୍ରୀକାନ୍ତ ବାଡ଼ିଗା , ଆସୋଚାମ୍ , ଜାତୀୟ କ୍ରୀଡ଼ା ଓ ଫିଟନେସ୍ ଶିଳ୍ପ ପରିଷଦର ଅଧ୍ୟକ୍ଷ ରାଜେଶ ଖରିବାନ୍ଦା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Comments are closed.