ମହାରାଜା ଶାନ୍ତନୁଙ୍କ ତପସ୍ୟା ସ୍ଥଳୀ ଶାନ୍ତନୁ କୁଣ୍ଡ

ଶାନ୍ତନୁ କୁଣ୍ଡ : ମଥୁରାରୁ ତିନି ମାଇଲ ପଶ୍ଚିମ- ଦକ୍ଷିଣ ଦିଗରେ , ଦତିହା ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ରହିଛି “ଶାନ୍ତନୁ କୁଣ୍ଡ”। ବର୍ତ୍ତମାନ ଏହି ସ୍ଥାନର ନାମ ପ୍ରଚଳିତ ନାମ ହେଉଛି “ସାତୋହା”। ଚନ୍ଦ୍ରବଂଶୀୟ ହସ୍ତିନା ପୁରର ସୁବିଖ୍ୟାତ ରାଜା ଶାନ୍ତନୁ ଏହି ସ୍ଥାନରେ ନିଜର ପୁତ୍ର କାମନା କରି ଭଗବଦ ଆରାଧନା କରିଥିଲେ। ଭଗବାନ ଙ୍କ କୃପାରୁ ତାଙ୍କର ପୁତ୍ର ସନ୍ତାନ ଲାଭ ହୋଇଥିଲା। ସେହି ପୁତ୍ର ହେଉଛନ୍ତି ଭୀଷ୍ମ। ଶାନ୍ତନୁ କୁଣ୍ଡର ମଧ୍ୟଭାଗରେ ରହିଛି ଶାନ୍ତନୁ ବିହାରୀ ଶ୍ରୀକୃଷ୍ଣଙ୍କ ମନ୍ଦିର। ଏହି ପବିତ୍ର କୁଣ୍ଡରେ ପୁତ୍ର ପ୍ରାପ୍ତି ଆଶା କରୁଥିବା ମହିଳା ମାନେ ସ୍ନାନକଲେ ପୁତ୍ରଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଶାନ୍ତନୁଙ୍କ ପୂର୍ବନାମ ହେଉଛି ମହାଭିଷ। ଶାନ୍ତନୁଙ୍କ ଏପରି ଶକ୍ତି ଥିଲା ସିଏ କୌଣସି ଜରାଗ୍ରସ୍ତ ଲୋକକୁ ସ୍ପର୍ଶ ମାତ୍ରେ ସିଏ ଯୌବନତ୍ୱ ପ୍ରାପ୍ତ କରି ପାରୁଥିଲା। ଏହାସହ ସିଏ ସମସ୍ତଙ୍କୁ ଶାନ୍ତି ପ୍ରଦାନ କରିପାରୁ ଥିବାରୁ ତାଙ୍କ ନାମ ଶାନ୍ତନୁ ହୋଇଥିଲା। ସିଏ ଘଟଣା କ୍ରମରେ ଗଙ୍ଗାଙ୍କୁ ବିବାହ କରି ଅଷ୍ଟମ ପୁତ୍ରର ଜନକ ହୁଅନ୍ତି। ସର୍ତ୍ତ ଅନୁସାରେ ସାତ ଜଣ ପୁତ୍ର ଜନ୍ମ ହେବା ମାତ୍ରେ ଜଳରେ ନିକ୍ଷେପ କରନ୍ତି। କେବଳ ବଞ୍ଚି ଯାଆନ୍ତି ଅଷ୍ଟମ ପୁତ୍ର । ଯାହାଙ୍କ ନାମ ଭୀଷ୍ମ।

ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ଯଶୋଦା ଦେବି ଶ୍ରୀକୃଷ୍ଣଙ୍କୁ ପୁତ୍ର ରୂପେ ପ୍ରାପ୍ତ ହେବା ପାଇଁ ତପସ୍ୟା କରି ତାହାଙ୍କୁ ପୁତ୍ର ରୂପେ ପାଇ ଏଠାରେ ପରମଶାନ୍ତି ଲାଭ କରିଥିଲେ ବୋଲି ଏହାର ନାମ ଶାନ୍ତନୁ କୁଣ୍ଡ ରହିଛି।

ଖିଚରି ଗ୍ରାମ ବା ଖିଚରବନ : ଶାନ୍ତନୁ କୁଣ୍ଡର ଅନତି ଦୂରରେ ରହିଛି ଖିଚରି ଗ୍ରାମ। ଭଗବାନ ଶ୍ରୀକୃଷ୍ଣ ଏହି ସ୍ଥାନରେ ନିଜର ସଖା ମାନଙ୍କୁ ନେଇ ବଣଭୋଜି କରିଥିଲେ। ଉକ୍ତ ବଣଭୋଜିରେ ଭଗବାନ ସଖାମାନଙ୍କ ସହ ଏକତ୍ର ଏଠାରେ ଖେଚୁଡ଼ି ଭୋଜନ କରିଥିଲେ।। ଏହି ସ୍ଥାନରେ ଏକ ପ୍ରାଚୀନ୍ନ କୁଣ୍ଡ ରହିଛି ଯାହାର ନାମ ସରବନ କୁଣ୍ଡ। ଏହି କୁଣ୍ଡରେ ଭଗବାନ ଭୋଜନ ଲୀଳା କରିଥିଲେ। (କ୍ରମଶଃ )

Comments are closed.