ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଶ୍ରୀକୃଷ୍ଣ ବଳରାମ ବେଶ

ଭାଦ୍ରବ ମାସ କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ଅନୁଷ୍ଠିତ ହୋଇଯାଇଛି କୃଷ୍ଣ ବଳରାମ ବେଶ । ପୂର୍ବରୁ ଏହି ତିଥିରେ ପୁରୀ ବଡ଼ ଓଡ଼ିଆ ମଠ ତରଫରୁ ଗିରିଗୋବର୍ଦ୍ଧନ ଧାରଣ ବେଶ ଅନୁଷ୍ଠିତ ହେଉଥିଲା। କିନ୍ତୁ ବିଗତ ଦିନରେ ଏହିବେଶ ଦିନ ନାନା ବିଘ୍ନ ଦେଖା ଦେବାରୁ ଏହି ବେଶକୁ ବନ୍ଦ କରିଦିଆ ଗଲା। ୧୯୪୫ ମସିହାରେ ଗଜପତି ମହାରାଜାଙ୍କ ହୁକୁମ ନାମା ବଳରେ ଏହିବେଶ ଦିନ ଶ୍ରୀଜୀଉଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେଉଅଛି।

ଏହି କୃଷ୍ଣ ବଳରାମ ବେଶ କଟକ ସାଲେପୁର ଥାନା ଅନ୍ତର୍ଗତ ଖଣ୍ଡ ସାହି ଜମିଦାର ରାୟ ସାହେବ ଚୌଧୁରୀ ଗୋପାଳବନ୍ଧୁ ମିଶ୍ରଙ୍କ ପରିବାର ତରଫରୁ ଯୋଗାଇ ଦିଆଯାଉଅଛି। ଚୌଧୁରୀ ଗୋପାଳ ବନ୍ଧୁ ମିଶ୍ର ଅପୁତ୍ରିକ ଥିଲେ। କତିପୟ ବିଦ୍ୱାନ ଓ ସିଂହାରି ସେବକଙ୍କ ପରାମର୍ଶରେ ମହାପ୍ରଭୁଙ୍କୁ ଏହି ବେଶ ସମର୍ପଣ କରି ସିଏ ପୁତ୍ର ସନ୍ତାନ ଲାଭ କରିଥିଲେ। ୧୯୪୫ ମସିହାରୁ ଉକ୍ତଦିନ ଶ୍ରୀଜୀଉମାନେ ଗିରିଗୋବର୍ଦ୍ଧନ ଧାରଣ ବେଶ ପରିବର୍ତ୍ତେ ଶ୍ରୀକୃଷ୍ଣ ବଳରାମ ବେଶ ହୋଇ ଆସୁଛନ୍ତି। ଅଦ୍ୟାବଧି ଏହି ବେଶର ବ୍ୟୟଭାର ଉକ୍ତ ପରିବାର ବହନ କରୁଛନ୍ତି।

ଶ୍ରୀମନ୍ଦିରରେ ଗତକାଲି ଶ୍ରୀଜୀଉ ମାନଙ୍କ ମଧ୍ୟାହ୍ନ ଧୂପ ଶେଷପରେ ଶ୍ରୀକୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୋଇଥିଲା। ଏହିବେଶ ଥାଇ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ବଢିଥିଲା। ସନ୍ଧ୍ୟା ଧୂପରେ ଅଧିକା ବେଶ ଖିରି ଓ ଅମାଲୁ ଭୋଗଲାଗି କରା ଯାଇଥିଲା।

ଏହି ବେଶପାଇଁ ଆବଶ୍ୟକ ହୋଇଥିଲା ଶୋଲ, ଜରି, ଜମ୍ବୁରା, ବାଉଁଶ ବତା, କଇଥ ଅଠା, ୩ଟି ଚୂଳ,୩ଟି କିରିଟ, ୩ଟି ପେଟ, ୨ଟି ବେଣୀ, ୪ଟି ଭୁଜ, ୪ଟି ଶ୍ରୀପୟର, ୧ ଟି ବଂଶୀ, ୧ ଟି ସିଙ୍ଗା, ଦେବୀ ସୁଭଦ୍ରାଙ୍କ ପାଇଁ ୨ ପୟର ଓ ୪ ଭୁଜ, ୩ ଅଳକା, ୬ କର୍ଣକୁଣ୍ଡଳ, ୩ ଅଣ୍ଟାପତ୍ତି , ୮ ହରିଡା ଫେର, ୬ ବାଜୁ, ୩ କାନି, ୨ ଫେର, ୩ ନାକୁଆସି, ୬ ସୂର୍ଯ୍ୟଚନ୍ଦ୍ର, ୪ ଶିକୁଳି, ୩ ପାଦ ପଦ୍ମ, ୨ ପୁଟା, ୨୦୦ କଦମ୍ବ ଫୁଲ, ୧ ଶୋଲ ସିଂହାସନ। ଏହି ବେଶରେ ବଳଭଦ୍ର ଦୁଇ ହାତରେ ସିଙ୍ଗା ଓ ପଦ୍ମ। ଶ୍ରୀଜଗନ୍ନାଥ ଦୁଇ ହାତରେ ବଂଶୀ ଓ ପଦ୍ମ ଏବଂ ମସ୍ତକରେ ବାଙ୍କ ଚୂଳ। ସୁଭଦ୍ରା ୪ ହସ୍ତରେ ଅଭୟ , ବର, ପାଶ ଓ ଅଙ୍କୁଶ ଧାରଣ କରି କାଠ ଆସନରେ ଚକାସନ ମୁଦ୍ରାରେ ଉପବେଶନ କରିଥିଲେ। ଏହିବେଶ ପୁଷ୍ପାଳକ, ଖୁଣ୍ଟିଆ, ଚାଙ୍ଗଡ଼ା ମେକାପଙ୍କ ସହାୟତାରେ ସମ୍ପର୍ଣ୍ଣ ହୋଇଥିଲା।

Comments are closed.