ମାଁ ସମଲେଶ୍ବରୀଙ୍କ ପୀଠକୁ ଆସିଲା ନୂଆଁଧାନ

ନୂଆଁଖାଇରେ ଲାଗି ହେବ ନୂଆଁ ଧାନର ଚରୁ

ସମ୍ବଲପୁର: ଆସନ୍ତା ୧୧ ତାରିଖରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଗତ ନବମୀ ତିଥି ନନ୍ଦୋତ୍ସବ ଦିନ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା ନୂଆଁଖାଇ ପାଇଁ ଲଗ୍ନ ନିରୂପଣ କରିସାରିଛି । ଏହି ଅନୁଯାୟୀ ଆଜି ମାଁ ସମଲେଶ୍ବରୀଙ୍କ ପୀଠକୁ ନୂଆଁଧାନ ଆସି ପହଞ୍ଚିଛି । ପ୍ରତିବର୍ଷ ପରି ବଲବସପୁରର ଜଣେ ଚାଷୀ ଏହି ଷାଠିଆ ଧାନକୁ ଆଣି ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କୁ ଅର୍ପଣ କରିଛନ୍ତି ।

ଆସନ୍ତା ଭାଦ୍ରବ ଶୁକ୍ଲପଖ୍ୟ ପଞ୍ଚମୀ ତିଥି ତୁଳା ଲଗ୍ନ ଶନିବାର ସକାଳ ୧୦:୧୫ ମି. ରୁ ୧୦:୨୫ ମି. ମଧ୍ୟେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଙ୍କ ଠାରେ ନବାନ୍ନ ଲାଗି ହେବ ।

ଏଥିପାଇଁ ପଶ୍ଚିମ ଓଡିଶାର ଘରେ ଘରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ସେପଟେ ମାଁ ସମଲେଶ୍ବରୀଙ୍କ ନିକଟରେ ଲାଗି ହେବାକୁ ଥିବା ଏହି ନୂଆଁ ଧାନ ବି ଆଜି ପହଞ୍ଚିସାରିଛି । ପୂଜକଙ୍କ ପରିବାର ଲୋକେ ଏହି ଧାନରୁ ଚାଉଳ ବାହାର କରି ତାକୁ ଘିଅରେ ଭାଜି ଗୁଡ ଏବଂ ଘିଅରେ ସ୍ବତନ୍ତ୍ର ଚରୁ ପ୍ରସ୍ତୁତ କରିବେ । ଏହାକୁ ମାଁଙ୍କ ନିକଟରେ ଅର୍ପଣ କରିବା ପରେ ଅନ୍ୟ ପାର୍ଶ୍ବଦେବା ଦେବୀଙ୍କ ନିକଟରେ ଲାଗି ହେବ । ସେହିପରି ଏହି ପ୍ରସିଦ୍ଧ କ୍ରୁଷିଭିତ୍ତିକ ପର୍ବ ପାଇଁ ସବୁ ଚାଷୀ ପରିବାରରେ ବି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।

Comments are closed.